ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ୍ ୬ ତାରିଖ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ତାରିଖ ଯାଏ ହେବ। ଦ୍ବିତୀୟ ପର୍ଯ୍ୟାୟ ୧୦ ତାରିଖରୁ ଆରମ୍ଭ ହେବ। ଅଧିବେଶନରେ ମୋଟ୍ ୨୭ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରାଯିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ଗତ ସପ୍ତାହରେ ଏହି ବଜେଟ୍ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ର ଅନୁମୋଦନ ପାଇସାରିଛି।
ଅନ୍ୟପକ୍ଷରେ ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ, ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସି ରଣନୀତି ନିର୍ଧାରଣ ହୋଇଛି।
ସେପଟେ ଆରମ୍ଭରୁ ବିଜେପି ଗୃହ ଭିତରେ ଆକ୍ରମଣାତ୍ମକ ଭୂମିକା ନେବାକୁ ନିଷ୍ପତ୍ତି ନେଇଛି। ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଶାସକ ଦଳକୁ ଘେରିବାକୁ ଯୋଜନା ହୋଇଛି। ଦଳର ରାଜ୍ୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଗସ୍ତରେ ଆସିଥିଲା ବେଳେ ବିରୋଧୀ ଦଳ ନେତାଙ୍କ ବାସଭବନରେ ଦଳର ସମସ୍ତ ବିଧାୟକ ତାଙ୍କୁ ଭେଟି ଦଳର କାର୍ଯ୍ୟପନ୍ଥା ଆଲୋଚନା କରିଥିଲେ।
ବୈଠକ ପରେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଚଳିତ ବିଧାନସଭା ଅଧିବେଶନରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ମୁଖ୍ୟ ପ୍ରସଙ୍ଗ ହେବ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଯାଇ ସରକାରଙ୍କ ଜବାବ ମଗାଯିବ। ତାହା ବାଦ୍ ମାଗଣା ଚାଉଳ, ଅମୃତକାଳ ବଜେଟ, ସର୍ବକାଳୀନ ସର୍ବାଧିକ ରେଳ ବଜେଟ୍, ବିଜେଡି ସରକାରରେ ଚାଉଳ ହଡ଼ପ, ପ୍ରଧାନମନ୍ତ୍ରୀ ଆବାସ, ଧାନମଣ୍ଡି ଏବଂ ଏମ୍ଏସ୍ପି ପ୍ରସଙ୍ଗରେ ମିଲର୍ସଙ୍କ ଭାଷା କହି ଚାଷୀକୂଳକୁ ପ୍ରତାରିତ, ଜିପିଡିପି, ଖଣି ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବେକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଦାଦନ ସମସ୍ୟା, ଜଙ୍ଗଲ ପରିବେଶ ଇତ୍ୟାଦି ସାଧାରଣ ଲୋକଙ୍କ ସମସ୍ୟା ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇବ। ସେହିପରି ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ, କିନ୍ତୁ ରାଜ୍ୟ ସରକାର ୫ଟି ନାଁରେ ପ୍ରହସନ କରୁଛନ୍ତି। ହକି ବିଶ୍ୱକପ୍ରେ ମଧ୍ୟ ରାଜ୍ୟ ସରକାର ଦୁର୍ନୀତି କରିଛନ୍ତି। ହକିକୁ ରାଜ୍ୟ ସରକାର ପ୍ରତି ଗାଁ ଓ ପଞ୍ଚାୟତରେ ଏଲ୍ସିଡି ମାଧ୍ୟମରେ ଦେଖାଇ ଟଙ୍କା ଖର୍ଚ୍ଚ କରୁଥିବା ଅର୍ଥ କେଉଁଠୁ ଆସିଲା ବୋଲି ବିଧାନସଭାରେ ଉତ୍ତର ମଗାଯିବ। ବେକାରୀ ସମସ୍ୟା, ଜଙ୍ଗଲ ପୋଡ଼ି, ପ୍ରଦୂଷଣ, ହାତୀ ମୃତ୍ୟୁ ପ୍ରତି ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରୁନାହାନ୍ତି। ଏସମସ୍ତ ପ୍ରସଙ୍ଗ ବିଜେପି ଆସନ୍ତା ବିଧାନସଭାରେ ଉଠାଇବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଭବାନୀ ଭୋଇ, ନାଉରୀ ନାୟକ, ଶଙ୍କର ଓରାମ, ମୁକେଶ ମହାଲିଙ୍ଗ, କେ.ନାରାୟଣ ରାଓ, ଜୟନ୍ତ ଷଡ଼ଙ୍ଗୀ, ନିତ୍ୟାନନ୍ଦ ଗଣ୍ଡ, ସନାତନ ବିଜୁଳି, ଗଣେଶରାମ ଖୁଣ୍ଟିଆ, ପ୍ରକାଶ ସୋରେନ, ବୁଧାନ ମୁର୍ମୁ, ନବଚରଣ ମାଝୀ, ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଥାଉକି, ଆସନ୍ତାକାଲି କଂଗ୍ରେସ ଓ ବିଜେଡିର ବିଧାୟକ ଦଳ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି।