୨୪ ଘଣ୍ଟାରେ ବଦଳିବ ପୋଡ଼ା ଟ୍ରାନ୍ସଫର୍ମର୍

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ଏହା ଫଳରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ଯଥାକ୍ରମେ ୨୪ ଘଣ୍ଟା ଓ ୧୨ ଘଣ୍ଟା ମଧ୍ୟରେ କରାଯାଇପାରିବ। ସେହିପରି ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମର୍‌ଗୁଡ଼ିକୁ ସହରାଞ୍ଚଳରେ ୨୪ ଘଣ୍ଟାରେ ଓ ଗ୍ରାମାଞ୍ଚଳରେ ୪୮ ଘଣ୍ଟାରେ ପରିବର୍ତ୍ତନ କରାଯିବ। ତ୍ରୁଟିପୂର୍ଣ୍ଣ ମିଟର ଚିହ୍ନଟ ଦିନ ଠାରୁ ୩୦ ଦିନ ମଧ୍ୟରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଆହୁରି ଜଣାଇଛନ୍ତି ଯେ ଟାଟା ପାୱାର କମ୍ପାନି ଦ୍ବାରା ରାଜ୍ୟର ତିନିଟି ବିଦ୍ୟୁତ ବିତରଣ କମ୍ପାନି ଅଧିଗ୍ରହଣ ହେବା ପରେ ବାର୍ଷିକ ଏଟି ଆଣ୍ଡ୍‌ ସି କ୍ଷତିକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ସହ ଆଗାମୀ ୫ ବର୍ଷରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତୀକରଣ ନିମନ୍ତେ ଟିପିଡବ୍ଲ୍ୟୁଓଡିଏଲ୍‌ ଅଞ୍ଚଳରେ ୧୬୬୩ କୋଟି, ଟିପିଏସ୍‌ଓଡିଏଲ୍‌ ଅଞ୍ଚଳରେ ୧୧୬୬ କୋଟି ଟଙ୍କା ଏବଂ ଟିପିସିଓଡିଏଲ୍‌ ଅଞ୍ଚଳରେ ୧୫୪୧ କୋଟି ଟଙ୍କା ସଂପୃକ୍ତ କମ୍ପାନି ଦ୍ବାରା ବିନିଯୋଗ ପାଇଁ ସ୍ଥିର ହୋଇଛି। ଏହା ଦ୍ବାରା ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର, ପୁନଃସ୍ଥାପନ ତଥା ତ୍ରୁଟିପୂର୍ଣ୍ଣ ମିଟର ଅପସାରଣ କରାଯାଇ ଧାର୍ଯ୍ୟ କରାଯାଇଥିବା ଏଟି ଆଣ୍ଡ୍‌ ସି କ୍ଷତିକୁ ରୋକାଯାଇ ପାରିବ।

ସମ୍ବନ୍ଧିତ ଖବର