କଟକ: ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ରତାପାଟ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଛି। ନିର୍ବାଚନରେ ଭୋଟ୍ ଦେବାକୁ କେନ୍ଦ୍ରକରି ଉଚ୍ଚବାଚରୁ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଉପୁଜିଥିବା ବିବାଦ କ୍ରମେ ଉଗ୍ରରୂପ ନେବା ସହ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଗଣ୍ଡଗୋଳରେ ଉଭୟ ପକ୍ଷର ଦୁଇଟି ଦୋକାନ ପୋଡ଼ି ଦିଆଯାଇଥିଲା ବେଳେ ଦୁଇଟି ଦୋକାନ ଭାଙ୍ଗି ଚୁର୍ମାର୍ ହୋଇଯାଇଛି। ଏଥିସହ ଏକ ଟାଟା ଏସିଇ ଗାଡ଼ିକୁ ଜାଳି ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ କେଉଁ ପ୍ରାର୍ଥୀଙ୍କୁ କିଏ ଭୋଟ୍ ଦେଇଛି ସେ ସମ୍ପର୍କରେ ଆଲୋଚନା ଚାଲିଥିଲାବେଳେ ବଚସା ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ପ୍ରଥମେ ଏକ ଦୋକାନରେ ନିଆଁ ଲଗାଇ ଦେବାସହିତ ଟାଟା ଏସିଇ ଗାଡ଼ିକୁ ପୋଡ଼ି ଦେଇଥିଲେ। ପରେ ପରେ ତାଲା ପଡ଼ିଥିବା ଏକ ଲୁଗା ଦୋକାନକୁ ପୋଡ଼ି ଦିଆଯାଇଥିଲା। ଏହାଛଡ଼ା ଏକ ଷ୍ଟେସ୍ନାରି ଦୋକାନ ଓ ସେଲୁନ୍ର କବାଟ ଭାଙ୍ଗି ଭଙ୍ଗାରୁଜା କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରାୟ ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି।
ଖବର ପାଇ ବାଲିଝରି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ବଡ଼ମ୍ବା ଥାନାଧିକାରୀ ନିରଞ୍ଜନ ଦାଶ ଓ ଏସ୍ଡିପିଓ ବିଜୟ କୁମାର ବିଶି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଆଠଗଡ଼ ଏସ୍ଡିପିଓ ଘଟଣାର ତଦନ୍ତ ଚଳାଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବଡ଼ମ୍ବା ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବା ଥାନାଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ଏହି ଘଟଣା ଆଗକୁ ତୀବ୍ରରୂପ ନେବାର ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/21.jpg)