ଅନୁଗୁଳ: ଚୋରା ନିଶା କାରବାର ରୋକିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମାସେ ହେଲା ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି। ଆବଶ୍ୟକ ପଡ଼ିଲେ ଚୋରା ମଦ କାରବାର ହେଉଥିବା ସ୍ଥାନରେ ବୁଲ୍ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଆଜି ଅନୁଗୁଳ ଗସ୍ତ ଅବସରରେ ଶ୍ରୀ ହରିଚନ୍ଦନ କହିଛନ୍ତି, ଏବେ ଚାଲିଥିବା ଚଢ଼ଉରେ ୧୫ କୋଟି ଟଙ୍କାର ଚୋରା ନିଶାଦ୍ରବ୍ୟ ଜବତ କରାଯାଇଥିଲା ବେଳେ ୨ ହଜାର ଲୋକଙ୍କୁ ଗିରଫ କରାଯାଇଛି। ଆଗକୁ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି। ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ଅନୁଗୁଳ ଜିଲ୍ଲାରେ ଚାଲିଥିବା କିଛି ପ୍ରକଳ୍ପ ବିଳମ୍ୱିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କେମିତି ସରିବ, ତା’ ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ବିଳମ୍ବିତ ପ୍ରକଳ୍ପ କାମ କିଭଳି ସଂଶୋଧିତ ସମୟ ସୀମା ଭିତରେ ସରିବ, ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀରେ ଅଗ୍ରାଧିକାର ଭିତ୍ତିରେ ୨୫ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କରାଯିବ। ଏଣୁ ଅତି ଶୋଚନୀୟ ଅବସ୍ଥାରେ ଥିବା ୨୫ କିମି ରାସ୍ତା ଚିହ୍ନଟ କରିବାକୁ ବିଧାୟକମାନଙ୍କୁ କୁହାଯାଇଛି। ଏହା ଚିହ୍ନଟ ହେବା ପରେ ତୁରନ୍ତ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ହୁଣ୍ଡି ଉଠିବାର ୭ ଦିନ ଭିତରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା
ସେହିପରି ଖୁବଶୀଘ୍ର ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାକୁ ଆସିବାର କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପାଳପୁର ଆସିବେ ପ୍ରଧାନମନ୍ତ୍ରୀ। ତେବେ ସବିଶେଷ କାର୍ଯ୍ୟସୂଚୀ ଆସିନି। କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ମଧ୍ୟ ହୋଇପାରେ। ତେବେ ଭୁବନେଶ୍ୱର ଆସିବାର କୌଣସି ଯୋଜନା ନାହିଁ। ପ୍ରଧାନମନ୍ତ୍ରୀ ସବୁବେଳେ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ପ୍ରତି ତାଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛି। ତାଙ୍କର ନିର୍ବାଚନ ପ୍ରଚାର ମହାପ୍ରଭୁ ଜଗନ୍ନାଥଙ୍କ ପୀଠରୁ ଆରମ୍ଭ କରିଥିଲେ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନକୁ ଆହୁରି ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।