ଯାଜପୁରସଦର : ଫସଲ ଉଜାଡ଼ି ଦେଉଛି ଷଣ୍ଢ। ଯେତେ ଚେଷ୍ଟା କଲେ ବି ଏଥିରୁ ସୁରକ୍ଷା ମିଳୁନି। ଶେଷରେ ଏଭଳି ଅଭିଯୋଗ ନେଇ ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ଯାଜପୁର ବ୍ଲକର ଭୂଇଁପୁର ଓ ରସୁଲପୁର ବ୍ଲକର ହରିପୁର ଅଞ୍ଚଳ ତଥା ଖରସ୍ରୋତା ନଦୀ କୂଳିଆ ଅଞ୍ଚଳ‌ରେ ଧାନଚାଷ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ମାଳମାଳ ଷଣ୍ଢ। ଅଧା ଫସଲ ଖାଇ ଯାଉଛନ୍ତି। ଅଧା ନଷ୍ଟ କରୁଛନ୍ତି। ଏହାକୁ ନେଇ ଚିନ୍ତାରେ ଶହଶହ ଚାଷୀ। କ୍ଷେତରେ ହୋଇଥିବା ବିଅଳି ଓ ଶାରଦ ଧାନ କ୍ଷେତକୁ ଷଣ୍ଢ ନଷ୍ଟ କରି ସାରିଲେଣି। ଦିନବେଳା ଚାଷୀ କ୍ଷେତରେ ଜଗୁଛନ୍ତି କିନ୍ତୁ ରାତି ସମୟରେ କ୍ଷେତରେ ପଶି ଫସଲ ଉଜାଡ଼ି ଦେଉଛନ୍ତି ଷଣ୍ଢ। ଏଥିରୁ ସୁରକ୍ଷା ଦେବାକୁ ଆଜି ଅନେକ ଚାଷୀ ଏକ ‌ଟ୍ରକ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ସମସ୍ୟା ବିଷୟରେ ଜଣାଇଥିଲେ। ଜିଲ୍ଲାପାଳ ଏ ସମସ୍ୟା ବାବଦରେ କି ପଦ‌କ୍ଷେପ ଗ୍ରହଣ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଥିଲେ।

Advertisment

ଜିଲ୍ଲାରେ ଗୋଟିଏ ଗୋଶାଳା ରହିଥିବା ବେଳେ କାଞ୍ଜିଆହୁଦାର ଆବଶ୍ୟକତା ରହିଛି। ଜାଗା ନଥିବାରୁ ଷଣ୍ଢଙ୍କୁ ରଖିବାର ବ୍ୟବସ୍ଥା ନାହିଁ ବୋଲି ପ୍ରାଣୀ ଚିକିତ୍ସାଧିକାରୀ କହିବା ସହ ପ୍ରଜନନ ସମସ୍ୟା ହେବ ବୋଲି ମତ ରଖିଥିଲେ। ଏନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଜ ପ୍ରତିକ୍ରିୟା ରଖି ଚାଷୀଙ୍କ ସୁବିଧା ବାବଦରେ ଆଲୋଚନା କରି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ୩୦ରୁ ଊର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲେ।