ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ବାଲିଘାଟ ଯୋଗୁ ବୁଢ଼ାବଳଙ୍ଗର ଗତିପଥ ବଦଳିବା ନେଇ ଆଶଙ୍କା ଦେଖାଦେଇଛି। ଜିଲ୍ଲାର ଶାମାଖୁଣ୍ଟା ତହସିଲ ତଥା କୁଳିଅଣା ବ୍ଲକ୍ ଅନ୍ତର୍ଗତ ସାଲୁଗଢ଼ିଆ ଗାଁ ନିକଟରେ ରହିଛି ଏହି ବେଆଇନ ବାଲି ଘାଟ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ୬ଟି ବାଲିଘାଟ ଜିଲ୍ଲା ସର୍ଭେ ତାଲିକାରେ ନାହିଁ। ନୂଆ କରି ଏହିଠାରୁ ବାଲି ଉଠାଣ ହେଉଥିବାବେଳେ ପ୍ରତିଦିନ ୨୦୦ ଟ୍ରିପ୍ରୁ ଅଧିକ ବାଲି ଟ୍ରାକ୍ଟରରେ ନିଆଯାଇ ନିକଟସ୍ଥ ଗାଁରେ ଗଚ୍ଛିତ କରାଯାଉଛି। ସ୍ଥାନୀୟ ପୁଲିସ ଓ ତହସିଲ ଏନେଇ ଅବଗତ ରହିଥିବାବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଉନି।
ମୟୂରଭଞ୍ଜ ଜିଲ୍ଲାର ୪ଟି ଉପଖଣ୍ଡରେ ୧୧୬ଟି ବାଲି ଖାଦାନ ରହିଥିବାବେଳେ କୁଲିଅଣାରେ ୨ଟି ଖାଦାନ ରହିଛି। ଏଠାରେ ଯେଉଁ ସାଲୁଗଢ଼ିଆ ବାଲିଘାଟ କଥା କୁହାଯାଉଛି, ପ୍ରଶାସନ ତାଲିକାରେ ଏହାର ନାମଗନ୍ଧ ବି ନାହିଁ। ଦେଢ଼ବର୍ଷ ହେଲା ଏହି ବେଆଇନ ବାଲିଖାଦାନ ଚାଲୁଥିବା ବେଳେ ଖଣି ବିଭାଗ, ସ୍ଥାନୀୟ ରାଜସ୍ବ କର୍ମଚାରୀ ଓ ପୁଲିସ କର୍ତ୍ତୃପକ୍ଷ କିପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ବାଲି ଖାଦାନରୁ ବାରିପଦା ସହର ଦୂରତା ମାତ୍ର ୫ କିମି ରହିଛି।
ଦେଢ଼ବର୍ଷ ମଧ୍ୟରେ ଏହିଠାରେ ପ୍ରାୟ ଦେଢ଼ କିମି ପରିଧିର ବିରାଟ ଗାତ ସୃଷ୍ଟି ହୋଇଥିବାବେଳେ ନିକଟସ୍ଥ ତିନିଟି ଗାଁ ବିପଦ ମୁହଁକୁ ଠେଲି ହୋଇଯାଇଛି। ବେଆଇନ୍ ବାଲିଚାଲାଣ ଯୋଗୁ ବାରିପଦା ସହର ପାର୍ଶ୍ବ ଦେଇ ଯାଇଥିବା ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ସହର ମଧ୍ୟକୁ ପ୍ରବେଶ କରିବା ଏକ ପ୍ରକାର ଥୟ। ୧୯୯୯ ମସିହାରେ ଏଠାରେ ଆଡ଼ିବନ୍ଧ ତିଆରି ହୋଇଥିଲା। ବର୍ଷାଦିନେ ଶିମିଳିପାଳ ପଟୁ ଆସିଥିବା ବନ୍ୟାଜଳ ଏହିଠାରେ ମାଡ଼ ହୋଇ ଗତିପଥ ବଦଳାଇଥିଲା। ଏହା ନିକଟରେ ରହିଥିବା ତିନିଟି ଗାଁ ନଦୀ ଆଁକୁ ଆସିବା ସହ ଅପରପାର୍ଶ୍ବରେ ରହିଥିବା ବାରିପଦା ବ୍ଲକ୍ର ତିନିଟି ଗାଁ ନିକଟରୁ ନଦୀ ଦୂର ହେବାରୁ ଚାଷବାସ ଉପରେ ଗଭୀର ପ୍ରଭାବ ପକାଉଛି। ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣକୁ ନେଇ ପ୍ରଶାସନ ଶୂନ୍ୟ ସହନଶୀଳ ନୀତି ଆପଣେଇଛି। ଗଣମାଧ୍ୟମରୁ ଏନେଇ ଖବରପାଇଛି। କର୍ମଚାରୀଙ୍କୁ ତଦନ୍ତ କରିବାକୁ ପଠାଇବୁ ବୋଲି ସେ କହିଛନ୍ତି। ସେହିପରି, ଏସ୍ପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ଗଣମାଧ୍ୟମରୁ ଏହି ବାଲି ଖାଦାନ ନେଇ ଖବର ପାଇଛୁ, ଖୁବଶୀଘ୍ର ଏହା ଉପରେ କାର୍ଯ୍ୟନୁଷ୍ଠାନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/25/Kgj4MPcBPodMvvVKVKv9.jpg)