ଅପରାଧୀଙ୍କ କବଜାରେ ବୁର୍ଲା; ଧରୁଛି, ରୋକିପାରୁନି ପୋଲିସ

ସମ୍ବଲପୁର/ବୁର୍ଲା: ସମ୍ବଲପୁରର ବୁର୍ଲା ସହର ଏବେ ଅପରାଧୀଙ୍କ ଗଡ଼ ପାଲଟିବାରେ ଲାଗିଛି। ଚୋରି, ସୁଟ୍‌ ବୁର୍ଲା ଥାନା ଅଞ୍ଚଳରେ ସାଧାରଣ ଘଟଣା ପାଲଟି ସାରିଥିବା ବେଳେ ଏବେ ଲୁଟ୍‌ ପାଇଁ ଲୋକଙ୍କୁ ଅପରାଧୀମାନେ ହତ୍ୟା କରିବା ଆରମ୍ଭ କଲେଣି। ବୁର୍ଲା ସହରରେ ଏବେ ଆଇନ୍‌ ଶୃଙ୍ଖଳା ବାଟରେ ପଡ଼ି ହାଟରେ ଗଡିଲାଣି ବୋଲି ଲୋକେ କହିଲେଣି। ଗତ ମାର୍ଚ୍ଚ ମାସରେ ବୁର୍ଲା ଥାନାରେ କେବଳ ୧୮ଟି ଚୋରି ଓ ଲୁଟ୍‌ ମାମଲା ରୁଜୁ ହୋଇଛି। ବୁର୍ଲା ପୁଲିସ। ଯଦିଓ କିଛି ଅପରାଧୀଙ୍କୁ ଧରିବାରେ ସଫଳ ହୋଇଚି, କିନ୍ତୁ ଅପରାଧ ଅଟକାଇବାରେ ସଫଳ ହୋଇ ପାରୁନାହିଁ।

ମାର୍ଚ୍ଚରେ ୧୮ ଚୋରି ଓ ଲୁଟ୍‌ ମାମଲା

୪ ବାଇକ୍‌, ଗୋଟେ କାର୍‌ ସହ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି

ଗତ ୭ ଦିନରେ ଲୁଟ୍‌ ପାଇଁ ହତ୍ୟା ସହ ୬ ଚୋରି ମାମଲା

ଗୁରୁବାର ଟଙ୍କା ପାଇଁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଲୋକେ ଏବେ ଘରୁ ବାହାରିବାକୁ ବି ଭୟ କରୁଥିବା କହୁଛନ୍ତି। ବୁର୍ଲା ଥାନା ଅଞ୍ଚଳରୁ ଗତ ମାସରେ ୪ଟି ବାଇକ୍‌ ଚୋରି ହୋଇଥିବା ବେଳେ ଗୋଟିଏ କାର୍‌୍‌ ଚୋରିର ଅଭିଯୋଗ ହୋଇଥିଲା। ଏହା ସହିତ ୧ ଲକ୍ଷ ୯୦ ହଜାରରୁ ଅଧିକ ଟଙ୍କା ଓ ସୁନାରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ଏପ୍ରିଲ୍‌ ମାସର ପ୍ରଥମ ସପ୍ତାହରେ ଟଙ୍କା ପାଇଁ ଜଣେ ରୋଗୀ ସମ୍ପର୍କୀୟଙ୍କୁ ହତ୍ୟା କରାସରିଥିବା ବେଳେ ଏମ୍‌ସିଏଲ୍‌ କଲୋନିର ୬ ଲକ୍ଷରୁ ଅଧିକ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁର୍ଲାରେ ଅପରାଧୀଙ୍କ କାୟା ବଢ଼ିଚାଲିଥିବା ବେଳେ ପୁଲିସ କେବଳ ପେଟ୍ରୋଲ ପୋଡ଼ିବାକୁ ପାଟ୍ରୋଲିଂ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି।

ଏସ୍‌ବିଆଇ ଏଟିଏମ୍‌ରୁ ୧୧ ବ୍ୟାଟେରି ନେଇଗଲେ

ମାର୍ଚ୍ଚ ୧ ତାରିଖ ବିଳମ୍ବିତ ରାତିରେ ବୁର୍ଲା ଥାନା ଗୋଶାଳା ଏସ୍‌ବିଆଇ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ୬ଟି ବ୍ୟାଟେରି ଚୋରି କରି ନେଇଥିଲେ। ସେହି ରାତିରେ ବୁର୍ଲା ଥାନା ଗୋଡଭଗା ଏସ୍‌ବିଆଇ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ୫ଟି ବ୍ୟାଟେରି ଚୋରି କରିଥିଲେ। ଏ ନେଇ ଅବିଯୋଗ ପରେ ପୁଲିସ ୨ଟି ମାମଲା ରୁଜୁ କରିଥିଲା।

