କଲେଜ ଛାତ୍ରୀ ଜଳିଗଲେ

ଗୋପାଳପୁର: ଆଜି ସଂଧ୍ୟାରେ ରଘୁନାଥପୁର ତହସିଲ ଅନ୍ତର୍ଗତ ରାଉତ-ନୂଆଗାଁ‌େର ରୋଷେଇ ଚୂଲିରୁ ନିଆଁ ଲାଗି ଜଣେ ଯୁକ୍ତ ଦୁଇ ଛାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି। ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ବାପା, ମାଆ ଓ ଭାଇ ଆହତ ହୋଇଛନ୍ତି। ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ରାଉତ-ନୂଆଗାଁର ଅଚ୍ୟୁତ ଦାସଙ୍କ ଝିଅ ମାମା(୧୭) ଘରେ ରୋଷେଇ କରୁଥିଲେ। ଏହି ସମୟରେ ରୋଷେଇ ନିଆଁ ଚାଳକୁ ଧରି ପକାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର ଘରକୁ ଗ୍ରାସ କରି ପକାଇଥିଲା। ଚାରିପଟୁ ନିଆଁ ଲାଗି ଯାଇଥିବାରୁ ମାମା ନିଆଁ ଭିତରେ ଫଶି ଯାଇଥିଲେ। ଝିଅକୁ ଉଦ୍ଧାର କରିବା ପାଇଁ ବାପା ଅଚ୍ୟୁତଙ୍କ ସମେତ ମାମାଙ୍କ ବୋଉ ଓ ଭାଇ ମଧ୍ୟ ନିଆଁ ଭିତରକୁ ପଶି ଯାଇଥିଲେ। ସେମାନେ ସମସ୍ତେ ନିଆଁରେ ପୋଡ଼ିହୋଇ ଆହତ ହୋଇଥିଲେ ସିନା ମାମାଙ୍କୁ ନିଆଁ ଭିତରୁ ବାହାର କରିପାରି ନଥିଲେ। ନିଆଁରେ ମାମା ଜିଅନ୍ତା ଜଳି ଯାଇଥିଲେ। ଖବର ପାଇ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ‌ହେଁ ସେତେବେଳକୁ ୪ବଖରା ଘର ସମେତ ସମସ୍ତ ଆସବାବପତ୍ର ଓ ଖାଦ୍ୟଶସ୍ୟ ପୋଡ଼ି ପାଉଁଶ ହୋଇ ଯାଇଥିଲା। ମାମା ବାରଙ୍ଗ କଲେଜ ଯୁକ୍ତ ଦୁଇ କଳା ବିଭାଗର ଛାତ୍ରୀ ଅଟନ୍ତି।

ସମ୍ବନ୍ଧିତ ଖବର