ଭୁବନେଶ୍ବର : ନୂଆଦିଲ୍ଲୀରେ ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀଙ୍କ ୩୧୨୧ତମ ବଲ୍କ୍ ଏଲ୍ପିଜି ଟ୍ୟାଙ୍କର(ବିଏଲ୍ଟିଟି)ର ଆଜି ଶୁଭାରମ୍ଭ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବା ସହ ଏସ୍ସି/ଏସ୍ଟି ଉଦ୍ୟୋଗୀ ସମୂହଙ୍କ ସ୍ବତନ୍ତ୍ର ଜାତୀୟ ଭେଣ୍ଡର୍ ଡେଭଲପ୍ମେଣ୍ଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ କହିଥିଲେ, ପୂର୍ବରୁ କେବଳ ଏସ୍ସି/ଏସ୍ଟି ସମାଜ ପାଇଁ ସଂରକ୍ଷଣ ଓ ବୃତ୍ତି ବ୍ୟବସ୍ଥା ଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ମାଲିକ ହେବାର ସ୍ବପ୍ନକୁ ସାକାର କରିଛନ୍ତି। ସରକାର ଏହି ବର୍ଗର ଲୋକମାନଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ମୋଦୀ ସରକାରରେ ଆଗାମୀ ଦିନରେ ଏସ୍ସି/ଏସ୍ଟି ବର୍ଗ କ୍ଷେତ୍ରରେ ବିକାଶର ଅଭୂତପୂର୍ବ ପରିବର୍ତ୍ତନ ହେବ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ଦଳିତ, ପଛୁଆ ଓ ସଂଖ୍ୟାଲଘୁଙ୍କୁ ସମାନ୍ତରାଳ ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରାଥମିକତା ଦେଉଛନ୍ତି।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଏବେ ରୋଜଗାର ଅନ୍ବେଷଣ ପାଇଁ ନୁହେଁ, ମାଲିକ ବନିବାର ସମୟ। ମୋଦୀ ସରକାରରେ ବିଗତ ଦିନମାନଙ୍କରେ ୭୫ ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବାର ଯୋଜନା ହୋଇଥିଲା ବେଳେ ସେଥି ମଧ୍ୟରୁ ୨୦ ହଜାର ଏସ୍ସି/ଏସ୍ଟିଙ୍କ ପାଇଁ ପେଟ୍ରୋଲ ପମ୍ପ ଖୋଲିବା ନିମନ୍ତେ ନାମାଙ୍କନ କରାଯାଇଛି। ସେହିପରି ୨୦୧୪ ସୁଦ୍ଧା ମୋଟ୍ ୧୩ କୋଟି ଘରେ ଏଲ୍ପିଜି ସଂଯୋଗ ଥିଲା। ମାତ୍ର ଗତ ସାଢ଼େ ୫ ବର୍ଷରେ ଏହାକୁ ଦ୍ବିଗୁଣିତ କରାଯାଇଛି। ଏଲ୍ପିଜି ସଂଯୋଗ ୨୭ କୋଟିରେ ପହଞ୍ଚିଛି। ତାହା ମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାେର ୮ କୋଟି ଗ୍ୟାସ ସଂଯୋଗ ଦିଆଯାଇଥିଲା ବେଳେ ଏହି ଯୋଜନାରେ ପ୍ରାୟ ୩ ଲକ୍ଷ ଏସ୍ସି/ଏସ୍ଟି ଲାଭ ପାଇଛନ୍ତି। ଭାରତରେ ରୋଜଗାର ବଢ଼ିବାକୁ ହେଲେ ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ନେବାକୁ ହେବ। ଦେଶର ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।