ଝରକା ଭାଙ୍ଗି ନେଇଗଲେ ଟିଭି, ୮୦ ହଜାର ଟଙ୍କା

ମାର୍ଚ୍ଚ ୫ ତାରିଖ ବିଳମ୍ବିତ ରାତିରେ ଅଶ୍ବିନୀ କୁମାର ଗୁରୁଙ୍କ ଘରେ କିଚି ଦୁର୍ବୃତ୍ତ ରୋଷେଇ ଘର ଝରକା ଭାଙ୍ଗି ପଶିଥିଲେ। ଦୁର୍ବୃତ୍ତମାନେ ଗୋଟିଏ ଏଲ୍‌ଇଡି ଟିଭି, ଗୋଟିଏ ରୁମ୍‌ ହିଟର ସାଙ୍ଗକୁ ୮୦ ହଜାର ଟଙ୍କା ନେଇଯାଇଥିବା ଅଶ୍ବିନୀ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ।

୪ ବାଇକ୍‌ ଚୋରି

ମାର୍ଚ୍ଚ ମାସରେ ବୁର୍ଲା ଥାନା ଅଞ୍ଚଳରୁ ୪ଟି ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ୮ତାରିଖ ରାତିରେ ବୁର୍ଲା ଥାନା ପୁରୁଣାବନ୍ଧର ବିପିନ ଦଣ୍ଡସେନାଙ୍କ ଘର ସମ୍ମୁଖରୁ ତାଙ୍କ ବାଇକ୍‌(ଓଡି ୧୫ ଏଚ୍‌ ୦୩୫୭)କୁ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ମାର୍ଚ୍ଚ ୧୭ ତାରିଖ ରାତି ବୁର୍ଲା ଥାନା ପାଣିଡୁଙ୍ଗୁରିପଡ଼ା ଓ ପୋତାପାଲିରୁ ୨ଟି ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପାଣିଡୁଙ୍ଗୁରିପଡ଼ାର ଦେବାଶିଷ ଜେନାଙ୍କ ଘର ସମ୍ମୁଖରୁ ତାଙ୍କ ବାଇକ୍‌(ଓଆର୍‌ ୦୨ ବିପି ୯୦୭୨)କୁ କେହି ଦୁର୍ବୃତ୍ତ ଚୋରି କରିଥିବା ବେଳେ ପୋତାପାଲିର ବିଶ୍ବନାଥ ବେରିହାଙ୍କ ଘରୁ ତାଙ୍କ ବାଇକ୍‌(ଓଆର୍‌ ୧୫ ଏଲ୍‌ ୧୩୨୭)କୁ କେହି ଚୋରି କରି ନେଇଥିଲା। ସେଭଳି ବୁର୍ଲା ଭିମ୍‌ସାର୍‌ କ୍ୟାମ୍ପସରୁ ମାର୍ଚ୍ଚ ୨୮ ତାରିଖ ଦିନ ୧୦ ସମୟରେ କେହି ଜଣେ ଦୁର୍ବୃତ୍ତ ବରଗଡ଼ ଲଉନସରାର ଏକାନାନ ପଧାନଙ୍କ ବାଇକ୍‌(ଓଡି ୧୭ ଡି ୦୪୪୮)କୁ ଚୋରି କରି ନେଇଥିଲେ।

ଛୁରି ଦେଖାଇ ଟଙ୍କା ଲୁଟ୍‌

ମାର୍ଚ୍ଚ ୧୯ ତାରିଖ ରାତି ୯ଟା ସମୟରେ ଗଞ୍ଜାମ ଆସିକାର ଦୋଳ ଜେନା ଓ ତାଙ୍କ ସାଙ୍ଗ ସନ୍ଦୀପ ଘରକୁ ଫେରୁଥିବା ବେଳେ ଚଇନିପଡ଼ା ନିକଟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଦେଖାଇ ପାଖରେ ଥିବା ଟଙ୍କା ନେଇଯାଇଥିଲେ।

