ଇବ୍‌ଥର୍ମାଲ/ଝାରସୁଗୁଡ଼ା: ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଅପରାଧୀଙ୍କ ଘର ଓ ଦୋକାନରେ ଚାଲିଲା ବୁଲଡୋଜର୍‌। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ବନ୍ଧବାହାଲର ଆପରାଧିକ ମାମଲାରେ ଜଡ଼ିତ ମହମ୍ମଦ ସୋନୁ, ମହମ୍ମଦ ଜମାଲ, ମହମ୍ମଦ. କମାଲ ଏବଂ ତାଙ୍କ ସଂପର୍କୀୟମାନେ ସରକାରୀ ଜମିରେ କରିଥିବା ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନ ସମେତ ୮ଟି ଦୋକାନ ଘରକୁ ବୁଲଡୋଜର ଲଗାଇ ପ୍ରଶାସନ ପକ୍ଷରୁ ଭାଙ୍ଗିଦିଆଯାଇଛି। ସୂଚନାଯୋଗ୍ୟ ଯେ ସୋନୁ ନାମରେ ଚାରୋଟି ତଥା ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩୦ଟି ଆପରାଧିକ ମାମଲା ରହିଛି। ପୂର୍ବରୁ ସୋନୁ ଜାତୀୟ ପତାକାରେ କଟା ଛେଳିମୁଣ୍ଡ ରଖି ଜେଲ୍‌ ଯାଇଥିବା ବେଳେ ଗତ ମଙ୍ଗଳବାର ମନୋଜ ବାରିକ ନାମକ ଜଣେ ଯୁବକ ଉପରେ ଗୁଳି ଚାଳନା କରି ଗିରଫ ହୋଇଛି। ସୋନୁକୁ ପୁଲିସ ଗିରଫ କରିବା ସହ ତା’ ନିକଟରୁ ୨ଟି ବନ୍ଧୁକ ଓ ୧୮ଟି ଗୁଳି ଜବତ କରିଥିଲା। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତଥା ଅପରାଧ ଦମନ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ସୋନୁର ଅପରାଧର ପେଣ୍ଠସ୍ଥଳୀ ପାଲଟିଥିବା ଘର ଏବଂ ଦୋକାନ ଘରକୁ ପ୍ରଶାସନ ଭାଙ୍ଗିଛି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ମାଜି‌ଷ୍ଟ୍ରେଟ ଦାୟିତ୍ୱରେ ଥିବା ଲଖନପୁର ଅତିରିକ୍ତ ତହସିଲଦାର କୁଳମଣି ଦଳେଇ ପ୍ରକାଶ କରିଛନ୍ତି।

Advertisment

ସେହିପରି ଜିଲ୍ଲାରେ ସରକାରୀ ଜାଗାରେ ଅବୈଧ ନିର୍ମାଣ ଖାଲି କରିବାକୁ ନୋଟିସ ଦିଆଯାଇଛି। ସେହି କ୍ରମରେ ଆଇନ ଅନୁସାରେ ନୋଟିସ ଦିଆଯାଇ ଉଚ୍ଛେଦ ଆରମ୍ଭ ହୋଇଛି। ଗୁରୁବାର ବନ୍ଧବାହଲରେ ସରକାରୀ ଜମିରୁ ଅବୈଧ ଉଚ୍ଛେଦ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଗୋଟିଏ ପରିବାରର ଜବରଦଖଲ ଉଚ୍ଛେଦ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ, କିଛିଦିନ ତଳେ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ମହମ୍ମଦ ସୋନୁଙ୍କ ପରିବାରରର ୫ ଜଣଙ୍କ ନାମରେ ୩୪ଟି ମାମଲା ରହିଛି। ସେମାନଙ୍କ ନାମରେ ସରକାରୀ ଜମିରେ ୭ଟି ବ୍ୟବସାୟିକ କମ୍ପ୍ଲେକ୍ସ ଓ ଗୋଟିଏ ବାସଗୃହ ଥିଲା। ଏହି ଅବୈଧ ନିର୍ମାଣକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଭାଙ୍ଗି ଦେଇଛି। ଏହିସବୁ ଦୋକାନ ଓ ବାସଗୃହରୁ ମିଳୁଥିବା ଟଙ୍କାରେ ସେ ପିସ୍ତଲ କିଣିବା ଓ ଅପରାଧ କରିବାରେ ବ୍ୟବହାର କରୁଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ବୋଲି ଏସ୍‌ପି କହିଛନ୍ତି।