କଟକ ସହରରେ କୋହଳ ହେବ ଗୃହ ନିର୍ମାଣ ନିୟମ

୪୩ଟି ୱା‌ର୍ଡ ପାଇଁ ସିଡିଏ ଜାରି କରିବ ନୂତନ ଅଧିନିୟମ

କଟକ : ଗଳିକନ୍ଦିର ସହର କଟକରେ କୋହଳ ହେବ ଗୃହ ନିର୍ମାଣ ନିୟମ। କଟକ ସହରରେ ପୁରୁଣା ଅଣଓସାରିଆ ରାସ୍ତା ଦେଇ ସଂଯୋଗ କରୁଥିବା ଛୋଟ ଛୋଟ ଜମି ବା ୱାର୍ଡରେ ନିର୍ମାଣ କାର୍ଯ୍ୟ କରିବା କିଭଳି ସହଜ ହୋଇପାରିବ ଏବଂ ସେଥିପାଇଁ କିଭଳି ଆବଶ୍ୟକ ପ୍ଲାନ୍ ମଞ୍ଜୁର କରାଯାଇପାରିବ, ସେନେଇ ଏକ ନୂତନ ନିୟାମକ ପ୍ରଣୟନ ହେବ।

ଏ ସଂକ୍ରାନ୍ତରେ ଶୁକ୍ରବାର ଅପରାହ୍ନରେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏକ ‘ଡ୍ରାଫ୍ଟ ରେଗୁଲେସନ୍‌’ ପ୍ରସ୍ତୁତ ପାଇଁ ଆଲୋଚନା କରାଯାଇଛି। ପୂର୍ବରୁ ଥିବା ବିଲ୍ଡିଂ ପ୍ଲାନ୍ ନିୟମରେ କେତେକ କୋହଳ ନୀତି ଅବଲମ୍ବନ କରାଯାଇ ସହରବାସୀଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ କରାଯିବ। ସହରର ସିଡିଏ ଓ ମହାନଦୀ ବିହାର ଅଂଚଳକୁ ବାଦ୍‌ଦେଲେ ଅନ୍ୟ ୪୩ଟି ୱାର୍ଡରେ ଏହାକୁ କାର୍ଯ୍ୟକାରୀ କରାଯିବ। କ୍ରସିଲ୍‌ ନାମକ ଏକ ସଂସ୍ଥାକୁ ଏହାର ସର୍ଭେ ଦାୟିତ୍ବ ଦିଆଯାଇଥିବା ବେଳେ ଏହି ସଂସ୍ଥା ପ୍ରଦାନ କରିଥିବା ରିପୋର୍ଟ ଅନୁସାରେ ଆଜି କୋର୍‌ ଏରିଆ ରେଗୁଲେସନ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

କଟକ ସହର ହଜାରେ ବର୍ଷରୁ ଅଧିକ ପୁରାତନ ସହର। ଏହି ସହର ଗଳିକନ୍ଦିପୂର୍ଣ୍ଣ ଓ ବସବାସ ବ୍ୟବସ୍ଥା ପ୍ରାୟତଃ ଅଂସଗଠିତ। ଯେଉଁଥିପାଇଁ ସାଧାରଣ ଲୋକେ ଗୃହ ନିର୍ମାଣ ପାଇଁ ନୂତନ ପ୍ଲାନ୍ ସ୍ୱୀକୃତି ପାଇବା ସମ୍ଭବ ହୋଇନଥାଏ। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରୁଣା ସହରର କୋର୍ ଏରିଆ ଉନ୍ନତିକରଣ ପାଇଁ ‘ସିଡିଏ ପ୍ଲାନିଂ ଆଣ୍ଡ ବିଲ୍ଡିଂ ରେଗୁଲେସନ’ ପ୍ରସ୍ତୁତ କରାଯିବ। ଫଳରେ ସହରରେ ସଂଗଠିତ ବିକାଶର ଭିତ୍ତିଭୂମି ପ୍ରତିଷ୍ଠା ହୋଇପାରିବ। ବିଶେଷକରି, ଏହି ନିୟାମକ ବଳରେ ଚାରିପଟୁ ବନ୍ଦ ଥିବା ଜମିଗୁଡିକର ଏକ ସୁସଂଗଠିତ ଢଙ୍ଗରେ ବ୍ୟବହାର କରାଯାଇପାରିବ। ବର୍ଷ ବର୍ଷ ଧରି ଟାଉନ୍‌ ପ୍ଲାନିଂ ଅନୁମୋଦନ ପାଇପାରୁ ନଥିବା ଲୋକେ ଗୃହ ନିର୍ମାଣ ଆଇନ କୋହଳ କରାଗଲେ ଉପକୃତ ହୋଇପାରିବେ। ପୂର୍ବରୁ ଯେଉଁ ନିୟମ ରହିଛି, ତା’ଦ୍ବାରା କଟକ ସହରରେ ଅନେକ ସ୍ଥାନରେ ଜାଗା ଥାଇ ବି ଗୃହ ଅଥବା ଆପାର୍ଟମେଣ୍ଟ ତିଆରି ହୋଇପାରୁନି।

ବିଜୁଭବନରେ ଅନୁଷ୍ଠିତ ଏହି ବୈଠକରେ ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ପ୍ଲାନିଂ ଆଣ୍ଡ ଡେଭଲପ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅଶୋକ କୁମାର ଶର୍ମା, କର୍ପୋରେଟର ଚନ୍ଦନ ଜେନା ଓ ଅରୁନ୍ଧତି କର, ସିଡିଏ ପ୍ଲାନିଂ ମେମ୍ବର, ଡେଭଲପର୍ସ, ଆର୍କିଟେକ୍ଟ କଲେଜର ଡିନ୍‌, ରାଜ୍ୟର ମୁଖ୍ୟ ସ୍ଥପତି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସମ୍ବଲପୁର, ରାଉରକେଲା ତଥା ବିଭିନ୍ନ ଜିଲ୍ଲାର ଟାଉନ୍‌ ପ୍ଲାନର, ବିଲଡର, ଆର୍କିଟେକ୍ଟ୍ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର