କଟକ -ବିଦ୍ୟାଧରପୁର: ରାଜ୍ୟର ଜୀବନ ରେଖା କୁହାଯାଉଥିବା ମହାନଦୀର ସ୍ଥିତିକୁ ନେଇ ଚାଲିଛି ଆଖିବୁଜା ଖେଳ। ମହାନଦୀ ପଠା ଜବରଦଖଲ, ବେଆଇନ ନିର୍ମାଣ ସହିତ ନଈକୁ ସିଧାସଳଖ ଆବର୍ଜନା ପାଣି ଛାଡ଼ି ପାଣିକୁ ଦୂଷିତ କରାଯାଉଥିବା ବେଳେ ସବୁଦେଖି ନ ଦେଖିଲା ଭଳି ରହିଛି ପ୍ରଶାସନ। ଅନ୍ୟପଟେ ନଈ ବନ୍ଧ ଭିତର ପଟକୁ ରହିଥିବା ଜମିର କିସମ ବଦଳାଇ ସେଠାରେ ସୁଉଚ୍ଚ ଅଟ୍ଟାଳିକା ଗୋଟିଏ ପରେ ଗୋଟିଏ ମୁଣ୍ଡ ଟେକୁଥିବା ବେଳେ ଏଥିପାଇଁ କିଏ ଅନୁମତି ଦେଉଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପ୍ରଶାସନ ଏ କ୍ଷେତ୍ର‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

Advertisment

ମହାନଦୀ ବନ୍ଧର ଦକ୍ଷିଣରେ ନଦୀକୂଳ ପର୍ଯ୍ୟନ୍ତ ‌ଏବେ ଶତାଧିକ ବେଆଇନ ଗୃହ ନିର୍ମାଣ କରାଯାଉଛି। ଶିଖରପୁରଠାରୁ ନଦୀକୂଳରେ ଗାନ୍ଧୀ ପଲ୍ଲୀ, କହ୍ନେଇପୁର, ଭଦିମୂଳ, ଗତିରାଉତପାଟଣା, ନିମେଇସାପୁର, ଆୟତ୍ତପୁର ସାରଦା, ଦାମୋଦରପୁର ପର୍ଯ୍ୟନ୍ତ ନଦୀକୂଳରେ ଜବରଦଖଲ ଓ ବେଆଇନ ଗୃହ ନିର୍ମାଣ ବ୍ୟାପକ ହେବାରେ ଲାଗିଛି। କହ୍ନେଇପୁର ମୌଜାରେ ୪୨୦ ଏକର ଜମି ନଦୀକୂଳରେ ରହିଛି। ଭଦିମୂଳରେ ୨୫୦ ଏକରରୁ ଅଧିକ ଜମି ନଦୀକୂଳରେ ରହିଛି। କହ୍ନେଇପୁର ମୌଜା ଭଦିମୂଳ ଆରମ୍ଭରୁ ଗାନ୍ଧୀପଲ୍ଲୀ ଶେଷ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଅଞ୍ଚଳର ବାସିନ୍ଦା ସୁଧାଂଶୁ ପଣ୍ଡା, ଦିଲୀପ ମହାନ୍ତି ପ୍ରମୁଖଙ୍କ ସୂଚନା ଅନୁଯାୟୀ ଏହି ଜମିରେ ପୂର୍ବରୁ ଧାନ, ମକ୍କା, ବାଜାର, ମୁଗ, ବିରି ଇତ୍ୟାଦି ଫସଲ ହେଉଥିଲା। ନଦୀ ବର୍ତ୍ତମାନର ବନ୍ଧଠାରୁ ଏକ କିଲୋମିଟର ଦୂରରେ ପ୍ରବାହିତ ହେଉଥିଲା। ବର୍ତ୍ତମାନ ନଦୀକୂଳ ଖାଇ ଖାଇ ଚାଲିଛି। କିନ୍ତୁ, ୧୯୭୪ ମସିହାରେ ନଦୀକୂଳ ଜମିସବୁର  ସ୍ଥିତିବାନ ପଟ୍ଟା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଜମିକୁ ସ୍ଥାନୀୟ ଲୋକଙ୍କଠାରୁ ଶାଗମାଛ ଦରରେ କିଣି ଜମିଦଲାଲ ମାନେ ୧୫ ରୁ ୨୦ ଲକ୍ଷ ଟଙ୍କା ଗୁଣ୍ଠରେ ବିକ୍ରି କରିବା ଆରମ୍ଭ କରିଥିଲେ। ତହସିଲରେ ଏସବୁ ଜମିର କିସମକୁ ଘରବାଡ଼ିରେ ପରିବର୍ତ୍ତନ କରିଥିଲେ।

ଅନ୍ୟ‌ପଟେ ଜମି କିଣିବା ପରେ ସିଡିଏର ବିନା ଅନୁମତିରେ ଲୋକ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ନଈ ବନ୍ଧ ଭିତର ପଟେ ଆବାସିକ ଅଞ୍ଚଳ ନିର୍ମାଣ ପାଇଁ କୌଣସି ପରିସ୍ଥିତିରେ ଅନୁମତି ମିଳିବ ନାହିଁ। ଅଞ୍ଚଳର ବର୍ଜ୍ୟଜଳ ନିଷ୍କାସନ, ନଈ ପାଣି ପ୍ରବାହରେ ପ୍ରତିବନ୍ଧକ, ରାସ୍ତା, ଡ୍ରେନ ନିର୍ମାଣ ଭଳି ବିଭିନ୍ନ କାରଣରୁ ନଈ ଭିତ‌ର ପଟେ ଆବାସିକ ଅଞ୍ଚଳ ସଂପୂର୍ଣ୍ଣ ନିଷେଧ ବୋଲି ଅବସରପ୍ରାପ୍ତ କରି ସୁନିଲ ଦାସ କହିଛନ୍ତି। କିନ୍ତୁ, ଲୋକେ ଏଠାରେ ବିନା ଅନୁମତିରେ ଘର ତିଆରି କରି ଚାଲିଥିବା ବେଳେ ଏହା ଦ୍ବାରା ମହାନଦୀ କ୍ଷତିଗ୍ରସ୍ତ ହୋଇ ଚାଲିଛି। ସବୁ ବର୍ଜ୍ୟଜଳ ସିଧାସଳଖ ମହାନଦୀରେ ମିଶୁଛି। ଧୀରେ ଧୀରେ ନଈ ଭିତର ପଟେ ମଣ୍ଡପ ଆଉ ବିଭିନ୍ନ କାରଖାନା ବି ମୁଣ୍ଡ ଟେକିଲାଣି। କିନ୍ତୁ ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଓ ସିଡିଏର ନିରବତା ଜମି ମାଫିଆଙ୍କୁ ପ୍ରୋତ୍ସାହିତ କରି ଚାଲିଛି। ମହାନଦୀକୁ ମାରି ଦେବାକୁ ଚାଲିଥିବା ପ୍ରକ୍ରିୟାରେ ଶୋଇ ରହିଥିବା ପ୍ରଶାସନର ନିଦ କେବେ ଭାଙ୍ଗିବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।