ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଯେତିକି ଜୀବନ ବର୍ଷକୁ ଯାଉଛି ତା’ର ୯.୨୨% କେବଳ ବୁଲା ଗାଈଗୋରୁଙ୍କ (ଗାଈ, ଷଣ୍ଢ, କୁକୁର) ପାଇଁ ଯାଉଛି। ଅର୍ଥାତ୍ ଗତ ୩ ବର୍ଷରେ (୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ) ସଡ଼କ ଦୁର୍ଘଟଣାରେ ୧୭୩୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ ୧୬୦୧ ଜଣଙ୍କ ଜୀବନ ବୁଲା ଗାଈଗୋରୁଙ୍କ ସହ ଧକ୍କାରେ ଯାଇଛି। ଯାହା ଏବେ ଓଡ଼ିଶା ପାଇଁ ବଡ଼ ସମସ୍ୟା ପାଲଟିଛି। ରାସ୍ତା ଡିଜାଇନ୍ ଯେତେ ଭଲ ଥିଲେ ବି, ଲୋକ ଯେତେ ସତର୍କତାର ସହ ଗାଡ଼ି ଚଳାଇଲେ ବି ହଠାତ୍ ବୁଲା ଗାଈଗୋରୁ ଗାଡ଼ି ଆଗକୁ ଆସି ଜୀବନ ନେଇଯାଉଛନ୍ତି। ଦୁର୍ଘଟଣା କମାଇବାକୁ ରାଜ୍ୟ ସରକାର ରାସ୍ତା ଡିଜାଇନ୍‌ରେ ବ୍ୟାପକ ପରିବର୍ତ୍ତନ ଆଣୁଥିଲେ ହେଁ ବୁଲା ଗାଈଗୋରୁଜନିତ ଦୁର୍ଘଟଣା ମୃତ୍ୟୁକୁ ଅଟକାଇପାରୁନାହାନ୍ତି।
Advertisment
ବାଣିଜ୍ୟ ଓ ପରିବହନ ବିଭାଗର ତଥ୍ୟରୁ ଜାଣିବାକୁ ମିଳିଛି ଯେ ୨୦୨୨ମସିହାରେ ରାଜ୍ୟରେ ୧୧,୬୬୩ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ୫,୪୬୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦,୩୦୨ ଜଣ ଆହତ ହୋଇଥିଲେ। ବିଡ଼ମ୍ବନାର ବିଷୟ ଏଥିରୁ ବୁଲା ଗାଈଗୋରୁଙ୍କ ଯୋଗୁ ୯୫୨ଟି ଦୁର୍ଘଟଣା ହୋଇଥିବାବେଳେ ୫୨୧ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୩ରେ ସ୍ଥିତି ଆହୁରି ସଙ୍ଗିନ ଥିଲା। ରାଜ୍ୟରେ ମୋଟ୍ ୧୧,୯୯୨ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୫,୭୩୯ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦,୩୬୯ଜଣ ଆହତ ହୋଇଥିଲେ। ଏଥିରୁ ୧,୧୬୮ଟି ଦୁର୍ଘଟଣା ବୁଲା ଗାଈଗୋରୁଙ୍କ ଯୋଗୁ ହୋଇଥିଲା। ଏଥିରେ ୬୪୩ ଜଣ ମରିଥିଲେ। ୨୦୨୪ରେ ୧୨,୩୭୫ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ୬,୧୪୨ଜଣଙ୍କ ଜୀବନ ଯାଇଥିଲା ଏବଂ ୧୦,୭୭୦ଜଣ ଆହତ ହୋଇଥିଲେ। କିନ୍ତୁ ଏହି ବର୍ଷ ବୁଲା ଗାଈଗୋରୁଙ୍କ ଯୋଗୁ ୯୦୩ଟି ଦୁର୍ଘଟଣା ହୋଇଥିବାବେଳେ ୪୩୭ଜଣଙ୍କର ମୃତ୍ୟୁ ହୋଇଛି। ଏହି ୩ବର୍ଷରେ ଏହିଭଳି ଦୁର୍ଘଟଣାଜନିତ ଆହତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ବୋଲି ଜଣାପଡ଼ିଛି। କେବଳ ମଣିଷ ମରିନାହାନ୍ତି, ୨୦୨୨ରୁ ୨୦୨୫ (ଅଗଷ୍ଟ ମାସ) ସୁଦ୍ଧା ୩୩୧ଟି ପଶୁଙ୍କର ଜୀବନ ବି ଯାଇଛି। 
୩୩୧ ପଶୁ ବି ମରିଛନ୍ତି
ଏବେ ମିସନ୍‌ ମୋଡ୍‌ରେ କାମ କରିବ ପରିବହନ ବିଭାଗ
ଏହି ସମସ୍ୟାର ସମାଧାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମିସନ୍‌ ମୋଡ୍‌ରେ କାମ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବୃଦ୍ଧି କରିବା ସହ ମଣିଷ ଓ ପଶୁ ଉଭୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସମନ୍ବିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଯୋଜନା କରିଛି। ଆ‌ଜି ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବାବେଳେ ନିରାପଦ ଯାତ୍ରା ଓ ସୁରକ୍ଷିତ ସଡ଼କ ପ୍ରସ୍ତୁତ କରିବା  ଲାଗି ଖୁବ୍‌ଶୀଘ୍ର ଗାଇଡଲାଇନ୍ ଆସିବ ବୋଲି ଜଣାପଡ଼ିଛି। ବୈଠକରେ ଚିହ୍ନଟ ହୋଇଥିବା ଜାତୀୟ ରାଜପଥର ଷ୍ଟ୍ରେଚ୍‌ଗୁଡ଼ିକୁ ନିକଟବର୍ତ୍ତୀ ପୌରାଞ୍ଚଳ ସହିତ ସଂଯୋଗ କରିବା ପାଇଁ ଏକ ମିସନ୍‌-ମୋଡ୍ ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାଦ୍ବାରା ପୂର୍ବରୁ ଥିବା ଏବଂ ନୂତନ ଗୋଶାଳା ମାଧ୍ୟମରେ ଗୋ-ନିୟନ୍ତ୍ରଣ ଏବଂ ଆଶ୍ରୟସ୍ଥଳ ସୁନିଶ୍ଚିତ କରାଯିବ। ବୁଲା ପଶୁଙ୍କ ଉପସ୍ଥିତି ସର୍ଭେ କରିବା ସହିତ ରାଜପଥରେ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା, ଏବେ ଥିବା ଗୋଶାଳାଗୁଡ଼ିକୁ ସୁଦୃଢ଼ କରିବା, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ସହାୟତାରେ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହିତ ସେବାମୁଖୀ ସହଭାଗିତା ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଜନସଚେତନତା ଏବଂ ଦାୟିତ୍ୱବୋଧତାକୁ ବୃଦ୍ଧି କରିବା ପାଇଁ ଯେଉଁଠି ବୁଲା ଗାଈଗୋରୁ ରାସ୍ତା ଅତିକ୍ରମ କରୁଛନ୍ତି ସେଠାରେ ବାଡ଼ ଦେବା ଏବଂ ନିୟନ୍ତ୍ରିତ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ରାସ୍ତାରେ ବୁଲୁଥିବା ଗାଈଗୋରୁ କେବଳ ଏକ ସମସ୍ୟା ନୁହେଁ, ବରଂ ଜୀବନ ପ୍ରତି ବିପଦ। ଯାତ୍ରୀ ଓ ପଶୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ। ଏଥିରେ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ସମନ୍ବିତ ମଡେଲ୍ ଲାଗୁ କରାଯିବ।  ଯେଉଁଥିରେ ପଶୁମାନଙ୍କ ପାଇଁ ରାସ୍ତା କଡ଼ରେ ବାଡ଼, ସହଜରେ ରାସ୍ତା ପାର ପାଇଁ ବ୍ୟବସ୍ଥା, ବୁଲା ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର ଏବଂ ମାଲିକଙ୍କଠାରୁ ଜରିମାନା ଆଦାୟ, ଭ୍ରାମ୍ୟମାଣ ପଶୁଚିକିତ୍ସା ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ରାସ୍ତାକଡ଼ର ଲୋକଙ୍କୁ ସଚେତନ କରିବା ଭଳି ପଦକ୍ଷେପ ନିଆଯିବ। ବୈଠକରେ ପରିବହନ କମିସନର ଅମିତାଭ ଠାକୁର, ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ଜାତୀୟ ରାଜପଥ ଏବଂ ଓଡ଼ିଶା ପୁଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।