କବାଟ ଭାଙ୍ଗି ସୁନାରୁପା ଓ ୨୫ ହଜାର ଚୋରି

ମାର୍ଚ୍ଚ ୧୧ ତାରିଖରୁ ୧୩ ତାରିଖ ଯାଏ ବୁର୍ଲା ଥାନା ସିସିବି ଫାର୍ମ ଛକର ପ୍ୟାରୀ କୁମ୍ଭାର(୬୭)ଙ୍କ ଘରେ କେହି ନଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘର କବାଟ ଭାଙ୍ଗି ଘରୁ ୩ ହଳ ରୁପା ପାଉଁଜି, ୨ ଗ୍ରାମ ସୁନା କାନଫୁଲ, ନଗଦ ୨୫ ହଜାର ଟଙ୍କା, ୨ଟି ଏଲ୍‌ଆଇସି ବଣ୍ଡ ଚୋରି କରି ନେଇଥିଲେ।

ଦୋକାନ ଡ୍ର’ରୁ ୮୫ ହଜାର ନେଇଗଲେ

ମାର୍ଚ୍ଚ ୨୫ ତାରିଖ ରାତି କିଛି ଦୁର୍ବୃତ୍ତ ବୁର୍ଲା କଣ୍ଟ୍ରାକ୍‌ଟର୍‌ କଲୋନିର ନିମାଇ ଚରଣ ଘୋଷଙ୍କ ଦୋକାନକୁ ପଶିଥିଲେ। ଦୋୋକାନ ଡ୍ର’ରୁ ୮୫ ହଜାର ଟଙ୍କା ନେଇଯାଇଥିବା ନିମାଇ ଅଭିଯୋଗ କରିଥିଲେ।

ରୋଗୀ ସମ୍ପର୍କୀୟଙ୍କ ଟାରୁ ୬ ହଜାର ଲୁଟ

ସୋନପୁର ଜିଲ୍ଲା ରାମପୁରର ଗିରିଧାରୀ ମେହେର ତାଙ୍କ ସ୍ତ୍ରୀଙ୍କୁ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରିଥିଲେ। ଏପ୍ରିଲ୍‌ ୧ ତାରିଖ ଭୋର ୫ଟା ୩୦ ସମୟରେ ହସ୍ପିଟାଲ୍‌ ପଛ ପାଖ କେନାଲ୍‌କୁ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ଏକ ଅଟୋରେ ତାଙ୍କ ପାଖକୁ ଆସିଥିଲେ। ତାଙ୍କୁ ମାର୍‌ଫିଟ୍‌ କରିବା ସହ ତାଙ୍କ ପାଖରୁ ଏକ ମୋବାଇଲ୍‌ ଫୋନ ଓ ୬ ହଜାର ଟଙ୍କା ଛଡ଼ାଇ ନେଇଯାଇଥିଲେ।

ଏମ୍‌ସିଏଲ୍‌ କ୍ୟାର୍ଟର୍‌ରୁ ୬ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ବୁର୍ଲା ଏମ୍‌ସିଏଲ୍‌ ଜାଗୃତି ବିହାରରୁ କିଛି ଦୁର୍ବୃତ୍ତ ଏକାଧିକ ଘରେ ପଶି ସୁନା ଅଳଙ୍କାର ଲୁଟ୍‌ କରିଥିଲେ। ଏ ନେଇ ବାଲାଜୀ ଭେମାନା ବୁର୍ଲା ଥାନାରେ ଏପ୍ରିଲ ୫ ତାରିଖ ଦିନ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ କଲୋନିର ବିଭିନ୍ନ ଘରୁ ମୋଟ ୬,୨୧,୫୦୦ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଛି।

ମହିଳାଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

ଗୁରୁବାର ସଂଧ୍ୟା ୬ଟା ବେଳେ ଦୁଇ ଜଣ ମହିଳା ଜ୍ୟୋତିବିହାରରୁ ପ୍ଲାନେଟାରିୟମ୍ ଅଭିମୁଖେ ଚାଲିଚାଲି ଯାଉଥିବା ବେଳେ ବଲେରପଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ଏକ ନୀଳ ରଂଗର ପଲ୍‌ସର ଗାଡ଼ିରେ ଆସି ଜଣେ ମହିଳା ବେକରେ ପିନ୍ଧିଥିବା ସୁନା ଚେନ୍ ଟାଣି ନେଇ ଫେରାର ହୋଇ ଯାଇଥିଲେ। ଲୁଟ୍‌ ବେଳେ ଚେନ୍‌ଟି ଛିଣ୍ଡି ଯାଇ କିଛି ଅଂଶ ରାସ୍ତାରେ ପଡ଼ି ଯାଇଥିବାବେଳେ ବାକି ଅଂଶ ନେଇ ସେମାନେ ‌ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର