ଆତ୍ମହତ୍ୟା ଉଦ୍ୟମରେ କଟିଗଲା ଡାହାଣ ହାତ, ଗୁରୁତର ଦାଦନ ଶ୍ରମିକ ବୁର୍ଲା ସ୍ଥାନାନ୍ତରିତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଫାଟକ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଦାଦନ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ବଡ଼ ଅଘଟଣ ଘଟିଛି। ଶ୍ରମିକଙ୍କ ଡାହାଣ ହାତ ସଂପୂର୍ଣ୍ଣ କଟିଯାଇଛି। ଯୁବକ ଜଣକ ସୋନପୁର ଜିଲ୍ଲା କୁଡ଼ାଡେରା ଗାଁର ଚନ୍ଦ୍ରଭାନୁ ଭୋଇ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ ଚନ୍ଦ୍ରଭାନୁ। ଶୁକ୍ରବାର ରାତିରେ ସେ ବଲାଙ୍ଗୀର ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କୁ ଦୁଇଜଣ ସମ୍ପର୍କୀୟ ବାଇକରେ ଧରି ବୁର୍ଡା ଫାଟକ ଦେଇ ନିଜ ଗାଁକୁ ନେଉଥିଲେ। ରାତିରେ ବୁର୍ଡାଠାରେ ଫାଟକ ପଡ଼ିଥିବାରୁ ତିନି ଜଣ ଅଟକିଥିଲେ। ବଲାଙ୍ଗୀର ପଟୁ ଏକ ଏକ୍ସପ୍ରେସ ଟ୍ରେନ୍‌ ଆସିଥିଲା। କେଜାଣି କାହିଁକି ହଠାତ ଚଳନ୍ତା ଟ୍ରେନ୍‌ ସମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଚନ୍ଦ୍ରଭାନୁ। କିନ୍ତୁ ଟ୍ରେନରେ ପିଟି ହୋଇ ଛିଟିକି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସଂପୂର୍ଣ୍ଣ କଟିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ରାତିରେ ଗୁରୁତର ଚନ୍ଦ୍ରଭାନୁଙ୍କୁ କଟାହାତ ସହିତ ବୁର୍ଲାକୁ ଡାକ୍ତର ରେଫର କରିଥିଲେ। ସେ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣାପଡ଼ିନାହିଁ। ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଦାଦନ ଶ୍ରମିକ ଜଣକ ମାନସିକ ଅବସାଦରେ ଥିବା କହାଯାଉଛି।

ସମ୍ବନ୍ଧିତ ଖବର