ଅଟେଇ ଜଙ୍ଗଲରେ ନିଆଁ, ଜୀବଜନ୍ତୁ ଛାନିଆ

ଘଟଗାଁ: ଦୁଇଦିନ ହେଲା ଜଳୁଛି କେନ୍ଦୁଝର ଜିଲ୍ଲାର ବୃହତ୍‌ ଅଟେଇ ସଂରକ୍ଷିତ ଜଙ୍ଗଲ। ବନ କର୍ମଚାରୀଙ୍କ ନିଦ ହଜିଗଲାଣି। ଦିନରାତି ଏକ କରି ଲିଭାଉଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରୁନି। ଡିଏଫ୍ଓ ଏଚ୍‌ଡି ଧନରାଜ ଗତକାଲି ରାତିରେ ଆସି ନିଆଁ ଲିଭା କାର୍ଯ୍ୟର ତଦାରଖ କରିଛନ୍ତି।

ପ୍ରାପ୍ତ ସୂଚନା‌ ଅନୁଯାୟୀ, ଘଟଗାଁ ରେଞ୍ଜ ଅଧୀନରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରେ ୧୯ ତାରିଖରୁ ନିଆଁ ଲାଗିଛି। ବାଇଗଣପାଳ ବିଟ୍‌ର ଉତ୍ତରଦକ୍ଷିଣ ଭାଗ ଏବଂ କାଦବାହାଳି ବିଟ୍‌ର ଉତ୍ତରଦକ୍ଷିଣ ଦିଗରେ ନିଆଁ ଲାଗିଥିବା ଜଣାଯାଇଛି। ଏକର ଏକର ଅଞ୍ଚଳକୁ ନିଆଁ ମାଡ଼ି ଯାଇଥିବାରୁ ବନ ବିଭାଗ ଚିନ୍ତାରେ ପଡ଼ିଯାଇଛି। ସ୍ବତନ୍ତ୍ର ତାଲିମପ୍ରାପ୍ତ ପାରାଫରେଷ୍ଟ କର୍ମଚାରୀଙ୍କୁ ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସାମାନ୍ୟ ପବନ ହେଲେ ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ରହିଛି।

ଅଟେଇ ସଂରକ୍ଷିତ ଜଙ୍ଗଲରେ ବର୍ତ୍ତମାନ ଗଛଗୁଡ଼ିକ ପତ୍ରଝଡ଼ା ଦେଉଛନ୍ତି। ଗଛମୂଳେ ଶୁଖିଲା ପତ୍ର ସବୁ ଜମା ହୋଇଛି। କେହି ଦୃର୍ବୃତ୍ତମ ନିଆଁ ଲଗାଇ ଦେଲେ ଏହା ଭୟଙ୍କର ରୂପ ନେଇଥାଏ। ବିଶେଷ କରି ଜଙ୍ଗଲକୁ ଶିକାର ଓ ମହୁଲଫୁଲ ସଂଗ୍ରହ ପାଇଁ ଯାଉଥିବା ଲୋକେ ଜାଣିଶୁଣି ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଇଥାନ୍ତି। ଗତବର୍ଷ ମଧ୍ୟ ଅଟେଇ ଜଙ୍ଗଲରେ ନିଆଁ ଲାଗି ଭୟଙ୍କର ରୂପ ଧାରଣ କରିଥିଲା। ବନ ବିଭାଗର ୫୦ଟି ଦଳ ନିଆଁକୁ ଆୟତ୍ତ କରିଥିଲେ। ଚଳିତବର୍ଷ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଥିଲା। ଏହା ସତ୍ତ୍ବେ ମଧ୍ୟ ଜଙ୍ଗଲରେ ନିଆଁ ଲାଗିବା ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର