ବେତନଟୀ ସଦର: ଗ୍ରୀଷ୍ମ ଯାଇ ଆଷାଢ଼ ହେଲାଣି ପଛେ ବୁଢ଼ାବଳଙ୍ଗର ଚିତ୍ର ବଦଳୁନି। ବର୍ତ୍ତମାନ ନଦୀରେ କେଉଁଠି ବି ଆଣ୍ଠୁଏ ପାଣି ନାହିଁ। ଯୁଆଡ଼େ ଦେଖିଲେ ଖାଲି ବାଲି ଆଉ ଅନାବନା ବୃକ୍ଷଲତା। ଜଳପ୍ରବାହ କମି ଯାଉଥିବାରୁ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଯେଉଁ ବୁଢ଼ାବଳଙ୍ଗର ବିସ୍ତୀର୍ଣ୍ଣ ନଈପଠା ଶସ୍ୟଶ୍ୟାମଳାରେ ପରିପୂର୍ଣ୍ଣ ଥିଲା, ତାହା ଆଜି ମରୁଭୂମିର ଭ୍ରମ ସୃଷ୍ଟି କରୁଛି। ନଦୀଜଳ ଶୁଖିଯିବାରୁ କେବଳ ଚାଷୀ ନୁହନ୍ତି, ଜୀବଜନ୍ତୁ ମଧ୍ୟ ଡହଳବିକଳ ହେଉଛନ୍ତି। ବର୍ଷର ଅଧିକାଂଶ ଦିନ ନଦୀ ଶୁଖିଲା ପଡ଼ିବାରୁ କୌଳିକ ବୃତ୍ତିକୁ ଛାଡ଼ି ଗାଁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ମତ୍ସ୍ୟଜୀବୀ ଓ ଚାଷୀମାନେ କହିଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ରେ ବୁଢ଼ାବଳଙ୍ଗ ପ୍ରାୟ ୨୦ କିମି ପର୍ଯ୍ୟନ୍ତ ପ୍ରବାହିତ। ଗୋଟିଏସମୟରେ ଉକ୍ତ ନଦୀ ଅକାତକାତ କାଚକେନ୍ଦୁ ପାଣିରେ ହସି ଉଠୁଥିଲା। ଏହି ଜଳକୁ ଉପଯୋଗ କରି ବ୍ଲକ୍‌ର ପାଟୁଳିପୁରା, କଳମା ଓ ଗଡ଼ଦେଉଳିଆ ପଞ୍ଚାୟତବାସୀ ନଦୀପଠାରେ ବର୍ଷତମାମ ପନିପରିବା ଚାଷ ସହିତ ଅନ୍ୟାନ୍ୟ ଫସଲ କରି ଆସୁଥିଲେ। ମତ୍ସ୍ୟଜୀବୀମାନେ ମଧ୍ୟ ବୁଢ଼ାବଳଙ୍ଗରୁ ମାଛ ଧରି ବର୍ଷ ଯାକ ରୋଜଗାରକ୍ଷମ ହୋଇ ପାରୁଥିଲେ। ବୁଢ଼ାବଳଙ୍ଗର ୨ଟି ଉପନଦୀ ପାଲପାଲା ଓ ଚିପତ୍ ଏବଂ ୨ଟି ଶାଖା ନଦୀ ସୋନ ଓ ଗଙ୍ଗାହାରର ଜଳରାଶିରେ ବେତନଟୀ ବ୍ଳକ୍‌ ଅଞ୍ଚଳ ଶସ୍ୟଶ୍ୟାମଳା ହେଉଥିଲା। ହେଲେ ମୟୂରଭଞ୍ଜ ଜିଲ୍ଲାର ଜୀବନରେଖା ବୁଢ଼ାବଳଙ୍ଗ ଆଜି ବିପଦରେ। ଶିମିଳିପାଳ ପାହାଡ଼ରୁ ବାହାରିଥିବା ଏହି ନଦୀର ଜଳ ଠିକ୍‌ଭାବେ ଉପଯୋଗ ନ ହେବା ଏବଂ ମାତ୍ରାଧିକ ବେଆଇନ ବାଲି ଉତ୍ତୋଳନ ନଦୀଶୁଷ୍କର ପ୍ରମୁଖ କାରଣ ବୋଲି କୁହାଯାଉଛି। ଆଷାଢ଼ ମାସରେ ବୁଢ଼ାବଳଙ୍ଗ କୂଳ ଲଙ୍ଘୁଥିବା ବେଳେ ଗଲା କିଛି ବର୍ଷ ଧରି ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଆସୁଛି। ଯାହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।