ଚଢ଼େଇଧରା : ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ସତ୍ତ୍ବେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ରାହାଡ଼ପୁର ପାହାଡ଼ରୁ ବେଧଡ଼କ ଚାଲିଛି କଳାପଥର ଖନନ ଏବଂ ପରିବହନ। ଆଜି ଏହି ଘଟଣାକୁ କେନ୍ଦ୍ରକରି ଗୁଳି ଫୁଟିଛି। ତେବେ, ଗ୍ରାମବାସୀଙ୍କ ବିରୋକ୍ଷ ପରେ ୨ଟି କାର୍‌ ଛାଡ଼ି ମାଫିଆମାନେ ଛତ୍ରଭଙ୍ଗ କରିଛନ୍ତି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବାବା ଷ୍ଟୋନ କ୍ରସର ମାଲିକଙ୍କ ପକ୍ଷରୁ ଏହି ପାହାଡ଼ରୁ ବେଆଇନ୍‌ ଭାବେ କଳାପଥର ଖନନ କରାଯାଉଛି। ପ୍ରଦୂଷଣ ଏବଂ ଅନ୍ୟାନ୍ୟ କାରଣ ପାଇଁ ଲୋକେ ଏହାକୁ ବିରୋଧ କରୁଛନ୍ତି। କ୍ରସର ମାଲିକ ଜବରଦସ୍ତ ପାହାଡ଼ ଖନନ କରିବା ମସୁଧାରେ ତିନୋଟି ଗାଡ଼ିରେ ଏକାଧିକ ଲୋକଙ୍କୁ ଡକାଇ ଗ୍ରାମବାସୀଙ୍କୁ ଧମକ ଦେଇଥିଲେ। ଏହାକୁ ନେଇ ଯୁକ୍ତିତର୍କ ବଢ଼ିବାରୁ ବୋମା ଏବଂ ମାଉଜରର ଧମକ ଦିଆଯିବା ସହ ୨ ରାଉଣ୍ଡ ଗୁଳି ଫୁଟାଇଥିଲେ। ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସଂଘବଦ୍ଧ ଭାବେ ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଥିଲେ। ଦୁର୍ବୃତ୍ତମାନେ ଗୋଟିଏ ଗାଡି ନେଇ ପଳେଇ ଥିବା ବେଳେ ୨ଟି ଗାଡି ଛାଡି ଦେଇଥିଲେ l ଖବର ପାଇ ଜେନାପୁର ପୋଲିସ ପାହାଡ଼ରେ ପହଞ୍ଚି (ଓଡି୦୪ଏନ୍‌-୪୩୩୩ ଏବଂ ଓଡି୦୨ଏକ୍ୟୁ-୭୮୧୧) କାର ଦୁଇଟିକୁ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଲୋକଙ୍କ ଆକ୍ରମଣରେ ଗାଡିର କାଚ ଭାଙ୍ଗି ଯିବା ସହ ଅନେକ ଜାଗାରେ ଚେପା ହୋଇଯାଇଛି। ଜବତ କାର୍‌ ଦୁଇଟି ସଚ୍ଚିକାନ୍ତ ସାମଲ ଏବଂ ସେକ୍‌ ମୁସାରଫଙ୍କ ନାମରେ ଥିବା ଜଣାପଡିଛି। ଏହି ଘଟଣା ପରେ ଉଭୟ ପକ୍ଷ ଜେନାପୁର ଥାନାରେ ପହଞ୍ଚିଥିବା ସୂଚନା ମିଳିଛି।

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବେଆଇନ ପଥର ଖନନ ଓ ପରିବହନ ଲାଗି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ପ୍ରତି ଟ୍ରିପ ପଥର ଲାଗି ୩ଶହ ଟଙ୍କା ଦାବି କରିଥିଲେ। ଚାନ୍ଦା ନ ଦେବାରୁ ଉଭୟପକ୍ଷ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିବା କୁହାଯାଉଛି। ଗତରାତିର ଏହି ଘଟଣା ଯୋଗୁଁ ରାହାଡ଼ପୁର ପାହାଡ଼ରୁ ବେଆଇନ୍‌ ଭାବେ କଳାପଥର ଖନନ ଚାଲିଥିବା ସ୍ପଷ୍ଟ ହୋଇଯାଇଛି।