ପୁରୀ: ବେଳାଭୂମିର ସୌନ୍ଦର୍ଯ୍ୟୀକରଣ ପାଇଁ ୧୦୨କୋଟି ଟଙ୍କା ବିନିଯୋଗରେ ବ୍ୟବସାୟୀଙ୍କୁ ବ୍ୟବସ୍ଥିତ କରିବା ଲାଗି ୧୨୦ଟି କିଓସ୍କ ନିର୍ମିତ ହୋଇଛି। ଅଥଚ ଉପଯୋଗ ହେଉନଥିବାରୁ ଏହା ଖତ ହେବାରେ ଲାଗିଛି। ବେଳାଭୂମିରେ ବ୍ୟବସାୟୀମାନେ ଏଣେତେଣେ ବସୁଥିବାରୁ ସେମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ବସାଇବା ପାଇଁ ରୂପରେଖ ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ରାଜ୍ୟ ସରକାର ଅବଢ଼ା ଯୋଜନାରେ ବେଳାଭୂମିର ବିକାଶ ଲାଗି ୧୦୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ସେଥିରେ ବ୍ୟବସାୟୀମାନଙ୍କ ଲାଗି କିଓସ୍କ ନିର୍ମିତ ହେବା ସହ ସେମାନଙ୍କୁ ଥଇଥାନ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବେଳାଭୂମି ପରିସରରେ ମୋଟ୍ ୬୬୬ଟି କିଓସ୍କ ସ୍ଥାପନ ହେବା ନେଇ ଯୋଜନା ହେଲା। ପ୍ରଥମ ପର୍ଯ୍ୟାୟରେ ଓବିସିସି ତତ୍ତ୍ବାବଧାନରେ ଦେଢ଼ ବର୍ଷ ତଳେ ୧୨୦ଟି କିଓସ୍କ ନିର୍ମିତ ହୋଇ ଆସିଲା। ସମୁଦ୍ରକୂଳ ଲୁଣାପବନ ବାଜି ଯେପରି କିଓସ୍କଗୁଡ଼ିକ ଶୀଘ୍ର ନଷ୍ଟ ହୋଇନଯାଏ ସେଥିପାଇଁ ଉଚ୍ଚ ଗୁଣମାନର କଳଙ୍କି ନିରୋଧ କିଓସ୍କ ପ୍ରସ୍ତୁତ ହୋଇଛି ବୋଲି କୁହାଗଲା। ଫାଇବର ଓ ରବର ସହ ଲୁହାର ବିନିଯୋଗରେ ଉଚ୍ଚ ଗୁଣମାନର କିଓସ୍କ ପ୍ରସ୍ତୁତ ହୋଇଛି ସତ, କିନ୍ତୁ ମାସମାସ ଧରି ଏହା ଖରାବର୍ଷା ଓ ଲୁଣାପବନରେ ନଷ୍ଟ ହୋଇଗଲାଣି। ଯେଉଁ ଉଦ୍ଦେଶ୍ୟ ନେଇ କିଓସ୍କଗୁଡ଼ିକ ନିର୍ମିତ ହେଲା, ତାହା ପ୍ରଶାସନକୁ ଏଯାଏ ହସ୍ତାନ୍ତର ହେଲାନାହିଁ। ଫଳରେ ଏହା ଏଯାଏ ବ୍ୟବସାୟୀମାନଙ୍କୁ ଦିଆଗଲା ନାହିଁ। ତେଣୁ ବ୍ୟବସାୟୀମାନେ ପୂର୍ବବତ ପୁଣି ଖୋଲାମେଲାରେ ପସରା ମେଲାଇ ବସି ବେପାର କରୁଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନଙ୍କୁ ଦୃଷ୍ଟିରେ ରଖି ୬୬୬ଟି କିଓସ୍କ ସ୍ଥାପନ ପାଇଁ ପ୍ରାଥମିକ ଭାବେ କୁହାଯାଇଥିଲା। କିନ୍ତୁ ୧୨୦ଟିରେ ସୀମିତ ରହିଗଲା। ଏଣେ ବେଳାଭୂମିରେ ବ୍ୟବସାୟୀମାନଙ୍କର ଲମ୍ବା ତାଲିକା ଥିବାରୁ, ୧୨୦ଟି କିଓସ୍କ ୬୫୦ରୁ ଊର୍ଦ୍ଧ୍ବ ବ୍ୟବସାୟୀମାନଙ୍କ ମଧ୍ୟରେ କିଭଳି ବଣ୍ଟନ କରାଯିବ ସେନେଇ ଦ୍ବନ୍ଦ୍ବ ଉପୁଜିଲାଣି।
ଏ ବାବଦରେ ଓବିସିସିର ଇଂ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ସମସ୍ତ କିଓସ୍କ ସ୍ଥାପନ ହେବା ପରେ ସେଥିରେ ତାଲା ପକାଯାଇଥିଲା। ଚାରିପଟେ ଅସ୍ଥାୟୀ ବାଡ଼ା ଘେରାଯାଇଥିଲା। ତଥାପି ବହୁ କିଓସ୍କର ତାଲା ଭଙ୍ଗାଯାଇଛି। କିଛି ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତେବେ ଏସବୁକୁ ପ୍ରଶାସନକୁ ହସ୍ତାନ୍ତର କରିବା ନେଇ ଖୁବଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ, ଏହା ପୌରପାଳିକାକୁ କିମ୍ବା ଅନ୍ୟ ପ୍ରଶାସନିକ ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ସେହିପରି ୧୨୦ଟି କିଓସ୍କ ନିର୍ମିତ ହୋଇଥିଲେ ହେଁ ଯୋଜନା ମୁତାବକ ଆଉ ୫୪୬ଟି କିଓସ୍କ ନିର୍ମିତ ହେବ ନାହିଁ ବୋଲି ପ୍ରଶାସନିକ ସ୍ତରରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇସାରିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/gdjjgjgdjgy.jpg)