ଡିସେମ୍ବର ୩୧ରେ ପୁଲିସରେ ହୋଇଥିଲା ପ୍ରଥମ ଅଭିଯୋଗ
ସମ୍ପର୍କୀୟ, ଅନ୍ୟ ଜଣଙ୍କୁ ଉଠାଇଲା ପୁଲିସ୍
କଟକ : 'ପରୀ ଭଳି ତତେ ହତ୍ୟା କରାଯିବ...। ତତେ ମାରିକି ଆଚାର କରିବି...। ତୋ ମା'କୁ ସେହି ଆଚାର ଖାଇବାକୁ ଦିଆଯିବ। ତୋ ମା'କୁ ବି ମାରିବୁ...। ତୁ ଯଦି ମରିଯିବୁ ଆମେ ଧରାପଡ଼ିବୁ ନାହିଁ। ତୁ ନ ମଲେ ଆମେ ସରେଣ୍ଡର କରିବୁ...।' ଫେସବୁକ ମେସେଞ୍ଜରରୁ କଟକ ମାନସିଂହପାଟଣାର ଯୁକ୍ତ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ଏଭଳି ହତ୍ୟା ଧମକ ଦିଆଯାଇଥିବା ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଫେସବୁକରୁ ଆସିଥିବା ଏଭଳି ଧମକ ଏବେ ଆଲୋଡନ ସୃଷ୍ଟି କରିଛି। କିନ୍ତୁ ଫେସବୁକରେ ନକଲି ଆକାଉଣ୍ଟ ଖୋଲିଥିବା ଦୁର୍ବୃତ୍ତ ସମ୍ପର୍କରେ ଫେସବୁକ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ତଥ୍ୟ ଦେଇନଥିବାରୁ ସମସ୍ୟା ଦେଖା ଦେଇଛି।
ସୂଚନା ଅନୁଯାୟୀ, ମାନସିଂହପାଟଣାରେ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କ ନାଁରେ ପ୍ରଥମେ ଡିସେମ୍ବର ୨୬ ତାରିଖରେ ନକଲି ଫେସବୁକ ଆକାଉଣ୍ଟରୁ ହତ୍ୟା ଧମକ ମିଳିଥିଲା। ଛାତ୍ରୀ ଜଣକ ପରିବାର ଲୋକଙ୍କ ସହିତ ବୟାଳିଶମୌଜାରେ ବଡ଼ ମଉସାଙ୍କ ଘରକୁ ଡିସେମ୍ବର ୧୩ ତାରିଖରେ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ସେବେଠାରୁ ନିୟମିତ ଭାବେ ମାମୁ, ମାଇଁ, ମାଉସୀ, ମଉସା ଓ ପରିବାର ସମ୍ପର୍କୀୟଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ସେଥିରୁ ଛାତ୍ରୀଙ୍କୁ ଧମକ ଦିଆଯାଉଥିଲା। ଛାତ୍ରୀଙ୍କ ଫଟୋ ଏଡିଟିଂ କରି ଅଶ୍ଳୀଳ ଫଟୋ ଫେସବୁକରେ ସେୟାର କରାଯାଉଥିଲା। ବିଭିନ୍ନ ଫେସବୁକ ଆକାଉଣ୍ଟରୁ ଫ୍ରେଣ୍ଡ ରିକୁଏଷ୍ଟ ଆସୁଥିଲା। ୧୦୦ରୁ ଅଧିକ ନକଲି ଆକାଉଣ୍ଟରୁ ଧମକ୍ ଆସୁଥିଲା। ଏଭଳି ସ୍ଥିତିରେ ପରିବାର ଲୋକେ ଛାତ୍ରୀଙ୍କ ମୋବାଇଲ ନମ୍ବର ବଦଳାଇ ଦେଇଥିଲେ।
ଡିସେମ୍ବର ୩୧ ତାରିଖରେ କ୍ରାଇମବ୍ରାଞ୍ଚରେ ପରିବାର ଲୋକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ଘଟଣା ପଛରେ ବଡ଼ ମଉସାଙ୍କ ଭଣଜାର ସମ୍ପୃକ୍ତି ଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଜାନୁଆରି ୨୫ ତାରିଖରେ ବଡ଼ ମଉସାଙ୍କ ଭଣଜା ଓ ଛାତ୍ରୀଙ୍କ ପରିବାର ପକ୍ଷରୁ ସଦର ଥାନାରେ ହାଜର ହୋଇଥିଲେ। ପୁଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ବି ହୋଇଥିଲା। ଛାତ୍ରୀଙ୍କ ଘର ଲାଲବାଗ ଥାନା ଅଞ୍ଚଳରେ ହୋଇଥିବାରୁ ତାଙ୍କୁ ଲାଲବାଗ ଥାନାରେ ଏତଲା ଦେବାକୁ କୁହାଯାଇଥିଲା। ଲାଲବାଗ ଥାନାରେ ଜାନୁଆରି ୩୦ ତାରିଖରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। କମିସନରେଟ୍ ପୁଲିସ ଏହି ନକଲି ଆକାଉଣ୍ଟ କେଉଁ ବ୍ୟକ୍ତି, କେଉଁଠି ରହି ପ୍ରକୃତରେ ଖୋଲିଛନ୍ତି, ଉକ୍ତ ମୋବାଇଲ୍ ଏବଂ କମ୍ପ୍ୟୁଟରର ଆଇପି(ଇଣ୍ଟରନେଟ୍ ପ୍ରୋଟକଲ) ଆଡ୍ରେସ୍ ଜାଣିବା ପାଇଁ ଆମେରିକା ସ୍ଥିତ ଫେସବୁକ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତଥ୍ୟ ମିଳିପାରିନଥିବା ବେଳେ ଗଲା ଗୁରୁବାର ଛାତ୍ରୀଙ୍କ ଘରେ ପଶି ଚାରି ଜଣ ଦୁର୍ବୃତ୍ତ ହାତ ଗୋଡ଼ ବାନ୍ଧି ତାଙ୍କୁ ଜାଳିବାକୁ ଉଦ୍ୟମ କରିଥିଲେ। ପୁଲିସ ଏବେ ଛାତ୍ରୀଙ୍କ ବଡ଼ ମଉସାଙ୍କ ଭଣଜା ଏବଂ ତା ସାଙ୍ଗକୁ ଥାନାକୁ ଉଠାଇ ଆଣି ଘଟଣା ସମ୍ପର୍କରେ ଜେରା କରୁଥିବା ସୂଚନା ମିଳିଛି।
ଛାତ୍ରୀଙ୍କ ବାପା ଧୂନଚନ୍ଦ୍ର ଦାସଙ୍କ କହିବା ଅନୁଯାୟୀ ଘଟଣା ପଛରେ କୌଣସି ବି ପ୍ରେମ ବ୍ୟାପାର ନାହିଁ। ଏଭଳି ଅପପ୍ରଚାର କରାନଯାଉ। ସେମାନେ ଝିଅକୁ ମାରିବାକୁ ଯୋଜନା କରିଥିଲେ। ଶେଷରେ ସେୟା ହିଁ କଲେ। ଘଟଣା ପଛରେ ଯିଏ ସମ୍ପୃକ୍ତ ଅଛି ସିଏ ଦଣ୍ଡ ପାଉ।