କଂଗ୍ରେସ ଭବନ ସମ୍ମୁଖରେ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ

୯ ଦିନ ପରେ ମୁଖ୍ୟ ଫାଟକ ଧାରଣାରୁ ଓହରିଲେ ଶ୍ରୀୟାସ୍ମିତା

ଭୁବନେଶ୍ବର: କଂଗ୍ରେସ ଭବନ ସମ୍ମୁଖରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କୁଶପୁତ୍ତଳିକା ଦାହ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ତଥା ବହିଷ୍କୃତ କଂଗ୍ରେସ ନେତା ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ଆଜି ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର କହିଛନ୍ତି ଯେ ଦଳ ବିକ୍ରିକୁ ବିରୋଧ କରିବାକୁ ପିସିସି ସଭାପତି ଆକ୍ରୋଶମୂଳକ ଭାବେ ଦଳରୁ ବହିଷ୍କାର କରିଛନ୍ତି। ପିସିସି ସଭାପତିଙ୍କ ଯୋଗ୍ୟତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରମାଣିତ ହୋଇଛି। ସଭାପତି ୯ରୁ ୯୦ ମିସନ ଆହ୍ବାନ ଦେଇଥିଲେ, ଯାହାକି ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ହସକଥା। ୮୦ଜଣ ବିଧାୟକ ପ୍ରାର୍ଥୀ ଓ ୧୨ଜଣ ସାଂସଦ ପ୍ରାର୍ଥୀଙ୍କୁ ଦଳୀୟ ପାଣ୍ଠି ଦିଆଗଲା ନାହିଁ। ୧୧୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ପୁଲିଂ ଏଜେଣ୍ଟ ନ ଥିଲେ। ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ପୋଷ୍ଟର, ଲିଫ୍‌ଲେଟ୍‌, ବ୍ୟାନର ଓ ଗ୍ୟାରେଣ୍ଟି କାର୍ଡର ପ୍ରଚାର ଗାଡ଼ି ଦିଆଗଲା ନାହିଁ। ସଭାପତି ଶ୍ରୀ ପଟ୍ଟନାୟକ କଂଗ୍ରେସର ‌ଦଳର ନେତୃତ୍ବ ନେଉଥିଲେ ହେଁ ନୂଆପଡ଼ାରେ ନିଜେ ଅମାନତ ହରାଇଲେ। ତେଣୁ ଶରତ ପଟ୍ଟନାୟକ କଂଗ୍ରେସ ଦଳ ପାଇଁ କଳଙ୍କ। ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ। ଦଳର ଭୟଙ୍କର କ୍ଷତି କରି ସଭାପତି ଫୁଲମାଳ ଆଶା କରିବା ଭୁଲ୍‌ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଗଣେଶ ଦାଶ, ଶିଳ୍ପୀଶ୍ରୀ ହରିଚନ୍ଦନ, ଅମରେଶ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ଗତ ୯ଦିନ ହେବ କଂଗ୍ରେସ ଭବନ ସମ୍ମୁଖରେ ଧାରଣା ଦେଇଥିବା ବହିଷ୍କୃତ ନେତ୍ରୀ ‌ଶ୍ରୀୟାସ୍ମିତା ପଣ୍ଡା ଆଜି ମୁଖ୍ୟ ଫାଟକ ଧାରଣାରୁ ଓହରିଛନ୍ତି। କ୍ୟାପିଟାଲ ଥାନା ଅଧିକାରୀ, ପ୍ରଦେଶ କଂଗ୍ରେସ ସଭାପତି ୟ‌ାସିର ନୱାଜ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ପୂର୍ବତନ ଏଆଇସିସି ସଭ୍ୟା ଜାନକୀ ମଲ୍ଲିକ, ଲିପିକା ପାତ୍ର ଓ ଲିପ୍ସା ନାୟକଙ୍କ ଅନୁରୋଧକ୍ରମେ ମୁଖ୍ୟ ଫାଟକରୁ ଉଠି ଯାଇଛନ୍ତି। ମାତ୍ର ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭିତରେ ତାଙ୍କର ଧାରଣା ଜାରି ରଖିବେ। ପିସିସି ସଭାପତି ବିନା କାରଣରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବହିଷ୍କାରର କାରଣ ସଭାପତି ପ୍ରମାଣିତ ନ କରିବା ପର୍ଯ୍ୟନ୍ତ ନିଜର ଧାରଣା ଜାରି ରଖିବେ ବୋଲି ଶ୍ରୀୟାସ୍ମିତା କହିଛନ୍ତି।

ସମ୍ବନ୍ଧିତ ଖବର