ବଜେଟ୍‌ ଅଧିବେଶନ ସମ୍ପୂର୍ଣ୍ଣ ଇ-ବିଧାନସଭା ହେବ

ଭୁବନେଶ୍ବର : ଷେ‌ାଡ଼ଶ ବିଧାନସଭାର ଆସନ୍ତା ବଜେଟ୍‌ ଅଧିବେଶନ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ। ଏଥି ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ କରି ବଜେଟ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଓ ସମୁଦାୟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏଥି ପାଇଁ ‘ନେଭା’ର ୧୦ ଜଣିଆ ବୈଷୟିକ ଦଳ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ରହି କାର୍ଯ୍ୟକୁ ସମ୍ପାଦନ କରିବେ। ସୂଚନା ଓ ପ୍ରଯୁକ୍ତି ବିଭାଗର ଜଣେ ଦକ୍ଷ ଅଧିକାରୀଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଚଳିତ ଥର ଇ-ବିଧାନସଭା ସହ ବିଧାନସଭା ସଭ୍ୟମାନଙ୍କୁ ଆବଶ୍ୟକ କାଗଜପତ୍ର ମଧ୍ୟ ପ୍ରଦାନ କରାଯିବ। ଏହା ଦ୍ବାରା ବିଧାନସଭା କାର୍ଯ୍ୟକ୍ରମ କୌଣସି ପରିସ୍ଥିତିରେ ବ୍ୟାହତ ହେବ ନାହିଁ। ମୋବାଇଲ ଆପ୍‌ ମାଧ୍ୟମରେ ମଧ୍ୟ ଏହା ଉପଲବ୍ଧ କରିବାକୁ ଅର୍ଥ ବିଭାଗର ସଚିବ ଅଶୋକ କୁମାର ମୀନା ମତ ଦେଇଥିଲେ।

ବିଧାନସଭା ଗୃହ ମଧ୍ୟରେ ପ୍ରଥମେ କେବଳ ବିଧାୟକମାନଙ୍କୁ ପ୍ରଶ୍ନୋତ୍ତର ସହ ଅନ୍ୟାନ୍ୟ ଆଲୋଚନା ଅବଗତ କରାଯିବ। କୌଣସି ପରିସ୍ଥିତିରେ ବିଧାନସଭାରେ ଉତ୍‌ଥାପିତ ନ ହୋଇ ପ୍ରସଙ୍ଗର ଆଲୋଚନା ବିଷୟବସ୍ତୁ ବାହାରେ ପ୍ରକାଶିତ ହେବ ନାହିଁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସ୍ଥାନୀୟ ସର୍ଭର୍‌ ସ୍ଥାପନ କରି ଏହି କାର୍ଯ୍ୟକ୍ରମକୁ ରୂପାୟିତ କରିବା ପାଇଁ ସେ ବିଭାଗକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ମନୋଜ ମିଶ୍ରଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର