ବିଲ୍‌ଡର ପ୍ରେମାନନ୍ଦ ମହାପାତ୍ରଙ୍କ ଜାମିନ ଖାରଜ

କଟକ: ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଜମାକାରୀଙ୍କୁ ଜାଗା ସହ ଫ୍ଲାଟ ଯୋଗାଇଦେବା ଆଳରେ କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ବିଲଡର ପ୍ରେମାନନ୍ଦ ମହାପାତ୍ରଙ୍କ ଜାମିନ ଖାରଜ ହୋଇଛି। କଟକ ସ୍ୱତନ୍ତ୍ର ଅଦାଲତ ପ୍ରେମାନନ୍ଦଙ୍କ ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ। ଆଜି ମାମଲାର ଶୁଣାଣି ସମୟରେ ଜାମିନ ଆବେଦନକୁ ବିରୋଧ କରି ଶ୍ରୀ ମହାନ୍ତି ଦର୍ଶାଇଥିଲେ ଯେ ଗୋଲଡେନ ଭିୟୁ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ମୁଖ୍ୟ ପ୍ରେମାନନ୍ଦଙ୍କ ବିରୋଧରେ ୪ କୋଟି ୩୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଛି। ଜମାକାରୀଙ୍କୁ ଫ୍ଲାଟ ଯୋଗାଇ ଦେବା ନାଁରେ ଏକ ବ୍ୟାଙ୍କରୁ ଜମାକରୀଙ୍କୁ ଋଣ କରାଇବାରେ ସଂସ୍ଥା ସାହାଯ୍ୟ କରିଥିଲା। ହିତାଧିକାରୀଙ୍କୁ ଋଣ ମଞ୍ଜୁର ପରେ ଏହି ଅର୍ଥ ସଂସ୍ଥା ନେଇ ଯାଇଥିଲା କିନ୍ତୁ ଫ୍ଲାଟ ଯୋଗାଇ ନଥିଲା। ଅନ୍ୟ ପକ୍ଷରେ ବ୍ୟାଙ୍କ ଋଣ ପରିଶୋଧ ପାଇଁ ଜମାକାରୀଙ୍କୁ ନୋଟିସ୍‌ ଜାରି କରିଥିଲା। ୨୦୧୪ରୁ ଟଙ୍କା ନେଇ ସଂସ୍ଥା ଜମାକରୀଙ୍କୁ ଠକି ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରେମାନନ୍ଦ ଧରାଛୁଆଁ ଦେଇ ନଥିଲେ ବୋଲି ଶ୍ରୀ ମହାନ୍ତି ଯୁକ୍ତିରେ ଦର୍ଶାଇଥିଲେ। ଘଟଣାର ତଦନ୍ତ ଚାଲିଛି ଓ ଏପରି ପରିସ୍ଥିତିରେ ଆବେଦନକାରୀଙ୍କୁ ଜାମିନରେ ଛଡାଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର