ସମ୍ବଲପୁର: ସମ୍ବଲପୁର ସହରର ସଂଖ୍ୟାଲଘୁ ସଂପ୍ରଦାୟ ବହୁଳ ମୋତିଝରନ୍ ଅଞ୍ଚଳରେ ବୁଲିଛି ବୁଲ୍ଡୋଜର୍। ୨୦୨୩ରେ ହନୁମାନ ଜୟନ୍ତୀ ପୂର୍ବରୁ ହୋଇଥିବା ବାଇକ୍ ରାଲି ଉପରକୁ ଯେଉଁ ଘର ଉପରୁ ପଥର ଫିଙ୍ଗା ଯାଇଥିଲା, ସେହି ଦୁଇ ମହଲା ଘରକୁ ଆଜି ପୂର୍ବାହ୍ଣରେ ବୁଲ୍ଡୋଜର ଚଳାଇ ମାଟିରେ ମିଶାଇ ଦିଆଯାଇଛି। ସରକାରୀ ଜମିରେ ଘର କରିଥିବା ମୋଟ ୩ଟି ଘର ଏବଂ ୧୮ଟି ଦୋକାନକୁ ଭଙ୍ଗାଯାଇଛି। ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ଅଭିଯାନ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଜଣାପଡ଼ିଛି। ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ସକାଳୁ ଭୂତାପଡ଼ା ଛକ ନିକଟରୁ ଚାରିଚକିଆ ଯାନ ଚଳାଚଳ ଉପରେ ନିୟନ୍ତ୍ରଣ କରାଯାଇଥିଲା। ସରକାରୀ ମହିଳା ମହାବିଦ୍ୟାଳୟ ନିକଟରୁ ଆଗକୁ ଆଉ କାହାରିକୁ ଯିବାକୁ ଅନୁମତି ଦିଆଯାଇନଥିଲା। ସେହିପରି ଧନକଉଡ଼ା ପଟୁ ଆସୁଥିବା ଲୋକଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଥିଲା। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ମୋତିଝରନ ଦେଇ ଯାଇଥିବା ଭୂତାପଡ଼ା-ଧନକଉଡ଼ା ରାସ୍ତାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ବସ୍ତି ଭିତରେ ମଧ୍ୟ ପୁଲିସ କର୍ମଚାରୀମାନେ ଜଗି ରହିଥିଲେ।
ମହାନଗର ନିଗମ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଆର୍ଡିସି ସଚିନ ରାମଚନ୍ଦ୍ର ଯାଦବ ଓ ପୁଲିସ ଆଇଜି ହିମାଂଶୁ ଲାଲ ସଂପୃକ୍ତ ଅଞ୍ଚଳ ନିରୀକ୍ଷଣ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୪ ଲାଗୁ କରାଯାଇଥିଲା। ହେଲେ, କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ରାତିରେ ବି ସଂପୃକ୍ତ ଅଞ୍ଚଳରେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ଏପ୍ରିଲ୍ ୧୨ ଅପରାହ୍ଣରେ ବିଶାଳ ବାଇକ୍ ରାଲି ଉପରେ ମୋତିଝରନ ଠାରେ ଅଚାନକ ପ୍ରବଳ ପଥର ମାଡ଼ ହୋଇଥିଲା। ହନୁମାନ ଜୟନ୍ତୀ ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ତତ୍କାଳୀନ ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ସମେତ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀ ବି ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏପ୍ରିଲ୍ ୧୪ରେ ହୋଇଥିବା ହିଂସାରେ ଜଣେ ଆଦିବାସୀ ଯୁବକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ପୁଲିସ ପ୍ରଶାସନ ପକ୍ଷରୁ ସଂପୃକ୍ତ ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ଘୋଷଣା କରାଯାଇଥିଲେ ହେଁ ପରବର୍ତ୍ତୀ କାଳରେ ନିରବ ରହିଥିଲେ। ଏବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅବଶ୍ୟ ଗତ କିଛିଦିନ ହେଲା ସହରର ବିଭିନ୍ନ ଅଞ୍ଚଳରେ ମହାନଗର ନିଗମ ଓ ରାଜସ୍ବ ବିଭାଗ ପକ୍ଷରୁଜବରଦଖଲ ଉଚ୍ଛେଦ ଅଭିଯାନ ଜୋରସୋରରେ ଚାଲିଛି।