ବୁଲୁ ମହାନ୍ତିଙ୍କୁ ବୋମା ମାଡ଼ ଘଟଣାର ପର୍ଦ୍ଦାଫାସ୍ : ଡନ୍ ହେବା ଲକ୍ଷ୍ୟରେ ବୋମାମାଡ଼

ମାଷ୍ଟର ମାଇଣ୍ଡ ମୁସ୍ତାକ୍‌ ସମେତ ୪ ଗିରଫ, ୨ ଫେରାର

ରାଉରକେଲା : ବାସନ୍ତୀ କଲୋନିର ପୂର୍ବତନ କାଉନସିଲର ଅଶେଷ ମହାନ୍ତି (ବୁଲୁ)ଙ୍କୁ ବୋମା ମାଡ଼ ଘଟଣା ଉପରୁ ପର୍ଦ୍ଦା ହଟିଛି। ମାଷ୍ଟରମାଇଣ୍ଡ ଅନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ଭାଟିରୋଡ୍‌ର ମୁସ୍ତାକ୍‌ ଆଲାମ୍‌ ସମେତ ୪ ଜଣ ଅପରାଧୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅନ୍ୟ ଅପରାଧୀମାନେ ହେଲେ ବିଶ୍ରାର ଲାଲୁ ଓରଫ୍‌ ଅବୁଜର୍‌ ଘଫାରି, ମହମ୍ମଦ ଅମିନ୍‌ ରାଜା, ବାବୁ ଓରଫ ଆକର ଅଲ୍ଲୀ। ଫେରାର ଅନ୍ୟ ଦୁଇ ଅପରାଧୀକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏମାନଙ୍କ ନିକଟରୁ ବୋମା ତିଆରିରେ ବ୍ୟବହୃତ କପଡ଼ା, ‌ବୋତଲ, ଫେଭିକଲ୍‌ ଓ ଲୁହା କଣ୍ଟା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରା ଯାଇଛି।

ପୁଲିସ କହିବା‌ ଅନୁସାରେ, ସହରରେ ନିଜର ଆପରାଧିକ କାର୍ଯ୍ୟକଳାପକୁ ବୃଦ୍ଧି କରି ‘ଡନ୍‌’ ହେବା ଏବଂ ମାଲଗୋଦାମ ରେଲୱେ ଲୋଡିଂ ପଏଣ୍ଟକୁ ହାତେଇ ମାସକୁ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖି ବୁଲୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଏଭଳି ଯୋଜନା କରିଥିଲା ମୁସ୍ତାକ। ବୁଲୁଙ୍କୁ ହତ୍ୟା ପାଇଁ ଲାଲୁ, ମହମ୍ମଦ ରାଜା, ବାବୁ ସହ ଫେରାର ଅନ୍ୟ ଦୁଇ ଅପରାଧୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ମୁସ୍ତାକ କଥା ଦେଇଥିଲା। ଆଜି ଉଦିତନଗର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ପି.କେ. ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଷ୍ଟର ମାଇଣ୍ଡ ମୁସ୍ତାକ ନାଁରେ ଝାଡ଼ଖଣ୍ଡ ଓ ଓଡ଼ିଶାର ବିଭିନ୍ନ ଥାନାରେ ହତ୍ୟା, ଡକାୟତି, ଲୁଟ୍‌ ଭଳି ଅନେକ ମାମଲା ରହିଛି। ପ୍ରାୟ ଦେଢ଼ ବର୍ଷ ତଳେ ସହରର ପ୍ରତିଷ୍ଠିତ ବିଲ୍‌ଡର ଅନ୍‌ମୋଲ ସିଂହଙ୍କ ପାଇଁ ରଚିଥିବା ହତ୍ୟା ଉଦ୍ୟମ ଘଟଣାରେ ଗିରଫହୋଇ ମୁସ୍ତାକ୍‌ ଜେଲରେ ଥିଲା। ୨୦୧୯ ଫେବ୍ରୁଆରି ମାସରେ ସେ ଜେଲ୍‌ରୁ ବାହାରିଥିଲା। ରୋଜଗାର ପାଇଁ ଦିଲ୍‌ସାଥ୍‌ ଖାଁ ସହିତ ମିଶି ବିଦ୍ୟୁତ ବିଲ୍‌ ଆଦାୟ ଏଜେଣ୍ଟ କାମ ଆରମ୍ଭ କରିଥିଲା। କିନ୍ତୁ ଏହି ସ୍ବଳ୍ପ ରୋଜଗାରରେ ସେ ସନ୍ତୁଷ୍ଟ ନଥିଲା। ଅଧିକ ରୋଜଗାର ଆଶାରେ ବିଭିନ୍ନ ଅନୁଷ୍ଠାନରୁ ଦାଦାବଟି ଆଦାୟ ପାଇଁ ସେ ଏକ ଅପରାଧୀ ଗ୍ୟାଙ୍ଗ ଗଠନ କରିଥିଲା। ସେହି ଭିତରେ ତାର ନଜର ପଡ଼ିଥିଲା ମାଲ୍‌ଗୋଦାମ ରେଲୱେ ଲୋଡିଂ ପଏଣ୍ଟ ଉପରେ। ଲୋଡିଂ କାମ ନେଇଥିବା ଦୁଇଜଣଙ୍କ ମଧ୍ୟରୁ ସେ ବୁଲୁ ମହାନ୍ତିଙ୍କୁ ଟାର୍ଗେଟ କରିଥିଲା ବୋଲି ଡିଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର