ଭୁଶୁଡ଼ିଲା ୩ ମହଲା କୋଠା

ରାଉରକେଲା: ଆଜି ଅପରାହ୍ନ ପ୍ରାୟ ୧ଟାରେ ସେକ୍ଟର-୨୧ ନୟାବଜାର ବ୍ୟାଙ୍କ କଲୋନିର ଏକ ତିନି ମହଲା ପରିତ୍ୟକ୍ତ କୋଠା ହଠାତ୍‌ ଭୁଶୁଡି ପଡିଥିଲା। କବାଟ, ଝରକା ଓ ଇଟା ଚୋରି କରି ଆସୁଥିବା କିଛି ଅସାମାଜିକ ଯୁବକ ତା’ତଳେ ଚାପି ହୋଇ ରହି ଯାଇଥିବା ଆଶଙ୍କା କରି ସ୍ଥାନୀୟ ପୁଲିସ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଡିଏସ୍‌ପି ଅସୀମ ପଣ୍ଡା, ପ୍ଲାଣ୍ଟସାଇଟ୍‌ ପୁଲିସ, ଅଗ୍ନିଶମ ଅଧିକାରୀ ଓ ଓଡ୍ରାଫ୍ଟ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। କିନ୍ତୁ କୋଠା ତଳେ କାହାକୁ ପାଇ ନଥିଲେ। ସନ୍ଦେହ ହେବାରୁ ସର୍ଚ୍ଚ ଅପରେସନ୍‌ରେ ୩ଟି ସନ୍ଧାନୀ କୁକୁରକୁ ନିୟୋଜିତ କରାଯାଇଥିଲା। ଶେଷରେ କେହି କୋଠା ତଳେ ଚାପି ହୋଇ ରହି ନଥିବା ସ୍ପଷ୍ଟ ହୋଇଥିଲା। ସଂଧ୍ୟାରେ ଆର୍‌ଏମ୍‌ସି ଲ୍ୟାଣ୍ଡଗାର୍ଡ ଟିମ୍‌ ପହଞ୍ଚି ଭୁଶୁଡ଼ି ପଡିଥିବା ଅଂଶକୁ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ।

ନୟାବଜାର ବ୍ୟାଙ୍କ କଲୋନିରେ ଏହି ୩ ମହଲା କୋଠାରେ ଏକଦା ବ୍ୟାଙ୍କ ଅଫ୍‌ ବରୋଦାର ୪୦ଟି କ୍ବାର୍ଟର୍ସ ରହିଥିଲା। ପ୍ରାୟ ୪ ବର୍ଷ ତଳେ କୋଠାଟିକୁ ବିପଦସଙ୍କୁଳ ଘୋଷଣା କରାଯାଇ କର୍ମଚାରୀଙ୍କୁ ଖାଲି କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କୋଠାକୁ ଭାଙ୍ଗି ସେହି ସ୍ଥାନରେ ନୂଆ ବିଲ୍ଡିଂ ତିଆରି କରିବାକୁ ବ୍ୟାଙ୍କ ପକ୍ଷରୁ କଲିକତାର ଏକ ସଂସ୍ଥାକୁ ଠିକା ଦିଆଯାଇଥିଲା। ମାତ୍ର ସମ୍ପୃକ୍ତ ସଂସ୍ଥା ଆଜି ପର୍ଯ୍ୟନ୍ତ ପରିତ୍ୟକ୍ତ କୋଠାଟିକୁ ଭାଙ୍ଗି ନଥିବାରୁ ଆଜି ଏଭଳି ଅଘଟଣ ଘଟିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର