ବୁଲିବାଇ ଆପ୍‌ ମାମଲା: ବାନ୍ଦ୍ରା କୋର୍ଟରେ ୯୧୭ ପୃଷ୍ଠାର ଚାର୍ଜସିଟ୍

ଝାରସୁଗୁଡ଼ାର ନିରଜ ସମେତ ୬ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍

ଭୁବନେଶ୍ବର : ବୁଲିବାଇ ଆପ୍‌ ମାମଲାରେ ଝାରସୁଗୁଡ଼ା ଲମଟିବାହାଲ ଅଞ୍ଚଳରୁ ଗିରଫ ହୋଇଥିବା ବି.ଟେକ୍ ଛାତ୍ର ନିରଜ କୁମାର ନୁନଵାସିଂହଙ୍କ ସମେତ ୬ଜଣଙ୍କ ବିରୋଧରେ ମୁମ୍ବାଇ ସାଇବର ସେଲ୍ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। ବାନ୍ଦ୍ରା କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜସିଟ୍‌ରେ ଅଭିଯୁକ୍ତମାନଙ୍କ ବିରୋଧ‌ରେ ୧୦ଟି ସଙ୍ଗିନ ଦଫା ଲାଗିଛି। ପ୍ରାୟ ୯୧୭ପୃଷ୍ଠାର ଏହି ଚାର୍ଜସିଟ୍‌ରେ ଉଲ୍ଲେଖ ହୋଇଛି, ବୁଲିବାଇ ଆପ୍ ତିଆରି ପଛରେ ନିରଜଙ୍କ ପ୍ରମୁଖ ଭୂମିକା ରହିଛି। ଏହି ଆପ୍‌ରେ ଶତାଧିକ ମୁସଲିମ୍ ମହିଳାଙ୍କ ଫଟୋ ଅପଲୋଡ୍ କରାଯାଇଥିଲା। ପ୍ରତିଦିନ ଜଣେ ମହିଳାଙ୍କ ଫଟୋକୁ ଅନ୍‌ଲାଇନ୍ ନିଲାମ ଡକାଯାଉଥିଲା। ସେମାନଙ୍କ ମୁହଁକୁ ବିଭିନ୍ନ ଅଶ୍ଳୀଳ ଫଟୋ ସହିତ ଯୋଡ଼ି ଦିଆଯାଇଥିଲା। ଏହା ପରେ ସେଥିରେ ଅଶ୍ଳୀଳ କମେଣ୍ଟ୍ ଲେଖାଯାଇ ନିଲାମରେ ଥିବା ଲୋକଙ୍କ ପାଖକୁ ପଠାଇ ଦିଆଯାଉଥିଲା। ଗୀତ୍‌ହବ ସାମାଜିକ ଗଣମାଧ୍ୟମରେ ଏହି ଆପ୍‌ ଦ୍ବାରା ଏଭଳି ବିକୃତ କାମ ଚାଲିଥିଲା। ଦିଲ୍ଲୀର ଜଣେ ମୁସଲିମ୍ ସାମ୍ବାଦିକା ଏହି ଆପ୍‌ରେ ତାଙ୍କ ଫଟୋ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତମାନେ ଏହି ଆପ୍ ଜରିଆରେ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଉପୁଜାଇବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ତଦନ୍ତରେ ପୁଲିସ ଆହୁରି ସୂଚନା ଦେଇଛି, ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ବ୍ରଜରାଜନଗରର ନୀରଜ ସିଂହଙ୍କ ସମେତ ଶ୍ବେତା ସିଂହ, ମୟଙ୍କ ରାଵତ ଓ ନୀରଜ ବିଷ୍ଣୋଇ ସେମାନଙ୍କ କମ୍ପ୍ୟୁଟରରୁ ସମସ୍ତ ତଥ୍ୟ ହଟାଇ ଦେଇଥିଲେ। ମାତ୍ର ବେଙ୍ଗାଲୁରୁର ସୁଧୀର କୁମାର ଝା ଓ ମଧ୍ୟପ୍ରଦେଶର ଅଖିଳେଶ୍ବର ଠାକୁରଙ୍କ କମ୍ପ୍ୟୁଟର୍‌ରୁ ମିଳିଥିବା ତଥ୍ୟ ଓ ପ୍ରମାଣ ଆଧାରରେ ୪ ଅଭିଯୁକ୍ତଙ୍କ ସଂପୃକ୍ତି ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର