ଆସିଲା ବୁର୍ଲା ରୋଗୀଙ୍କ ରକ୍ତ ନମୁନା ରିପୋର୍ଟ : କରୋନା ନୁହେଁ, ଇନ୍‌ଫ୍ଲୁଏଞ୍ଜା

ସମ୍ବଲପୁର/ଭୁବନେଶ୍ବର : କ‌ରୋନା ସନ୍ଦେହରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀ ‘କରୋନା’ ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି। ଆଜି କୋଲକାତାରୁ ଆସିଥିବା ତାଙ୍କ ରକ୍ତନମୁନା ରିପୋର୍ଟ ନଭେଲ୍ କରୋନା ନେଗେଟିଭ୍‌ ରହିଥିଲେ ମଧ୍ୟ ସେ ଫ୍ଲୁ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ଇନଫ୍ଲୁଏଞ୍ଜାରେ ପୀଡ଼ିତ ଥିବା ଜଣାପଡ଼ିଛି। ଫଳରେ ସଂଦିଗ୍ଧ ରୋଗୀଙ୍କୁ ନେଇ ରହିଥିବା ଆଶଙ୍କା ଟିଳିଛି ଏବଂ ବର୍ତ୍ତମାନ ସୁଦ୍ଧା ରାଜ୍ୟ ପ୍ରତି କରୋନା ବିପଦ ସୃଷ୍ଟି ହୋଇ ନଥିବା ଜଣାପଡ଼ିଛି। ବୁର୍ଲା ବଡ଼ଡାକ୍ତରଖାନାର ଛାତି ଓ ଯକ୍ଷ୍ମା ବିଭାଗର ମୁଖ୍ୟ ଡା.ସୁଦର୍ଶନ ପୋଥାଲ କହିଛନ୍ତି, କରୋନା ନେଗେଟିଭ ରିପୋର୍ଟ ପରେ ମଧ୍ୟ ରୋଗୀଙ୍କୁ ଏବେ ଡିସଚାର୍ଜ କରାଯିବ ନାହିଁ। ସେ ଇନଫ୍ଲୁଏଞ୍ଜା ରୋଗରେ ପୀଡ଼ିତ ଥିବାରୁ ଆଇସୋଲେସନ ୱାର୍ଡରେ ଅନୁରୂପ ସୁରକ୍ଷା ବ୍ୟବସ୍ଥା ସହିତ ତାଙ୍କ ଚିକିତ୍ସା ଜାରି ରହିବ। ଏହାପରେ କଣ କରାଯିବ ସେ ନେଇ ସେ ସରକାରଙ୍କୁ କ୍ଲାରିଫିକେସନ ମାଗିବେ ଏବଂ ତଦ୍‌ଅନୁଯାୟୀ ପଦକ୍ଷେପ ନିଆଯିବ। ତେବେ ସାଧାରଣରେ ମିଳିମିଶା ନ କରିବା ପାଇଁ ସଂପୃକ୍ତ ରୋଗୀଙ୍କ ପାଇଁ ବାପା- ମାଙ୍କୁ ଦିଆଯାଇଥିବା ପରାମର୍ଶ ପ୍ରତ୍ୟାହାର କରି ନିଆଯାଇଥିବା ଡା.ପୋଥାଲ କହିଛନ୍ତି।

ସମ୍ବନ୍ଧିତ ଖବର