ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ, ଭୁଲିଗଲେ : ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଖୋଲିଲାନି ‘ବର୍ଣ୍ଣିଂ କେୟାର୍ ୟୁନିଟ୍

ବ୍ରହ୍ମପୁର : ଗତ ୯ ତାରିଖ ରବିବାର ଗଞ୍ଜାମ ଜିଲ୍ଲା ପାଇଁ ଥିଲା ‘କଳା ରବିବାର’। ରଙ୍ଗେଇଲୁଣ୍ତା ବ୍ଲକ୍‌ର ମେଣ୍ଡରାଜପୁର ଗାଁରେ ନିର୍ବନ୍ଧ ଲାଗି ବରଯାତ୍ରୀଙ୍କୁ ଧରିଯାଉଥିବା ଏକ ବସ୍ ୧୧କେଭି ତାର ସ˚ସ୍ପର୍ଶ ଆସିଥିଲା। ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ଜଣ ଗୁରୁତର ହୋଇଥିଲେ। ଅଦ୍ୟାବଧି କିଛି ଆହତ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟ ଅନୁରୂପ ଭାବେ ଏକ କଳା ରବିବାରରେ ପାଳ ନିଆଁରେ ଜିଅନ୍ତା ଜଳି ୩ ଜଣ ନିରୀହ ଶିଶୁଙ୍କ ପ୍ରାଣ ଚାଲିଯାଇଛି।

୯ ତାରିଖରେ ବିଦ୍ୟୁତ ତାର ଲାଗି ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଏଠାରେ ବର୍ଣ୍ଣିଂ କେୟାର୍ ୟୁନିଟ୍ ନଥିବାରୁ ଆହତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରି ନଥିଲା। ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହେବା ପରେ ଚେତିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଆସନ୍ତା ୭ଦିନ ଭିତରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ଣ୍ଣିଂ କେୟାର୍ ୟୁନିଟ୍ ଖୋଲିବା ଲାଗି ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ।

ହେଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ୧୩ଦିନ ବିତିବାକୁ ବସିଛି। ଏହି ସ୍ବତନ୍ତ୍ର ୟୁନିଟ୍ ଖୋଲିବା ଲାଗି ଏଯାଏ ପଦକ୍ଷେପ ନିଆ ଯାଇ ନଥିବା ବେଳେ ପୁଣି ଘଟିଛି ଏକ ଅଘଟଣ। ନିଆଁରେ ପୋଡ଼ି ହୋଇ ୩ ନିରୀହ ଶିଶୁଙ୍କ ଜୀବନ ଯାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ଣ୍ଣିଂ କେୟାର୍ ୟୁନିଟ୍ ନଥିବାରୁ ଜଣେ ଗୁରୁତର ଶିଶୁକୁ କଟକ ବଡ଼ ଡାକ୍ତରଖାନାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲାରେ ଗୋଟିଏ ଅଘଟଣ ପରେ ଆଉ ଅଘଟଣ ଘଟି ଚାଲିଥିଲେ ହେଁ ଏଯାଏ ପଦକ୍ଷେପ ନିଆଯାଇନାହିଁ।

ସମ୍ବନ୍ଧିତ ଖବର