ରାୟଗଡ଼ା: ଗାଁକୁ ରାସ୍ତା ପାଇଁ ବାଧକ ସାଜିଥିଲା ପାହାଡ଼ ଓ ସଂରକ୍ଷିତ ଜଙ୍ଗଲ। ବାରମ୍ବାର ନେହୁରା ସତ୍ତ୍ବେ କେହି ଶୁଣୁନଥିଲେ। ଫଳରେ ଜୀବନ ଜୀବିକା ପାଇଁ ପାଦଚଲା ଓ ଜରୁରିକାଳୀନ ସମୟରେ ପଡୋଶୀ କୋରାପୁଟ ଜିଲ୍ଲାର ରାସ୍ତା ୪ ଗ୍ରାମବାସୀଙ୍କ ଯାତାୟାତର ମାଧ୍ୟମ ପାଲଟିଥିଲା। ଶେଷରେ ସ୍ବାଧୀନତାର ୭୪ ବର୍ଷ ପରେ ରାୟଗଡ଼ା ବ୍ଲକ୍ ନାକେଟି ପଞ୍ଚାୟତର ଦୁର୍ଗମ ଗ୍ରାମ ଟୁଡୁ‌ଲେଲରୀକୁ ରାସ୍ତା ଛୁଇଁବା ପରେ ସେମାନଙ୍କ ଭାଗ୍ୟ ଖୋଲିଛି। ଯାହା ଅନ୍ୟ ୩ ଦୁର୍ଗମ ଗ୍ରାମ ପାଙ୍ଗାଲେଲରୀ, ପରମଝୋଲା, କାଲୁଗାଁବାସୀଙ୍କ ଭାଗ୍ୟ ଖୋଲିବାରେ ସହାୟକ ହେବ।

Advertisment

ରାୟଗଡ଼ା ବ୍ଲକ୍ ନାକେଟି ପଞ୍ଚାୟତର ନାକେଟି-ବଜରଗୁଡ଼ା-କାଲୁଗାଁ ଦେଇ ଟୁଡୁଲେଲରୀକୁ ପାଦ ଚଲା ରାସ୍ତା ରହିଛି। ଘାଟ କଟିଂରେ ସମସ୍ୟା, ଜଙ୍ଗଲ ବିଭାଗ ଅନୁମତି ନ ମିଳିବା କାରଣରୁ ରାସ୍ତା ତିଆରି ହୋଇପାରୁନଥିବାରୁ ୪ ଗ୍ରାମବାସୀ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଦେଇ ପଞ୍ଚାୟତ ସଦର ମହକୁମା ନାକେଟିକୁ ଆସୁଥିଲେ। ୬୫ କିମିରୁ ଅଧିକ ରାସ୍ତା ଅଟୋ-ଭ୍ୟାନରେ ଆସିବା ପରେ ଗ୍ରାମବାସୀ ପିଡିଏସ୍ ଚାଉଳ ସହ ଅନ୍ୟ ସରକାରୀ ସୁବିଧା ସୁଯୋଗ ପାଉଥିଲେ। ଯେଉଁଥି ପାଇଁ ଗ୍ରାମବାସୀଙ୍କୁ ଗାଡ଼ି ଭଡ଼ା ବାବଦକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଟୁଡୁଲେଲରୀ‌ରେ ୨୧ ପରିବାର, ପରମଝୋଲାରେ ୮ ପରିବାର, କାଲୁଗାଁରେ ୧୨ ପରିବାର, ପାଙ୍ଗାଲେଲରୀରେ ୩୨ ପରିବାର ବସବାସ କରି ଆସୁଛନ୍ତି।

କିନ୍ତୁ ଏହି ସବୁ ଗାଁକୁ ନିତିଦିନିଆ ରାସ୍ତା ନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗରୁ ଗ୍ରାମବାସୀ ବଞ୍ଚିତ ହୋଇ ଆସୁଥିଲେ। ଗାଁକୁ ରାସ୍ତା ନଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ସହଯୋଗ ଏବଂ ଲୋକଙ୍କ ଉଦ୍ୟମରେ ବିଦ୍ୟୁତ୍ ସେବା ପହଞ୍ଚିଛି। ବିଶୁଦ୍ଧ ପାନୀୟ ଜଳ ପାଇଁ ପ୍ରକଳ୍ପ ନଥିଲେ ମଧ୍ୟ ଝରଣା ପାଣିକୁ ପାହାଡ଼ ଉପରେ ଟାଙ୍କି ନିର୍ମାଣ କରି ଗାଁକୁ ଯୋଗାଇ ଦିଆଯାଇଛି। ଯାହା ଲୋକଙ୍କ ‌ଶୋଷ ମେଣ୍ଟାଇବାରେ ସକ୍ଷମ ହୋଇଛି। କିନ୍ତୁ ରାସ୍ତା ସମସ୍ୟାକୁ ନେଇ ୭୪ ବର୍ଷ ହେଲା ଲାଗି ରହିଥିବା ଦୁର୍ଦ୍ଦଶାରୁ ମୁକ୍ତ ହୋଇଛନ୍ତି ଗ୍ରାମବାସୀ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ କାରାଘାଟିକୁ ଲକ୍ଷ୍ମୀପୁର ବ୍ଲକ୍ ପକ୍ଷରୁ ମନରେଗା ଯୋଜନାରେ ରାସ୍ତା ତିଆରି ସରିଛି। କାରାଘାଟିରୁ ଟୁଡୁଲେଲରୀକୁ ରାସ୍ତା ନିର୍ମାଣ ସହଜ ଥିବାରୁ ମନରେଗା ଯୋଜନାରେ ଘାଟ କଟିଂ କରି ରାସ୍ତା ତିଆରି କରିବାରେ ସକ୍ଷମ ହୋଇଛି ରାୟଗଡ଼ା ବ୍ଲକ୍ ପ୍ରଶାସନ।

ଖୁବ୍ ଶୀଘ୍ର ଏହି ରାସ୍ତା ନିତିଦିନିଆ ରାସ୍ତାରେ ପରିଣତ ହେବ ବୋଲି କହିଛନ୍ତି ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତ। ବିଡ଼ିଓ ଶ୍ରୀ ସାବତ, ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ୍, ଯୋଗାଣ ନୀରିକ୍ଷକଙ୍କ ସହ ଗାଁରେ ପହଞ୍ଚି ଲୋକଙ୍କ ସୁଖ ଦୁଃଖ ସଂପର୍କରେ ଆଲୋଚନା କରିଛନ୍ତି। ରାସ୍ତା ନିର୍ମାଣ ଶେଷ ହୋଇଥିବାରୁ ପିଡିଏସ୍ ଦୁଃଖ ଦୂର ପାଇଁ ଖୁବ୍ ଶୀଘ୍ର ଟୁଡୁଲେଲରୀ କିମ୍ବା ପାଙ୍ଗାଲେଲରୀରେ ସବ୍ ସେଣ୍ଟର୍ ନିର୍ମାଣ କରି ଚାଉଳ ଯୋଗାଇ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି।