ସମ୍ବଲପୁର: ବିବାଦ ଘେରରେ ଛନ୍ଦି ହୋଇଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ କୁଶପୁତ୍ତଳିକା ଦାହ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆର୍ଥିକ ଅନିୟମିତତାର ପ୍ରମାଣ ମିଳିବା ପରେ ବି ପ୍ରଫେସର ମିତ୍ତଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ଆସିଛି। ଆଜି କୁଳାଧିପତିଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ପ୍ରଶ୍ନ ଉଠାଯାଇଛି।
ଆଜି ଆଇନଜୀବୀ ତଥା ପୂର୍ବତନ ସିଣ୍ଡିକେଟ ସଦସ୍ୟ ଦୁର୍ଗା ପ୍ରସାଦ ପାଢ଼ୀ, ବୁର୍ଲା ଟାଉନ୍ କଂଗ୍ରେସ ସଭାପତି ଶିବବ୍ରତ ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ଆଇନଜୀବୀ, ସିଣ୍ଡିକେଟ ଓ ସିନେଟର ପୂର୍ବତନ ସଦସ୍ୟମାନେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତିଙ୍କ ଜରିଆରେ କୁଳାଧିପତିଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ ପ୍ରଫେସର ସଂଜୀବ ମିତ୍ତଲ କୁଳପତି ଦାୟିତ୍ବ ନେବା ପରଠାରୁ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଅନେକ ଦୁର୍ନାମ ମୁଣ୍ଡାଇଛି। ବେଆଇନ ଗଛକଟା, ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ, ପାଠାଗାରର ମୂଲ୍ୟବାନ ପୁସ୍ତକ ପୋଡ଼ି ସହିତ ସରକାରୀ ପାଣ୍ଠିର ଅନିୟମିତତା ଭଳି ଅନେକ ଘଟଣା ତାଙ୍କ ସମୟରେ ଘଟିଛି। ପ୍ରଫେସର ମିତ୍ତଲଙ୍କ କେତେକ କାର୍ଯ୍ୟ ଯୋଗୁ କେବଳ ବିଶ୍ବବିଦ୍ୟାଳୟକୁ ଶୈକ୍ଷିକ କ୍ଷତି ସହିବାକୁ ପଡ଼ିଛି ତାହା ନୁହେଁ, ଆର୍ଥିକ କ୍ଷତିର ବି ସମ୍ମୁଖୀନ ହେବାକୁ ପଡ଼ିଛି।
ନୀତି ଓ ନିୟମର ଉଲ୍ଲଂଘନ କରି ବିଶ୍ବବିଦ୍ୟାଳୟ ପାଣ୍ଠିରୁ ୨୯ ଲକ୍ଷ ଟଙ୍କା ତାଙ୍କର ପତ୍ନୀ ଓ ପୁତ୍ରଙ୍କ ପାଖକୁ ପଠାଇବା ଘଟଣାରେ କୁଳାଧିପତି ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ଏହି ପ୍ରସଂଗରେ ଉଚ୍ଚଶିକ୍ଷା ବିଭାଗ ବି ନିଜର ତଦନ୍ତ ରିପୋର୍ଟ ଦାଖଲ କରିଛି। ଆର୍ଥିକ ଅନିୟତିତତା ମାମଲାର ରିପୋର୍ଟ ଦାଖଲ କରାଯିବା ପରେ କିନ୍ତୁ କୁଳପତି ପ୍ରଫେସର ମିତ୍ତଲ କୌଣସି କାରଣରୁ ଲମ୍ବା ଛୁଟିରେ ଚାଲି ଯାଇଛନ୍ତି। କିନ୍ତୁ, ବିଡମ୍ବନା ହେଲା ଯେ, ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସରକାରୀ ଅଧିକାରୀ କିମ୍ବା କର୍ମଚାରୀ କୌଣସି ଏଭଳି ଦୁର୍ନୀତିରେ ଲିପ୍ତ ଥିଲେ ଥାନାରେ ତାଙ୍କ ବିରୋଧରେ ଏତଲା ଦିଆଯାଇଥାଏ।
ହେଲେ, ଏହି କ୍ଷେତ୍ରରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି କୁଆଡ଼େ ଗଲା ବୋଲି ଏହି ଦାବିପତ୍ରରେ ପ୍ରଶ୍ନ କରାଯାଇଛି। ପ୍ରଫେସର ମିତ୍ତଲଙ୍କୁ କୁଳପତି ପଦରୁ ହଟାଇବା ସହିତ ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ କୁଳସଚିବଙ୍କୁ ନିର୍ଦ୍ଦେଶ ଦେବାକୁ କୁଳାଧିପତିଙ୍କୁ ନିବେଦନ କରାଯାଇଛି। ସ୍ମାରକପତ୍ର ଦେବା ପୂର୍ବରୁ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରବେଶ ଦ୍ବାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ କୁଳପତିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏଥିରେ ଅରୁଣ କୁମାର, ହରଦୀପ ସିଂହ, ପ୍ରକାଶ ଶତପଥୀ, ସରୋଜ ଦାସ, ସୁକାନ୍ତ ପରିଡ଼ା, ସୁମନ୍ତ ସ୍ବାଇଁ, ଲଳିତ ମିତ୍ତଲ, ପି.କେ. ପ୍ରଧାନ, ହୃଦା ଷଡ଼ଂଗୀ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।