ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ : କୋଟିଆ ଓ ବାଇ ଲ’ ପ୍ରସଙ୍ଗରେ ସରଗରମ ହୋଇପାରେ ଗୃହ

ଭୁବନେଶ୍ବର: ଆସନ୍ତାକାଲି ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏଥିଲାଗି ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହୋଇ ରଣନୀତି ପ୍ରସ୍ତୁତ ହୋଇଛି। ଅନ୍ୟ ପକ୍ଷରେ ଗୃହର ସୁପରିଚାଳନା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନ ଥିବା ବେଳେ ଏଥର ପ୍ରଶ୍ନ କାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ଦେଢ ଘଣ୍ଟା ଧରି ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

ଆସନ୍ତାକାଲି ରାଜ୍ୟପାଳ ଅଭିଭାଷଣ ଦେବେ ଓ ପରବର୍ତ୍ତୀ ୩ ଦିନ ଏହା ଉପରେ ଆଲୋଚନା ହେବ। ସେହିପରି  ଫେବୃଆରି  ୨୨ରେ ନୂତନ ଆର୍ଥିକ ବର୍ଷ ଲାଗି  ବଜେଟ ଉପସ୍ଥାପନ ହେବ ଏବଂ ବଜେଟ ଉପରେ ୩ ଦିନ ଧରି ଆଲୋଚନା ହେବ। ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଫେବୃଆରି ୧୮ରୁ  ମାର୍ଚ୍ଚ ୩୧ ଯାଏଁ ଚାଲିବ ।

ବିଜେଡି ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ଯେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ନେଇ ଆଲୋଚନା ହେବ। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ ଜିଏସଟି କ୍ଷତି ଯୋଗୁଁ ଓଡ଼ିଶା ୧୨ ହଜାର କୋଟି ହରାଇବ। ଫଳରେ ଓଡ଼ିଶା ୫ ବର୍ଷରେ ୬୦ ହଜାର କୋଟି ହରାଇବ। ଏହାକୁ ଗୁରୁତ୍ବର ସହ ନିଆଯାଇ ଆଲୋଚନା ହେବ।

ଅନ୍ୟ ପକ୍ଷରେ ବିଧାନସଭା ଅଧିବେଶନରେ ଓଡିଶା ସୀମା ଭିତରେ ପ୍ରବେଶ କରି ଆନ୍ଧ୍ର ପଂଚାୟତ ନିର୍ବାଚନ କରିବା ପ୍ରସଙ୍ଗ ଜୋର ଧରିବ।  ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ଜୋର ଧରିବ ସୀମା ବିବାଦ ତାତି । ପୂର୍ବରେ ପଶ୍ଚିମବଙ୍ଗ ବାଲି ଚୋରି କରୁଥିବା ବେଳେ ଉତ୍ତରରେ ଝାଡଖଣ୍ଡ ପାହାଡ ଚୋରି କରୁଛନ୍ତି । ଅନ୍ୟପଟେ ପଶ୍ଚିମରେ ଛତିଶଗଡ ରାଜ୍ୟପାଇଁ ପାଣିସମସ୍ୟା କରିଥିବା ବେଳେ ଆନ୍ଧ୍ର ଦକ୍ଷିଣରେ ଓଡିଶା ଭିତରକୁ ମାଡି ବସୁଛି । ଏଥିସହ ଏକାମ୍ର କ୍ଷେତ୍ରର ମନ୍ଦିରଗୁଡ଼ିକ ଲାଗି ଜାରି ହୋଇଥିବା ବାଇ ଲ’ ପ୍ରସଙ୍ଗ ଆଲୋଚନା ମଧ୍ୟ ଜୋର ଧରିପାରେ।

କେବଳ ସୀମା ବିବାଦ ନୁହେଁ, ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚାଷୀ ସମସ୍ୟା, ପାଣି ସମସ୍ୟା, ତେଲ ଦର ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଗୁରୁତ୍ୱ ଦେଇ ଆଲୋଚନା କରିବାକୁ ଆହ୍ୱାନ ଦେଇଛି । କଂଗ୍ରେସ  ବିଧାୟକ ଦଳ ବୈଠକ ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆସନ୍ତାକାଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସୁଛନ୍ତି। ଚୂଡାନ୍ତ ନିଷ୍ପତ୍ତି ଆସନ୍ତାକାଲି ସନ୍ଧ୍ୟା ୬ଟାରେ କଂଗ୍ରେସ ଭବନରେ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ନିଆଯିବ।

ସମ୍ବନ୍ଧିତ ଖବର