ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ, ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭାରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତାଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇ ଥିଲା । ଏହାପରେ ବଜେଟ୍ ଅଭିଭାଷଣରେ, ରାଜ୍ୟପାଳ  ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଲ୍ଲେଖ କରିବା ସହିତ ପ୍ରଶାସନରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ଲାଗି ହାତକୁ ନିଆଯାଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଥିଲେ।

‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରାଜ୍ୟପାଳ କହିଥିଲେ ଲୋକଙ୍କ ସୁବିଧା ପାଇଁ ‘ମୋ ସରକାର’ ଆରମ୍ଭ କରାଯାଇଛି | ସେହିପରି ୫- ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ଏହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ଅଧିକ ପ୍ରଗତି ହୋଇପାରିଛି । କେବଳ ଏତିକି ନୁହେଁ, ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି କି, ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି । ସେହିଭଳି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଗୁରୁତ୍ବ ଦେଉଛନ୍ତି । ଏହାର ଝଲକ ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ଦେଖିବାକୁ ମିଳିଛି । ଠିକ୍ ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ୧୧ଟି ଜିଲ୍ଲାର ୫୫ ବ୍ଲକରେ ‘ଓଡ଼ିଶା ମିଲେଟ୍ ମିସନ୍’ ନାମକ ଏକ ଯୋଜନାର ଶୁଭାରମ୍ଭ ହୋଇଛି ।

 

ସମ୍ବନ୍ଧିତ ଖବର