ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ବୁଢାବୁଢିଆଣି ଡ୍ୟାମ୍ ଉପରେ ହଜାର ହଜାର ଚାଷୀ ନିର୍ଭର କରୁଛନ୍ତି। ଏହି ଜଳ ଭଣ୍ତାରରୁ ହେକ୍ଟର ହେକ୍ଟର ଚାଷ ଜମିକୁ କେନାଲ ଯୋଗେ ପାଣି ମାଡ଼ୁଛି କିନ୍ତୁ ଏହାର ରକ୍ଷଣାବେକ୍ଷଣ ପାଇଁ ସତେ ଯେମିତି କାହା ପାଖରେ ସମୟ ନାହିଁ। କେବଳ ନୂଆ ପ୍ରକଳ୍ପ କାର୍ଯ୍ୟ କରି ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟରେ କାର୍ଯ୍ୟ କରାଯାଉଛି। ଶରଣକୁଳ ଜଳସଂପଦ ବିଭାଗ ଅଧୀନରେ ଥିବା ଗୋଠବଣ କେନାଲ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି, ବୁଢାବୁଢିଆଣି ଜଳ ଭଣ୍ତାରରୁ ଚାଷୀଙ୍କ ଚାଷ ଜମିକୁ କେନାଲ ଯୋଗେ ପାଣି ଛଡ଼ାଯାଉଛି। ଏଥିପାଇଁ ଚାଷୀ ଜଳକର ଦେବା ସହିତ ସରକାରଙ୍କ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଅନୁଦାନ ଦିଆଯାଉଛି। ମାତ୍ର ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଚାଷୀ ଅଧିକାଂଶ ସମୟରେ ହଇରାଣ ହେଉଛନ୍ତି। ବୁଢ଼ାବୁଢିଆଣି ଜଳ ଭଣ୍ତାରରୁ କେନାଲ ତିଆରି ହୋଇ ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତର ଚାଷୀଙ୍କ ଚାଷ ଜମିକୁ ପାଣି ଯୋଗାଣ କରାଯାଉଛି। ଚାଷୀ ଖରାଦିନିଆ ଚାଷ କରିବା ସହିତ ସ୍ବଳ୍ପ ବର୍ଷାରେ ମରୁଡ଼ିରୁ ରକ୍ଷା ମିଳିଥାଏ। କିନ୍ତୁ ସବୁବେଳେ ଏହି କେନାଲରେ ବିଭିନ୍ନ ଅସୁବିଧାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଥାଏ। କେନାଲରେ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହେଉଥିବା ବେଳେ ତାହା ସଫା କରାଯାଉନଥିବା ବେଳେ କେନାଲ ମାସ ମାସ ଧରି ଭାଙ୍ଗିରୁଜି ପଡ଼ିଥିଲେ ମଧ୍ୟ ମରାମତି କରାଯାଉନାହିଁ।
ଗୋଠବଣ ରାସ୍ତାରେ କେନାଲ ଭାଙ୍ଗି ଭୁଶୁଡ଼ିବା ଅବସ୍ଥାରେ ରହିଥିଲେ ମଧ୍ୟ ସେଠାରେ ବାଲିବସ୍ତା ରଖି କାମ ଚଳାଇ ଦେଇଛି ବିଭାଗ। ସେତିକି ନୁହଁ ବାଲିବସ୍ତା ରଖିଥିବା କେନାଲ ପାଖରୁ ମାଟି ଖସି ଭୁଶୁଡ଼ିବା ଅବସ୍ଥାରେ ରହିଛି। ଫଳରେ ପାଖରେ ଥିବା ପୋଖରୀ ପୋତି ହେବା ସହିତ ବ୍ୟାପକ କ୍ଷତି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁରନ୍ତ ଏହି କେନାଲ ମରାମତି କରିବାକୁ ଚାଷୀ ଦାବି କରିଛନ୍ତି। ନଚେତ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇନପାରେ ବୋଲି ମତପ୍ରକାଶ ପାଇଛି। ଏହି ଘଟଣାରେ ଜଳସଂପଦ ଅଧିକାରୀ ତୃପ୍ତିମୟୀ ନାୟକ ଫୋନ୍ ଉଠାଇ ନ ଥିବାରୁ ମତାମତ ନେବା ସମ୍ଭବ ହୋଇନାହିଁ।