ଗାଁ ଦାଣ୍ଡରେ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲା

ବିଷ ପିଇଲା ଅଭିଯୁକ୍ତ, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର/ଖଇରା : ଏକତରଫା ପ୍ରେମରୁ ଗାଁ ଦାଣ୍ଡରେ କିରାସିନି ଢାଳି ନବମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଇଛି ଜଣେ ବିବାହିତ ଯୁବକ। ଏହି ନାରକୀୟ ଘଟଣା ଘଟାଇ ସେ ବିଷ ପିଇଦେବା ପ‌ରେ ତାକୁ ଅସୁସ୍ଥ ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ ବାଲେଶ୍ବର ଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତର ବାରିଙ୍ଗିଆ ଗାଁରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି, ଯାହାକି ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୁକ୍ତ ଯୁବକ ହେଉଛି ଦୟାନିଧି ଜେନା (୩୪)। ବିଦ୍ୟାଧର ଜେନାଙ୍କ ପୁଅ ଦୟାନିଧି ବିବାହିତ ହୋଇଥିବା ବେଳେ ତା’ର ପତ୍ନୀ ଓ ୫ ବର୍ଷର ଏକ ଝିଅ ମଧ୍ୟ ଅଛି। ଘର ପାଖରେ ରହୁଥିବା ଅର୍ଜୁନ କୁମାର ଜେନାଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ (୧୪)ଙ୍କୁ ଏକତରଫା ପ୍ରେମ କରୁଥିଲା ଦୟାନିଧି। ସ୍ଥାନୀୟ କୁରୁଣ୍ଟା ହାଇସ୍କୁଲରେ ନବମଶ୍ରେଣୀର ଛାତ୍ରୀ ଥିଲେ ଜ୍ୟୋତ୍ସ୍ନା। ଆଜି ସକାଳ ପ୍ରାୟ ୮ଟାରେ ଜ୍ୟୋତ୍ସ୍ନା ଗାଁ ଦୋକାନରୁ ପେନ୍ ଓ ପେନ୍‌ସିଲ୍‌ କିଣିବାକୁ ଯିବାସମୟରେ ଅଭିଯୁକ୍ତ ଦୟାନିଧି ତାଙ୍କୁ ରାସ୍ତା ଉପରୁ ନିଜ ବାଡ଼ିରେ ଥିବା ପାଇଖାନା ପଛପଟକୁ ନେଇ ଯାଇଥିଲା। ସେଠାରେ ଜ୍ୟୋତ୍ସ୍ନା ଚିତ୍କାର କରି ସମସ୍ତଙ୍କୁ ଡାକିବାକୁ ଚେଷ୍ଟା କରିଥିଲେ। ହେଲେ, ପ୍ରେମ ନିଶାରେ ଜହ୍ଲାଦ ସାଜିଥିବା ଦୟାନିଧି ତାଙ୍କ ମୁହଁରେ କନାବିଣ୍ଡା ପୂରାଇ ଦେହରେ କିରାସିନ୍‌ ଢାଳି ନିଆଁ ଲଗାଇ ଦେଇଥିଲା। ଜ୍ୟୋତ୍ସ୍ନା ଜଳୁଥିବା ଦେଖି ଗ୍ରାମବାସୀ ସେଠାକୁ ଦୌଡ଼ି ଆସିଥିଲେ। ସେତେବେଳକୁ ସବୁକିଛି ସରିଯାଇଥିଲା। ଜ୍ୟୋତ୍ସ୍ନାଙ୍କ ଦେହ ସମ୍ପୂର୍ଣ୍ଣ ଜଳିଯିବା ସହ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଅଭିଯୁକ୍ତ ଯୁବକ ଦୟାନିଧି ଜେନା

ଗାଁ ଲୋକେ ଦୟାନିଧିକୁ କାବୁ କରିବା ସହ ଘଟଣାସ୍ଥଳରେ ଏକ କିରାସିନି ବୋତଲ, ଲାଇଟର୍‌ ଓ ଏକ ବିଷ ବୋତଲ ପଡ଼ିଥିବା ଦେଖି ଖଇରା ଥାନାକୁ ଖବର ଦେଇଥିଲେ। ଖଇରା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଥାନା ଷ୍ଟାଫ୍‌ ଘଟଣାସ୍ଥଳରେ ପହଞ୍ଚି ଦୟାନିଧିକୁ ଥାନାକୁ ଆଣିବା ସହିତ ଜ୍ୟୋତ୍ସ୍ନାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନା ପଠାଇଥିଲେ। ତେବେ, ଦୟାନିଧି ଏହି ଘଟଣା ଘଟାଇବା ପରେ ନିଜେ ବିଷ ପିଇଥିବା କହିବାରୁ ପୁଲିସ ତାଙ୍କୁ ପ୍ରଥମେ ଖଇରା ଡାକ୍ତରଖାନା ଓ ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି।

ଜ୍ୟୋତ୍ସ୍ନାଙ୍କ ପରିବାର ଓ ତାଙ୍କ ପଡ଼ୋଶୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଦୟାନିଧିର ପତ୍ନୀ ତିଳୋତ୍ତମା ସେହି ଗ୍ରାମର ୧୦/୧୨ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ଟ୍ୟୁସନ୍‌ କରୁଥିଲେ। ପଡ଼ିଶା ଘରର ୧୪ ବର୍ଷୀୟା ଝିଅ ଜ୍ୟୋତ୍ସ୍ନାରାଣୀ ମଧ୍ୟ ସେଠାକୁ ଟ୍ୟୁସନ୍‌ ହେବାକୁ ଯାଉଥିଲେ। ଟ୍ୟୁସନ୍‌ ଯିବାଆସିବା ମଧ୍ୟରେ ଜ୍ୟୋତ୍ସ୍ନାଙ୍କୁ ଏକତରଫା ପ୍ରେମ କରୁଥିଲା ଦୟାନିଧି। ବିଭିନ୍ନ ସମୟରେ ବାଟଘାଟରେ ଜ୍ୟୋତ୍ସ୍ନାଙ୍କୁ ହଇରାଣ କରିବାରୁ ଦୟାନିଧି ଓ ତାଙ୍କ ପତ୍ନୀଙ୍କୁ ତାଗିଦ୍ କରିଥିଲେ ଜ୍ୟୋତ୍ସ୍ନାଙ୍କ ବାପା, ମା’ । ଏମିତିକି ନିଜ ଝିଅକୁ ଦୟାନିଧିଠାରୁ ଦୂରେଇ ରଖିବା ପାଇଁ ଟ୍ୟୁସନ୍‌ ମଧ୍ୟ ବନ୍ଦ କରି ଦେଇଥିଲେ। ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଜ୍ୟୋତ୍ସ୍ନାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଦୟାନିଧି। ଆଜି ତାର ଏଭଳି ଅମାନବୀୟ କାଣ୍ଡକୁ ନେଇ ଅଞ୍ଚଳବାସୀ ହତବାକ୍ ହୋଇ ଯାଇଛନ୍ତି। ଏ ନେଇ ଖଇରା ଥାନା କେସ୍‌ ନମ୍ବର ୧୯୭/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ନୀଳଗିରି ଏସ୍‌ଡିପିଓ ରିତେଶ କୁମାର ମହାପାତ୍ର, ଥାନା ଅଧିକାରୀ ଗଣେଶ୍ବର ପ୍ରଧାନ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର