କଥା କଥାରେ ଫୁଟୁଛି ଗୁଳି, ଜନତା ଆତଙ୍କିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। ପୁଲିସକୁ ଡରୁନାହାନ୍ତି ଅପରାଧୀ। କଥା କଥାରେ ଫୁଟୁଛି ଗୁଳି। ଏହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେହି ନିଜକୁ ନିରାପଦ ମନେ କରୁନାହାନ୍ତି। ଅପରାଧୀଙ୍କୁ ସାବାଡ଼ କରିବାରେ ପୁଲିସର ବିଫଳତା ସ୍ଥିତିକୁ ଅଧିକ ଖରାପ କରିଦେଉଛି।

ଗତ ମାସ ୨୧ ତାରିଖରେ ଶିମିଳିପାଳରେ ଗର୍ଜିଥିଲା ବନ୍ଧୁକ। ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରି ଖସିଯାଇଥିଲେ ଶିକାରୀ। ଗତ ୨୦ ତାରିଖରେ ଯଶିପୁର ଥାନା ଅଞ୍ଚଳରେ ଗୋ ଚାଲାଣରେ ବାଧା ଦେବାରୁ ୨ଜଣ ଗୋସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏହି ମାମଲାରେ ଯାଜପୁର ଜିଲ୍ଲାରୁ ୮ଜଣ ଓ ପଶ୍ଚିମବଙ୍ଗର ୩ଜଣ ଅପରାଧୀ ଧରା ପଡ଼ିଥିଲେ। ପରେ ଗିରଫଦାରୀ ବଢ଼ିଛି। ତେବେ ଜିଲ୍ଲା ବାହାରର ଅପରାଧୀ କେମିତି ମୟୂରଭଞ୍ଜରେ ଅବାଧ ପ୍ରବେଶ କରି ଆତଙ୍କ ଖେଳାଉଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡ଼ିଥିଲା। ଏହି ଘଟଣାର ମାତ୍ର ୫ଦିନ ପରେ ରାଇରଙ୍ଗପୁର ସଦର ଥାନା ଅଞ୍ଚଳରେ ଫୁଟିଥିଲା ଗୁଳି। ଏଥର ଗୁଳିମାଡ଼ରେ ଜଣେ ଗୋରୁ ବେପାରୀଙ୍କ ଜୀବନ ଚାଲିଗଲା। ଏହି ଘଟଣାରେ ବି ରାଜ୍ୟ ବାହାରର ଅପରାଧୀ ସାମିଲ ଥିବା ଅନୁମାନ କରାଯାଉଛି। ସପ୍ତାହେ ମଧ୍ୟରେ ୨ଟି ଗୁଳିକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ଜିଲ୍ଲାରେ ଗୋଚାଲାଣ, ଲଘୁଖଣିଜ ଚାଲାଣ, ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି। କିଛି ଅସାଧୁ ପୁଲିସ କର୍ମଚାରୀଙ୍କ ସହଯୋଗରେ ଏହି ରାକେଟ୍‌ ଚଳାଇବାକୁ ବଳ ପାଉଛନ୍ତି ଅପରାଧୀ। ସେମାନେ ଧରାପଡ଼ିଲେ ପୁଲିସ ବଦନାମ ହେବ ବୋଲି ଅନେକ ମାମଲାରେ ଅଭିଯୁକ୍ତଙ୍କୁ ଜାଣିଜାଣି ଖସାଇ ଦିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଏପଟେ ଜିଲ୍ଲାରେ ଅପରାଧ ରୋକିବା ପାଇଁ ସମ୍ବେଦନଶୀଳ ଥାନାଗୁଡିକରେ ଅଭିଜ୍ଞ ଓ ଦକ୍ଷ ଅଧିକାରୀ ନାହାନ୍ତି। ବହୁ ଥାନାରେ ତ ବର୍ଷ ବର୍ଷ ଧରି ଅଧିକାରୀ ପଦ ଖାଲି ପଡ଼ୁଛି। ଅନ୍ୟପଟେ କିଛି କର୍ମଚାରୀ ଗୋଟିଏ ଥାନାରେ ୫ରୁ ୧୦ ବର୍ଷ ରହି ଅପରାଧୀକୁ ହାୱା ଦେଉଛନ୍ତି। ତେଣୁ ଜିଲ୍ଲା‌ରେ ବିଗୁଡ଼ୁଥିବା ଆଇନଶୃଙ୍ଖଳାକୁ ସଜାଡ଼ିବା ବର୍ତ୍ତମାନର ଏସ୍‌ପି ଋଷିକେଷ ଦ୍ୟାନଦେଓ ଖିଲାରୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଅପରାଧ ରୋକିବା ପାଇଁ ପ୍ରଥମେ ଜିଲ୍ଲାରେ ଖାଲିପଡ଼ିଥିବା ୮୯ ଏସ୍‌ଆଇ ଓ ଏଏସ୍‌ଆଇ ପଦବି ପୂରଣ କରିବା ସହ ବର୍ଷ ବର୍ଷ ଧରି ଗୋଟିଏ ଥାନାରେ କାମ କରୁଥିବା କର୍ମଚାରୀଙ୍କୁ ଅନ୍ୟତ୍ର ବଦଳିର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବୁଦ୍ଧିଜୀବୀ।

ସମ୍ବନ୍ଧିତ ଖବର