ବୁଗୁଡ଼ା : ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ଗତ ୩ ଦିନ ଧରି ଚାଲିଥିବା ବୁଦ୍ଧଖୋଲ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟ‌ାରେ ଓଡ଼ିଶାର ସୁପରିଚିତ ଗାୟକ ସତ୍ୟଜିତ ପ୍ରଧାନ ଓ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ମୁଖ୍ୟ ଆକର୍ଷଣ ଥିଲେ। ଉଭୟଙ୍କ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା। ସେହିପରି ସୁଧାକର ମିଶ୍ରଙ୍କ ଭଜନ ଭକ୍ତିମୟ ପରିବେଶ ସୃଷ୍ଟି କରିଥିବା ବେଳେ ରାଜୁ ଦାସଙ୍କ କମେଡ଼ି ଲୋକଙ୍କୁ ହସାଇ ବେଦମ୍ କରାଇଥିଲା। ସେହିପରି ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ସମ୍ବଲପୁରୀ, ସାଇଶ୍ରୀ ଏକାଡେମୀର ଓଡ଼ିଶୀ ନୃତ୍ୟ, କାନନକୁଟିର ମା’ କାଳୀ ଢୋଲ ଚାଙ୍ଗୁ ନୃତ୍ୟ, ଆଦିପୁରର ମା’ଠାକୁରାଣୀ ବାଘ ବୃଷଭ ନୃତ୍ୟ, ଗଜପତି ବନ୍ଦେ ମାତରଂ ଡ୍ୟାନ୍ସ୍ ଓ ମ୍ୟୁଜିକ୍ ସ୍କୁଲ୍, ଭଞ୍ଜନଗର ପ୍ରଜ୍ଞା ସଙ୍ଗୀତ ଓ ନୃତ୍ୟାୟନ କେନ୍ଦ୍ର, ପୁରୀ ଆଦିତ୍ୟ ଡ୍ୟାନ୍ସ ଗ୍ରୁପ, ବ୍ରହ୍ମପୁରର ସ୍କେଟିଂ ଡ୍ୟାନ୍ସ୍ ଗ୍ରୁପ, ବୁଗୁଡ଼ା ଓମ୍ ଡ୍ୟାନ୍ସ ଗ୍ରୁପ୍, ମହିଳା ମହାବିଦ୍ୟାଳୟ, ନିୟୁ ଏରା ପବ୍ଲିକ୍ ସ୍କୁଲ୍ ପକ୍ଷରୁ ନୃତ୍ୟ ପରିବେଷଣକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।

Advertisment

publive-image

ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡାଙ୍କ ପୌରୋହିତ୍ୟରେ ତୃତୀୟ ସନ୍ଧ୍ୟା ମଞ୍ଚକୁ ଗୋଲାପ ସାହୁ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍‌.ପି. ଜଗମୋହନ ମୀନା ଏବଂ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଗୋଷ୍ଠୀ ଶିକ୍ଷାଧିକାରୀ କବିବର ପ୍ରଧାନ ଓ ବୁଗୁଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ  ଧନ୍ୟବାଦ ଅର୍ପଣ କରିଥିଲେ।