ବଜ୍ରକାପ୍ତା କାତିରେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍‌, ଚାଞ୍ଚଲ୍ୟକର ତଥ୍ୟ ଦେଲେ ମାଫିଆ, ବନବିଭାଗ ବି ବିସ୍ମିତ

‘ସମ୍ବାଦ’ ରିପୋର୍ଟ ପରେ ଜଙ୍ଗଲ ବିଭାଗର ତନାଘନା
ବନ ବିଭାଗ ଆରମ୍ଭ କଲା ‘ଅପରେସନ୍ ପାଙ୍ଗୋଲିନ୍’
ହାତୀ ଦାନ୍ତ, ହରିଣ ଚମଡା ପାଇଁ ମଧ୍ୟ ଚା‌ଲୁଛି ରାକେଟ୍‌
ବିଦେଶ ଲିଙ୍କ୍‌ ଖୋଳତାଡ଼ ପାଇଁ ତଥ୍ୟ ଦିଆଗଲା

କଟକ : ଅତି ବିରଳ ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍ ଓଡ଼ିଶାର ଅଧା ଜିଲ୍ଲାକୁ ବ୍ୟାପିଥିବା ନେଇ ‘ସମ୍ବାଦ’ ରିପୋର୍ଟ ପରେ କେନ୍ଦ୍ର-ଓଡ଼ିଶା ମିଳିତ ତଦନ୍ତ ପାଇଁ ସହମତି ହୋଇଛନ୍ତି। ହେଲେ ଏହା ମଧ୍ୟରେ ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଅପରେସନ୍ ପାଙ୍ଗୋଲିନ୍ (ବଜ୍ରକାପ୍ତା)ରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବନ ବିଭାଗ ଅଧିକାରୀମାନେ ଏହି ରାକେଟ୍ ସହ ପ୍ରତ୍ୟକ୍ଷ ସଂପର୍କ ରଖିଥିବା ଅଭିଯୋଗରେ ୩ଜଣ ବେପାରିଙ୍କୁ ଗିରଫ କରିଛନ୍ତି। ଗୋଟିଏ ବଜ୍ରକାପ୍ତା ଉଦ୍ଧାର େହାଇଛି। ୧୨ଟି କାତି ସହିତ ହରିଣ ଶିଙ୍ଘ ବି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳର ବିଶ୍ବଜିତ୍‌ ସାମଲ(୩୪), ଦଲକ୍‌ ଗ୍ରାମର ରତିକାନ୍ତ ବେହେରା, ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ଘୋଳପୁର ଗ୍ରାମର ଆଶୁତୋଷ ସାହୁ। ସେମାନଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ୩ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ପୂର୍ବରୁ ୭ଜଣଙ୍କୁ ଗିରଫ କରାଯାଇଥିଲା। ଏହାକୁ ମିଶାଇ ସାତ ଦିନ ମଧ୍ୟରେ ମୋଟ ୧୦ ଜଣ ବନ୍ଧା ହେଲେଣି।

ଜବତ ହୋଇଥିବା ତିନିଟି ମୋବାଇଲରୁ ଚୋରା ଚାଲାଣ ସଂପର୍କିତ ଅନେକ ଚାଞ୍ଚଲ୍ୟକର ଭିଡିଓ, ତଥ୍ୟ ଆଦି ବନ ବିଭାଗ ହାତରେ ଲାଗିଛି। ଯେଉଁ ତଥ୍ୟ ଅନୁସାରେ ଏହି ଚେର ବିଦେଶର ‌ଚୀନ, ଭିଏତନାମ, ମିଆଁମାରକୁ କିଭଳି ଯାଉଛି, ତାର ସୂଚନା ରହିଛି ଓ ପଶ୍ଚିମବଙ୍ଗ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ, ଭଦ୍ରକ ସମେତ ରାଜ୍ୟ ତଥା ରାଜ୍ୟ ବାହାର ମାଫିଆଙ୍କ ସହ ସେମାନଙ୍କ ସଂପର୍କର ଖିଅ ଜଣାପଡିଛି। କୌତୂହଳର କଥା ହେଲା, ସମ୍ବାଦରେ ପ୍ରକାଶ ପାଇଥିବା ରିପୋର୍ଟ ସେମାନେ ମୋବାଇଲରେ ରଖିଛନ୍ତି। ଆଉ ଜେରା ବେଳେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି ଯେ ବଜ୍ରକାପ୍ତା କାତି କେବଳ ଔଷଧ ପାଇଁ ନୁହେଁ, ବରଂ ବୁଲେଟ୍ ପ୍ରୁଫ୍ ଜ୍ୟାକେଟରେ ବ୍ୟବହାର ହେଉଥିବା କାରଣରୁ ଏହାର ମୂଲ୍ୟ ଦିନକୁ ଦିନ ବଢୁଛି। କେବଳ ସେମାନେ ଓଡ଼ିଶାରେ ଏଭଳି ଏକାଧିକ ଗ୍ୟାଙ୍ଗ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଅଧା ଅଞ୍ଚଳରେ ସେମାନଙ୍କ ଜାଲ ବିଛାଇ ହୋଇ ରହିଛି। ଇତିମଧ୍ୟରେ କାରବାର ବି ବଢିଛି। ସେହିଭଳି ମୋବାଇଲରୁ ମୋବାଇଲକୁ ଘୂରି ବୁଲିଛି ହାତୀ ଦାନ୍ତ, ଚମଡା, ହରିଣ ଚମଡା ବିକ୍ରି ସଂକ୍ରାନ୍ତ ତଥ୍ୟ।

‘ଅପରେସନ୍ ବଜ୍ରକାପ୍ତା’ରେ ବେପାରୀ ହୋଇ ଜଙ୍ଗଲ ବିଭାଗ ଅଧିକାରୀମାନେ ଏହି ମାଫିଆଙ୍କ ସହିତ ମିଛ କାରବାର କରିଥିଲେ। ଆଉ ସେମାନଙ୍କ ପାଖରେ ପହଞ୍ଚିବାରେ ସମର୍ଥ ହୋଇଥିଲେ। ଆଜି ଆଠଗଡ ଡିଏଫ୍ଓ କହିଛନ୍ତି ଯେ ଅଧିକ ତଦନ୍ତ ପାଇଁ ଗିରଫ ୧୦ଜଣଙ୍କୁ ରିମାଣ୍ଡରେ ଆଣିବାକୁ ବନବିଭାଗ ଯୋଜନା କରିଛି। ଏହି ଚୋରା ଚାଲାଣ ରାକେଟ ବିଦେଶରୁ ନିୟନ୍ତ୍ରଣ ହେଉଥିବା କାରଣରୁ ଘଟଣାର ଅଧିକ ତଦନ୍ତ ପାଇଁ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଚିଠି ଲେଖାଯାଇଥିଲା। ଇତିମଧ୍ୟରେ ଏ ସଂପର୍କିତ ସମସ୍ତ ତଥ୍ୟ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ସେଲକୁ ଦିଆଯାଇଛି। ‌ଏହି ସେଲ୍‌ ବିଦେଶ ଲିଙ୍କ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଆହୁରି ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଜଣାପଡିଛି। ବନବିଭାଗ ଅଧିକ ଖୋଳତାଡ ଜାରି ରଖିଛି। ଏଯାଏ ବଜ୍ରକାପ୍ତା ଚୋରାଚାଲାଣ କାରବାରର ମାଷ୍ଟରମାଇଣ୍ଡମାନଙ୍କ ପାଖରେ କିନ୍ତୁ ବନ ବିଭାଗ ପହଞ୍ଚିପାରିନାହିଁ।

ଉଲ୍ଲେଖଯୋଗ୍ୟ ଯେ ୨ତାରିଖ ଦିନ ବାରଙ୍ଗ ଥାନା ରତାଗଡ଼ର ବିଭୂତି ଭୂଷଣ ସାହୁ(୩୪), ଗୁରୁଡ଼ିଝାଟିଆ ସୁନିଆମୁହଁର ଆକାଶ ବେହେରା(୨୩), ଖୁଣ୍ଟୁଣୀ ଡାବର ପଲ୍ଲୀର ସତିଆ ବେହେରା(୨୬), ଆଠଗଡ଼ ଥାନା ଗୁଣ୍ଡିଚାପୁରର ରାଜୁ ଦେହୁରୀ(୨୧), କୁଲାଇଲୋ ଗ୍ରାମର ପ୍ରଶାନ୍ତ ସେଠୀ(୩୭), ହେମମାଳପୁରର ଅଶୋକ କୁମାର ଜେନା(୪୮), ଚୌଦ୍ବାର ନୂଆପାଟଣାର ଧ୍ରୁବଚରଣ ସାହୁ(୬୨) ବନବିଭାଗ ଗିରଫ କରିଥିଲା। ଏଥିସହ ଅଭିଯୁକ୍ତ ମାନଙ୍କଠାରୁ ୧୦ଟି ବଜ୍ରକାପ୍ତା କାତି , ୬ଟି ମୋବାଇଲ ଫୋନ ବନ ବିଭାଗ ଜବତ କରିଥିଲା।

ଗୋଟିଏ ଗୋଟିଏ ବଜ୍ରକାପ୍ତା ୮ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବା େବଳେ କାତିର ଦାମ ୪ରୁ ୮ହଜାର ଟଙ୍କାରେ ସେମାନେ ଚାଲାଣ କରୁଛନ୍ତି। ସମସ୍ତ କାରବାର ଅନ୍ ଲାଇନରେ ହିଁ ହେଉଛି।

ସମ୍ବନ୍ଧିତ ଖବର