ମା’ ଚାଲିଗଲା ଆରପାରିକୁ, ଭାଇ ତଡ଼ିଦେଲା ଘରୁ; ନାବାଳିକା ଝିଅ ଉପରେ ବୁଢ଼ାବାପାଙ୍କ ବୋଝ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୱାର୍ଡ ନଂ ୧୯ ଚୁଡ଼ିହାରିପଡ଼ାରେ ଜନନୀ ତାଣ୍ଡି ଛୋଟ କୁଡ଼ିଆ ଘର କରି ନିଜ ସ୍ୱାମୀଙ୍କ ସହ ରହୁଥିଲେ। ସ୍ୱାମୀ ସ୍ତ୍ରୀ ଦୁହେଁ ଲୋକଙ୍କ ଘରେ କାମଧନ୍ଦା କରି ବେଶ୍‌ ଆରାମରେ ରହୁଥିଲେ। ସବୁ ବେଳେ ତାଙ୍କରି ଏକମାତ୍ର ଦୁଃଖ ଦୁହେଁ ଅପୁତ୍ରିକ ଥିଲେ। କିଛି ବର୍ଷ ପୂର୍ବେ ଜନନୀଙ୍କ ଭାଇ ଓ ଭାଇବୋହୂଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନିଜ ପାଖରେ ରଖି ଯତ୍ନ କରିଥିଲେ। ପୁଅ ତାଙ୍କରି ଲାଳନ ପାଳନରେ ଆଜି ବଡ଼ ହୋଇଯାଇଛି। ସେ ଏବେ ଗୋଟିଏ ୱେଲ୍‌ଡିଂ ଗ୍ୟାରେଜରେ କାମ କରୁଛି। ତାର ବାହାଘର ମଧ୍ୟ ସରିଛି। କିନ୍ତୁ ଯିଏ ନିଜର ବୁଢ଼ାବାପାଙ୍କ ସାହାରା ହେବ ବୋଲି ଭାବୁଥିଲେ ସେ କିନ୍ତୁ ନିଜ ବାପା ମାଁ ଓ ଛୋଟ ଭଉଣୀଙ୍କୁ ଘରୁ ତଡ଼ି ଦେଇଥିଲା।

ସେହି ଦିନଠାରୁ ଜନନୀ ନିଜ ସ୍ୱାମୀ ଓ ଛୋଟ ଝିଅଙ୍କୁ ଏକ ଅସ୍ଥାୟୀ ଘରେ ରଖି ଜଣେ ବ୍ୟକ୍ତିଙ୍କ ଘର ତିଆରି କାମର ଦେଖାଶୁଣା କରୁଥିଲେ। ପ୍ରତିବଦଳରେ ତାଙ୍କୁ ମିଳୁଥିଲା ମାସକୁ ୩,୫୦୦ ଟଙ୍କା। ସରକାରଙ୍କ ମୋ ଜମି ମୋ ଡିହ ଯୋଜନାରେ ଘରଡିହ ପାଇଁ ତହସିଲଦାରଙ୍କୁ ଆବେଦନ କରିଥିଲେ। ଫଳରେ ସେ କୁଶାଡ଼ଙ୍ଗର ରାଜଗୋପାଳ ନଗରଠାରେ ଜାଗା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏପରିକି ଜନନୀ ସେହି ସ୍ଥାନରେ ଘର ତିଆରି କରିବା ଆରମ୍ଭ କରିଥିଲେ। କିନ୍ତୁ ବିଧିର ବିଧାନ ଓଲଟା ଥିଲା। ତାଙ୍କରି ନିଜର ଘରଟିଏ କରିବେ ସେଥିରେ ସେମାନେ ମୁଣ୍ଡ ଗୁଞ୍ଜିବେ ସେହି  ସ୍ବପ୍ନ ସ୍ୱପ୍ନରେ ରହିଗଲା। ଗତ ୧୨ ତାରିଖ ଦିନ ସେ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରି ମୃତ୍ୟୁ ଘଟିଥିଲା। ଯେଉଁ ଘର ଜଗିବା ପାଇଁ ପରିବାର ନିୟୋଜିତ ଥିଲା ସେହିଠାରୁ ବି ତାଙ୍କୁ ତଡ଼ି ଦିଆଗଲା। ଏବେ ନାବାଳିକା ଝିଅ ବେଲ ଉପରେ ପରିବାରର ସମସ୍ତ ବୋଝ। ବୁଢ଼ା ବାପାଙ୍କୁ କିପରି ପୋଷିବ ସେହି ଚିନ୍ତାରେ ବେଲ ଭାଙ୍ଗି ପଡ଼ିଛି।

ପୌରପାଳିକା ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୩,୦୦୦ ଟଙ୍କାର ସାହାଯ୍ୟ ପାଇ ନିଜ ମାଁଙ୍କ ଶୁଦ୍ଧିକ୍ରିୟା କରିଥିଲା। ସେହି ପଡ଼ାର କିଛି ଲୋକଙ୍କର ସାହାଯ୍ୟରେ ଦଶାହ କାର୍ଯ୍ୟ ସମାପନ କରିଥିଲା। ନାବାଳିକା ପରିବାରକୁ କଂଗ୍ରେସ ପରିବାର ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଭବାନୀପାଟଣା ନଗର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସରୋଜ ବାଗ ଓ ମହିଳା କଂଗ୍ରେସର ଉପସଭାନେତ୍ରୀ ମନ୍ଦାକିନୀ ବାଣୁଆ ପରିବାର ଲୋକଙ୍କୁ ସାକ୍ଷାତ କରି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସ୍ବାନ୍ତ୍ବନା ଦେବା ସହ ସହାୟତା ରାଶି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର