କର୍କଶ ଶବ୍ଦ କରୁଥିବା ବୁଲେଟ୍‌ ଜବତ

ବଲାଙ୍ଗୀର: ବୁଲେଟର ସାଇଲେନ୍ସର ବଦଳାଇ କର୍କଶ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇବା ଗାଡ଼ି ମାଲିକମାନଙ୍କୁ ମହଙ୍ଗା ପଡ଼ିଛି। ଏହା ବିରୋଧରେ ବଲାଙ୍ଗୀର ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଏଭଳି ବୁଲେଟ ଜବତ କରିଛି। ସାଇଲେନ୍ସର ବଦଳାଯିବା ପରେ ବୁଲେଟ ମାଲିକଙ୍କୁ ଫାଇନ ଗଣିବାକୁ ପଡ଼ିଛି। ତେବେ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବା ନେଇ ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ଶୁକ୍ରବାର ୬ଟି ବୁଲେଟ୍‌ ଜବତ କରି ପୁଲିସ ୩୧ ହଜାର ଟଙ୍କା ଜରିମାନା କରିଥିଲା। ଶନିବାର ପୁଣି ୫୦ରୁ ଅଧିକ ବୁଲେଟ୍‌ ପୁଲିସ୍‌ ହାତରେ ଧରାପଡ଼ିଛି। ଜିଲ୍ଲା ପରିବହନ ବିଭାଗ ଓ ପୁଲିସ ବିଭାଗର ମିଳିତ ଉଦ୍ୟମରେ ଏହି ଧରପଗଡ଼ ଆରମ୍ଭ ହୋଇଛି। ଗତ କ୍ରାଇମ୍‌ ମିଟିଂରେ ସାଇଲେନ୍‌ସର ବଦଳାଇ ଉଚ୍ଚ କର୍କଶ ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍‌ଗୁଡ଼ିକୁ କାବୁ କରି ସାଇଲେନ୍‌ସର୍‌ ବଦଳାଇବା ସହ ସେମାନଙ୍କ ଉପରେ ଆଇନ ଅନୁସାରେ ଫାଇନ୍‌ କଟାଯିବାକୁ  ଜିଲ୍ଲାର ସମସ୍ତ ଥାନାକୁ ଏସ୍‌ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ ରହିଥିଲା। ଏସ୍‌ପି ଶ୍ରୀ ଖିଲାରୀଙ୍କ ନିର୍ଦ୍ଦେଶ ଅନୁସାରେ, ଶୁକ୍ରବାରଠାରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସାଇଲେନ୍‌ସର୍‌ ମୋଡ଼ିଫାଏ କରି ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍‌ ଗାଡ଼ିଗୁଡ଼ିକୁ ଧରାଯିବା ସହ ଥାନା ପରିସରରେ ସେହି ବୁଲେଟ୍‌ଗୁଡ଼ିକର ସାଇଲେନ୍‌ସର ପାଇପ୍‌ ବଦଳାଯିବ ଏବଂ କଟିଥିବା ଫାଇନ୍‌ ଆଦାୟ ପରେ ଗାଡ଼ି ମାଲିକମାନଙ୍କୁ ବୁଲେଟ୍‌ ହସ୍ତାନ୍ତର କରାଯିବ ବୋଲି ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି।

ପାଟଣାଗଡ଼ ପୁଲିସ ପକ୍ଷରୁ ବିକଟାଳ ଶବ୍ଦ କରୁଥିବା ୫ଟି ବାଇକ୍‌ ଜବତ କରାଯାଇ ଥାନାକୁ ଅଣାଯାଇଛି। ଜବତ ବାଇକ୍‌ଗୁଡ଼ିକ ମଧ୍ୟରେ ୩ଟି ବୁଲେଟ ଓ ୨ଟି ସିଟି ୧୦୦ ଗାଡ଼ି ରହିଛି ବୋଲି ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି। କଣ୍ଟାବାଞ୍ଜି ସହରରେ ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ବରେ ବାଇକ୍‌ ଧରପଗଡ଼ କରାଯାଇଥିଲା। ବିକଟାଳ ଶବ୍ଦ କରୁଥିବା ୧୨ଟି ବୁଲେଟ୍‌କୁ ପୁଲିସ ଜବତ କରି ଥାନାକୁ ଆଣିବା ସହ ସାଇଲେନ୍ସର ଖୋଲିଛି। ସେହିପରି ଗୋଟିଏ ନମ୍ବର ବିହୀନ ବାଇକ୍‌କୁ ମଧ୍ୟ ଥାନାକୁ ଆଣିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର