କେନ୍ଦୁଝର: ବିକଶିତ ଭାରତ ଗଠନ ସମସ୍ତଙ୍କ ସଂକଳ୍ପ ହେବା ଆବଶ୍ୟକ। ଜନକଲ୍ୟାଣ ପାଇଁ ହୋଇଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମର ସଫଳ ରୂପାୟନ ସହ ଜନଜାତିଙ୍କ ଆସ୍ଥାଭାଜନ ହେବାକୁ ସରକାରୀ କର୍ମଚାରୀମାନେ ଅଙ୍ଗୀକାରବଦ୍ଧ ହେବାକୁ ରାଜ୍ୟପାଳ ରଘୁବର ଦାସ ପରାମର୍ଶ ଦେଇଛନ୍ତି। ଆଜି ରାଜ୍ୟପାଳ ଶ୍ରୀ ଦାସ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବା ସହ କେନ୍ଦୁଝର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଏହା କହିଛନ୍ତି।

Advertisment

ଦେଶରେ ସ୍ୱାଧୀନତା ହାସଲର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଛି। ଏହି ଅବସରରେ ଦେଶର ପ୍ରତ୍ୟେକ ସଂଗ୍ରାମୀଙ୍କ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ସମ୍ବଳିତ ଜୀବନାବଳୀକୁ ଲୋକଲୋଚନକୁ ଆଣି ଯଥୋଚିତ ସମ୍ମାନ ପ୍ରଦାନ କରାଯାଉଛି। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବାସ୍ତବରେ ଜନଜାତି ସମ୍ପ୍ରଦାୟର ସାମୂହିକ ବିକାଶ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରି ହିତାଧିକାରୀଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରିବା ଏବଂ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ଏହି ସଂକଳ୍ପ ଯାତ୍ରାର ଲକ୍ଷ୍ୟ ବୋଲି ରାଜ୍ୟପାଳ କହିଥିଲେ।
ଓଡ଼ିଶାରେ ୬୨ ପ୍ରକାର ଜନଜାତିର ଲୋକ ବାସକରନ୍ତି। ଏଥିରୁ ପ୍ରାୟ ୧୩ଟି ଆଦିମ ଜନଜାତି ବର୍ଗର। କେନ୍ଦୁଝର ମଧ୍ୟ ଏକ ଆଦିବାସୀ ବହୁଳ ଜିଲ୍ଲା। ଏହି ମାଟିର ଧରଣୀଧର ନାଏକ ତଥା ଅନ୍ୟ ବରପୁତ୍ରଙ୍କ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅବଦାନକୁ କେହି ଭୁଲି ପାରିବେ ନାହିଁ। ସଂକଳ୍ପ ଓ କ୍ରାନ୍ତିକୁ ଜାବୁଡ଼ି ଧରିଥିବା କେନ୍ଦୁଝର ଜିଲ୍ଲାରେ ଆସନ୍ତା ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିକଶିତ ସଂକଳ୍ପ ଯାତ୍ରାରେ ଏହି ଜିଲ୍ଲାର ବାସିନ୍ଦାମାନେ ବହୁଳ ଭାବେ ସାମିଲ ହେଇ ବିକାଶର ନୂତନ ଅଧ୍ୟାୟ ଯୋଡ଼ିବେ ବୋଲି ରାଜ୍ୟପାଳ କହିଛନ୍ତି। କେନ୍ଦୁଝର ମାଟିରେ ଉଭୟ କ୍ରାନ୍ତି ଓ ସଂକଳ୍ପର ଅପୂର୍ବ ସଙ୍ଗମ ଘଟିଛି। ଜନଜାତିଙ୍କ ମଧ୍ୟରେ ଅପୂର୍ବ ଏକତା ଦେଖିବାକୁ ମିଳିଥାଏ, ଯାହା ସେମାନଙ୍କୁ ସ୍ୱତନ୍ତ୍ର କରିଥାଏ। ଜନଜାତିଙ୍କର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ଓ କାର୍ଯ୍ୟକ୍ରମ କରାଯାଉଛି। ଫଳରେ ସେମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ପରିଲକ୍ଷିତ ହେଉଛି। ଆର୍ଥିକ ଓ ସାମାଜିକସ୍ତରରେ ସେମାନଙ୍କ ବିକାଶ, ପ୍ରତି ଯୋଜନାର ଲକ୍ଷ୍ୟ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନର ସିଧାପ୍ରସାରଣ କରାଯାଇଥିଲା। ଜିଲ୍ଲାପାଳ ଆଶିଷ ଠାକ୍‌ରେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ। ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ରଞ୍ଜନା ଚୋପ୍ରା, ଜିଲ୍ଲାପରିଷଦ ସଭାପତି ସାଗରିକା ସାହୁ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପତାକା ଦେଖାଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଡିଏମ୍‌ଏଫ୍‌ର ବରିଷ୍ଠ ଅଧିକାରୀ ଡ. ସତ୍ୟସ୍ୱରୂପ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜିଲ୍ଲାପାଳ ଆଶିଷ ଠାକ୍‌ରେ ଓ ଏସ୍‌ପି ନୀତିନ କୁଶଲକର ଡାଗୁଡ଼ଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହେଇଥିଲା।