ଯୋଗାଣ ଅଫିସ୍‌ ଆଗରେ ଆବେଦନ ଫର୍ମର ସ୍ତୁପ, ଆବେଦନ କଲେଣି ୭ ହଜାରରୁ ଅଧିକ ହିତାଧିକାରୀ

ଅଯୋଗ୍ୟ ହିତାଧିକାରୀ ବି ଦାଖଲ କରୁଛନ୍ତି

ରାଉରକେଲା : ଲକ୍‌ଡାଉନ୍‌ ପରେ କାର୍ଡଧାରୀଙ୍କୁ ରାଜ୍ୟ ସରକାର ଏପ୍ରିଲ, ମେ ଓ ଜୁନ୍‌ ତିନି ମାସ ପାଇଁ ଏକକାଳୀନ ଚାଉଳ, ଗହମ ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ କାର୍ଡ ପିଛା ମିଳିଛି ୧ ହଜାର ଟଙ୍କା। ଏଥିସହ କେନ୍ଦ୍ର ସରକାର ମୁଣ୍ଡ ପିଛା ମାସିକ ୫ କେଜି ଚାଉଳ, କାର୍ଡ ପିଛା କେଜିଏ ଲେଖାଏଁ ଡାଲି ଦେଉଛନ୍ତି। ରାସନକାର୍ଡରୁ ବାଦ୍‌ ପଡିଥିବା ଗିରବ ଓ ଅଯୋଗ୍ୟ ହିତାଧିକାରୀ କାର୍ଡ ପାଇବା ଆଶାରେ ଲକ୍‌ଡାଉନ୍‌ କଟକଣାକୁ ନ ମାନି ଦୈନିକ ଯୋଗାଣ ଅଫିସ ଆଗରେ ଭିଡ ଜମାଉଛନ୍ତି। ସହରର ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହ ଶହ ହିତାଧିକାରୀ ଆବେଦନ ଫର୍ମ ପୂରଣ କରି ଅଫିସ ବାରଣ୍ଡାରେ ଦାଖଲ କରୁଛନ୍ତି। ଯୋଗାଣ ବିଭାଗ ବାରଣ କରିବା ସତ୍ବେ ମଧ୍ୟ ହିତାଧିକାରୀ ମାନୁ ନାହାନ୍ତି। ସାମାଜିକ ଦୂରତା ନିୟମକୁ ମାନୁ ନାହାନ୍ତି। ସକାଳ ୮ଟାରୁ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଆଦେନ ଫର୍ମ ସହ ଆବଶ୍ୟକୀୟ କାଗଜପତ୍ର ଦାଖଲ କରୁଛନ୍ତି। ଅଫିସ ଆଗରେ ପଡିଥିବା ରେଜିଷ୍ଟ୍ରରରେ ନିଜ ନାମ ଲେଖୁଛନ୍ତି। ପରେ ଯୋଗାଣ ଅଫିସ୍‌ ଗେଟ୍‌ ବାଡେଇ କର୍ମଚାରୀଙ୍କୁ ଡାକୁଛନ୍ତି। କେବେ କାର୍ଡ ମିଳିବ।

ଚାଉଳ, ଗହମ ଅନ୍ୟମାନଙ୍କ ପରି ତିନି ମାସର ମିଳିବ କି ନାହିଁ, ଏମିତି ଗୋଡାଇ ତୋଡାଇ କର୍ମଚାରୀଙ୍କୁ ପ୍ରଶ୍ନ କରୁଛନ୍ତି। ହିତାଧିକାରୀଙ୍କ କଥାରେ ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି। କାର୍ଡ ମିଳିବାର ସମ୍ଭାବନା ନାହିଁ କହି ଯେତେ ବୁଝାସୁଝା କରୁଥିଲେ ହେଁ, ହିତାଧିକାରୀ ସେମାନଙ୍କ କଥା ଗ୍ରହଣ କରୁ ନାହାନ୍ତି। ସହରର ଗୋପବନ୍ଧୁପାଲୀ, ଟିମ୍ବରକଲୋନୀ, ମାଲଗୋଦାମ, ପ୍ରଧାନପାଲୀ, ପାନପୋଷ ବସ୍ତି, ବିରଜାପାଲି, କୁମ୍ଭାରପଡା, ହରିପୁର ବସ୍ତି, ଲେବର ଟେନାମେଣ୍ଟ, କଳିଙ୍ଗ ବିହାର, ଛେଣ୍ଡ ବସ୍ତି ସମେତ ଇସ୍ପାତ ସହରାଞ୍ଚଳର ଅଧିକାଂଶ ବସ୍ତି ସମେତ କଲୋନିର କିଛି ଲୋକ ମଧ୍ୟ କାର୍ଡ ପାଇବାକୁ ବ୍ୟାକୁଳ ହୋଇ ପଡିଛନ୍ତି। ଏମିତି ଭାବେ ଗତ ପ୍ରାୟ ୨୦ରୁ ୨୫ ଦିନ ଭିତରେ ପ୍ରାୟ ୭ ହଜାରରୁ ଅଧିକ ହିତାଧିକାରୀ ଆବେଦନ ଫର୍ମ ଦାଖଲ କରିସାରିଛନ୍ତି। ଫଳରେ ଯୋଗାଣ ଅଫିସ ଆଗରେ ଯେମିତି ଆବେଦନ ଫର୍ମର ସ୍ତୁପ ସୃଷ୍ଟି ହୋଇଛି। ଆବେଦନ ଫର୍ମଗୁଡ଼ିକ ସେମିତି ଅଫିସ ଆଗ୍‌ରେ ଏତେ ତେଣେ ବିଚ୍ଛୁରିତ ହୋଇ ପଡିଛି। ଏଥି ମଧ୍ୟରୁ କିଛି ଫର୍ମ ବର୍ଷାରେ ଓଦା ହୋଇଗଲାଣି ତ ପୁଣି କେତେକ ଫର୍ମ ପବନରେ ଉଡିଗଲାଣି।

ଆବେଦନ ଫର୍ମ ଦାଖଲ କରିଥିବା ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ କି ନାହିଁ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କୁ ପଚାରିବାରୁ ସେ କହିଛନ୍ତି କାର୍ଡ ମିଳିବାର ସମ୍ଭବନା ନାହିଁ। କିଛି ଲୋକ ଏଭଳି କାର୍ଡ ମିଳିବ ବୋଲି ଅପପ୍ରଚାର କରୁଛନ୍ତି। ଯେଉଁମାନେ ଆବେଦନ କରୁଛନ୍ତି, ସେମାନେ ସମସ୍ତ ଅଯୋଗ୍ୟ ହିତାଧିକାରୀ। ପୂର୍ବରୁ ଏମାନେ ଆବେଦନ କରିଥିଲେ। ଅଯୋଗ୍ୟ ହେବା ପରେ ସେମାନଙ୍କ ନାଁ ତାଲିକାରୁ ବାଦ୍‌ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ରାଉରକେଲା ମହାନଗର ନିଗମ ଏରିଆ ସମେତ ଇସ୍ପାତ ସହରାଞ୍ଚଳରେ ୬୭ ହଜାର ୯୭୧ ଗରିବ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି। ଏମାନଙ୍କୁ ତିନି ମାସ ଏପ୍ରିଲ, ମେ ଓ ଜୁନ୍‌ ମାସର ଚାଉଳ, ଗହମ ବଣ୍ଟନ କରାଯାଇଛି। ଏଥିସହ ପ୍ରତ୍ୟେକ କାର୍ଡ ପିଛା ୧ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ୬୭ ହଜାର ୯୭୧ କାର୍ଡଧାରୀଙ୍କ ପାଇଁ ୬ କୋଟି ୭୯ ଲକ୍ଷ ୭୧ ହଜାର ମଞ୍ଜୁର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬ କୋଟି ୨୧ ଲକ୍ଷ ଟଙ୍କା ବଣ୍ଟନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୬୦ ଲକ୍ଷ ଟଙ୍କା ବଣ୍ଟନ ଜାରି ରହିଛି। ସେପଟେ ରାସନ କାର୍ଡରୁ ବାଦ୍‌ ପଡିଥିବା ସହରର ଗରିବ ହିତାଧିକାରୀଙ୍କୁ କାର୍ଡଧାରୀଙ୍କ ପରି ତିନି ମାସର ଚାଉଳ, ଗହମ ସମେତ ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜନୈତିକ ଦଳ ଦାବି କରିଛନ୍ତି। ରାଜନୈତିକ ନେତାମାନେ ଏ ସଂକ୍ରାନ୍ତରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଆର୍‌ଏମ୍‌ସି କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର