ଭୁବନେଶ୍ୱର: ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯେଉଁ କେତେଜଣ ମହାମନୀଷୀ ଭାରତୀୟ ଶିକ୍ଷା, ସଂସ୍କୃତି ଓ ରାଷ୍ଟ୍ରବାଦର ଉତ୍‍ଥାନ କରିବା ପାଇଁ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ଅଗ୍ରଗଣ୍ୟ। ତାଙ୍କ ଜୀବନ ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇଥାଏ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ, ଡ. ମୁଖାର୍ଜୀଙ୍କ ଦ୍ୱାରା ଗଠିତ ଜନସଂଘ ବିଜେପିରେ ପରିଣତ ହେଲା ଏବଂ ସେ ଏହାର ପ୍ରତିଷ୍ଠାତା ରୂପେ ନାମିତ ହେଲେ। ତାଙ୍କ ବିଚାରଧାରା ଓ ସାଂସ୍କୃତିକ ରାଷ୍ଟ୍ରବାଦ ହିଁ ଭାରତୀୟ ଜନତା ପାର୍ଟିର ମୂଳମନ୍ତ୍ର। କାଶ୍ମୀର ଭାରତର ଅଭିନ୍ନ ଅଂଶ ଓ ଏଥିପାଇଁ କୌଣସି ବିଶେଷ ଧାରା ଦରକାର ନାହିଁ ବୋଲି ତାଙ୍କର ଦୃଢ଼ ମତ ଥିଲା। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସମ୍ବିଧାନର ୩୭୦ ଧାରା ଓ ୩୫(କ)ର ଉଚ୍ଛେଦ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ତାଙ୍କ ସ୍ୱପ୍ନ ଓ ସଂଘର୍ଷକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶ୍ୟାମାପ୍ରସାଦ ମୁଖାର୍ଜୀ ରିସର୍ଚ୍ଚ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅନିର୍ବାଣ ଗାଙ୍ଗୁଲି ଯୋଗ ଦେଇ ସ୍ୱର୍ଗତ ମୁଖାର୍ଜୀଙ୍କୁ ପରାଧୀନ ଭାରତରେ ଭାରତୀୟ ଭାଷାରେ ଶିକ୍ଷାର ଆଦି ପ୍ରବର୍ତ୍ତକ ବୋଲି କହିଥିଲେ। ଇତିହାସରେ ଭାରତୀୟ ଦୃଷ୍ଟିକୋଣର ସେ ପ୍ରସାର କରୁଥିଲେ ବୋଲି ସେ କହିଥିଲେ। 

ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କୁ ଇତିହାସର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ସମ୍ବୋଧିତ କରିଥିବା ବେଳେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କୁ ଅଖଣ୍ଡ ଭାରତର ପ୍ରତୀକ ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ  ବିଧାୟକ ବାବୁ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଗ୍ୟାଲେରିକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମୁଖାର୍ଜୀଙ୍କ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ତର୍କ ପ୍ରତିଯୋଗିତାର କୃତୀ  ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ସଂସ୍କୃତି ବିଭାଗ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।