ଓଡ଼ିଶାରେ ବୁଲ୍‌ବୁଲ୍‌ର ପ୍ରଭାବରେ ଚାଲିଛି ଝଡ଼ିବର୍ଷା, ତଳିଆ ଅଞ୍ଚଳକ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଉଛି

ଭୁବନେଶ୍ୱର: ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବରେ  ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଜୋରରେ ପବନ ବହିବ।  ପାଣିପାଗ ବିଭାଗ ସୂତ୍ର ଅନୁସାରେ ବାତ୍ୟା ସମୟରେ ପବନର ବେଗ ସର୍ବାଧିକ ୮୦ରୁ ୯୦ କିଲୋମିଟର ରହିବା ବେଳେ ପ୍ରବଳ ବର୍ଷା ଲାଗି ରହିବ। ଆଜି ରାତି ୧୨ଟାରୁ କାଲି ଦିନ ୧୨ଟା ଯାଏ ସତର୍କ ରହିବା ପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ଅଞ୍ଚଳରେ ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛି। ବର୍ତ୍ତମାନ ପାରାଦୀପଠାରୁ ୨୨୦ କିମି ଦୂରରେ ଥିବା ବୁଲବୁଲ୍ ୧୬ କିଲୋମିଟର ବେଗରେ ଗତି  କରୁଛି।   ଏହାର ପ୍ରଭାବରେ ପବନ, ବର୍ଷା ଜାରି ରହିଛି। ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ। ଆବଶ୍ୟକ ପଡ଼ିଳେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ମିଳିଛି।

ଜଗତସିଂହପୁରରେ ସମୁଦାୟ ୨୧୯ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି। ପାରାଦୀପରେ ୧୯ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଥିବା ବେଳେ ତିର୍ତୋଲରେ ୨୦୦ ଜଣଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ପାରାଦୀପ ବନ୍ଦର ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୬୦ରୁ ୭୦ କିମି ବେଗରେ ପବନ ବହୁଛି।

କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ମଧ୍ୟ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି। ସମୁଦ୍ରକୂଳିଆ ପେଣ୍ଠ ଅଞ୍ଚଳର ୨୦୦ରୁ ୨୫୦ ଲୋକଙ୍କୁ ପାଇଁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ବାତ୍ୟା ଅଶଙ୍କା ବଢ଼ିଯିବାରୁ ପେଣ୍ଠର ଅଧିକାଂଶ ଲୋକଙ୍କର ମାଟି ଘର ହୋଇଥିବା ହେତୁ ସେମାନଙ୍କୁ ପେଣ୍ଠ ଆଶ୍ରୟସ୍ଥଳୀକୁ ନିଆଯାଇ ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

www.dinalipi.com

ବାଲେଶ୍ୱରରେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଚାଲିଛି। ଜିଲ୍ଲାରେ ସର୍ବାଧିକ ୭୦ରୁ ୮୦ କିଲୋମିଟର ବେଗରେ ପବନ ବୋହି ପାରେ ବୋଲି ସୂଚନା ରହିଛି। ତଳିଆ ଅଞ୍ଚଳରେ ପାଣି ପଶିପାରେ। ସମସ୍ତ ମତ୍ସ୍ୟଜୀବୀ ଗତକାଲିଠାରୁ ସୁରକ୍ଷିତ ଅବସ୍ଥାରେ ସମୁଦ୍ରରୁ ଫେରି ଆସିଛନ୍ତି।

ଭଦ୍ରକରେ ମଧ୍ୟ ସ୍ଥିତି ଆୟତ୍ତ ଭିତରେ ରହିଛି। ପଶ୍ଚିମବଙ୍ଗର ମତ୍ସ୍ୟଜୀବୀମାନେ ଧାମରା ଆଶ୍ରୟସ୍ଥଳୀଠାରେ ପହଞ୍ଚି ଆଶ୍ରୟ ନେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଉଦ୍ଧାର ହୋଇଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହ ଖାଦ୍ୟ ପାନୀୟର ବନ୍ଦୋବସ୍ତ କରାଯାଉଛି।

ସମ୍ବନ୍ଧିତ ଖବର