କଳାହାଣ୍ଡିରୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ କରାଯାଉଥିବା ବେଳେ ୪୬ ପୋଢ଼ ଜବତ, ୧୬ ଅଭିଯୁକ୍ତ ଥାନାରେ ଅଟକ

କଲ୍ୟାଣସିଂହପୁର: କଳାହାଣ୍ଡିରୁ ଆନ୍ଧ୍ରପ୍ରଦେଶକୁ ପୋଢ଼ ଚାଲାଣ କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ୪୬ ପୋଢ଼ ଜବତ ହୋଇଛନ୍ତି। ଏହି ମାମଲାରେ ପୁଲିସ୍ ୧୬ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଧମୁନିପଙ୍ଗା ଘଞ୍ଚ ଜଙ୍ଗଲରୁ ୪୬ ପୋଢ଼ ଜବତ ହୋଇଛନ୍ତି। ସେହି ଘଞ୍ଚ ଜଙ୍ଗଲ ବାଟ ଦେଇ ୧୧ଟି ମାକ୍ସ ପିକଅପରେ ୪୬ଟି ପୋଢଙ୍କୁ ଧରି ଚୋରା ଚାଲାଣକାରୀମାନେ ଆନ୍ଧ୍ରପ୍ରଦେଶକୁ ଯାଉଥିଲେ।

କୌଣସି ସୂତ୍ରରୁ ପୁଲିସ୍ ଖବର ପାଇ ଉକ୍ତ ଜଙ୍ଗଲରେ ଚଢାଉ କରିଥିଲା। ସେଠାରୁ ୪୬ଟି ପୋଢଙ୍କୁ ଜବତ କରିବା ସହ ୧୬ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ୧୧ଟି ମାକ୍ସ ପିକଅପକୁ ବି ଜବତ କରିଛି ପୁଲିସ୍।

ସୂଚନାଯୋଗ୍ୟ କିଛି ଦିନ ତଳେ ଏହି ଅଞ୍ଚଳରୁ ୫ଟି ପିକଅପ ଗାଡ଼ି ଜବତ ହୋଇଥିଲା, ଯେଉଁଥିରେ ପୋଢ ଚୋରା ଚାଲାଣ କରାଯାଉଥିଲା। ଏହି ଚୋରା ଚାଲାଣକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସମ୍ବନ୍ଧିତ ଖବର