ବୁଗୁଡ଼ା : ଆବଶ୍ୟକ ଡାକ୍ତର ନାହାନ୍ତି କି, ପରୀକ୍ଷା ପାଇଁ ମେସିନ୍ ନାହିଁ। ଏଭଳି ପରିସ୍ଥିତିରେ ପୁରୁଣା କୋଠାକୁ ପୁନରୁଦ୍ଧାର ପାଇଁ ଭଙ୍ଗାଯିବା ପରେ କାମଚଳା ନୀତିରେ ଗ୍ୟାରେଜ୍ ଭିତରେ ଇନ‌ଡୋର୍ ରୋଗୀଙ୍କୁ ଚିକିତ୍ସା ଚାଲିଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଟାଣଖରାରେ ରୋଗୀ ଶେଯ ଉପରେ କଲବଲ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଡାକ୍ତରଖାନାରୁ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି।

Advertisment

କୋଟିଏ ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ନୂଆ କୋଠା ଛିଡ଼ା କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା କୋଠାକୁ ୩ ମାସ ହେଲା ଭାଙ୍ଗି ଦିଆଯାଇଛି। ଫଳରେ ବିକଳ୍ପ ପନ୍ଥା ଗ୍ରହଣ ସ୍ବରୂପ, ଗ୍ୟାରେଜ୍‌କୁ ‌ଇନ‌ଡୋର୍ ୱାର୍ଡ଼ କରାଯାଇଛି। ସେଠାରେ ଶଯ୍ୟା ପକାଯାଇ କାମଚଳା ନୀତିରେ ରୋଗୀଙ୍କ ଚିକିତ୍ସା ଚାଲିଛି। କିନ୍ତୁ ପ୍ରବଳ ଗରମରେ ରୋଗୀ ସିଝୁଥିବା ଦେଖିବାକୁ ମିଳୁଛି। ସଂପର୍କୀୟମାନେ ଏହାକୁ ନେଇ ଅସନ୍ତୋଷ ପ୍ରକଟ କଲେ ବି ନିରୁପାୟ ସାଜିଛନ୍ତି। ସେହିପରି ‌ଗୋଟିଏ ଛୋଟ କୋଠରିରେ ଆଉଟଡୋର୍ ଚାଲିଛି। ଜଣେ ମାତ୍ର ଡାକ୍ତର ଶତାଧିକ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ପ୍ରତିଦିନ ରୋଗୀ ଓ ତାଙ୍କ ସଂପର୍କୀୟ ପ୍ରବଳ ଖରାରେ ସେଡ୍‌ରେ ଅପେକ୍ଷା କରୁଛନ୍ତି।

ଅନ୍ୟପକ୍ଷରେ ନୂଆ କୋଠାର କାମ ଆଗାମୀ ଜୁଲାଇ ଭିତରେ କାମ ସାରିବାକୁ ଡେଡଲାଇନ୍ ଜାରି ହୋଇଥିଲା। କିନ୍ତୁ ବର୍ତ୍ତମାନସୁଦ୍ଧା ନିଅଁ କାମ ବି ଶେଷ ହୋଇ ନଥିବା ବେଳେ ଡେଡଲାଇନ୍ ଭିତରେ କାମ କେମିତି ସରିବ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ଏହି ଡାକ୍ତରଖାନା ଉପରେ ବୁଗୁଡ଼ା ଓ ଜଗନ୍ନାଥପ୍ରସାଦ ବ୍ଲକ୍‌ର ଲକ୍ଷାଧିକ ଲୋକେ ନିର୍ଭରଶୀଳ। କିନ୍ତୁ ସେବା ପାଇଁ ଆବଶ୍ୟକସଂଖ୍ୟକ ଡାକ୍ତର ବି ନାହାନ୍ତି। ଭେଷଜ, ଶଲ୍ୟ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ ସମେତ ଗୋଟିଏ ଏମବିବିଏସ୍ ଡାକ୍ତର ପଦବି ଖାଲି ପଡ଼ିଛି। ମେଡିକାଲ ଇନଚାର୍ଜ କେହି ନଥିବାରୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା.ଶୁଭାଶିଷ ପାଣିଗ୍ରାହୀ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ପଡୁଛି।  ରୋଗୀଙ୍କ ମାଗଣା ପରୀକ୍ଷା ପାଇଁ ‘ନିଦାନ’ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ହେଁ, ଏଠାରେ ମେସିନ୍ ସୁବିଧା ନଥିବା ଟେକ୍ନିସିଆନ୍ ନାହାନ୍ତି। ଏକ୍ସରେ ଓ ଅଟୋଆନାଲାଇଜର୍ ମେସିନ୍ ନଥିବା ବେଳେ ଲ୍ୟାବ୍ ଟେକ୍ନିସିଆନ୍ ଓ ରେଡ଼ିଓଗ୍ରାଫର୍ ପଦବି ଖାଲି ପଡ଼ିଛି। ଫଳ‌ରେ ରୋଗୀ ଘରୋଇ ନିଦାନ କେନ୍ଦ୍ର ଉପରେ ନିର୍ଭରଶୀଳ ହୋଇ ଖର୍ଚ୍ଚାନ୍ତ ହେଉଛି। ସାମାନ୍ୟ ଆହତଙ୍କୁ ବ୍ରହ୍ମପୁର ରେଫର୍ କରାଯାଉଛି।

publive-image

ଆଗରୁ ଏହି ଡାକ୍ତରଖାନାରେ ୧୬ଟି ଶଯ୍ୟା ଥିଲା। ନୂଆ କୋଠା ତିଆରି ହେଲେ ଶଯ୍ୟା ସଂଖ୍ୟା ୨୫କୁ ବୃଦ୍ଧି ପାଇବ। କିନ୍ତୁ ଡାକ୍ତର ନିଯୁକ୍ତି ସହ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ନକରି ନୂଆ କୋଠା ଛିଡ଼ା କଲେ ଲାଭ କଣ ହେବ ବୋଲି ମତପ୍ରକାଶ ପାଇଛି।