ରାଉର‌କେଲାରେ ଉତ୍ତେଜନା: କଣ୍ଟେନମେଣ୍ଟ ଜୋନ୍‌ରେ ଟେକାମାଡ଼, ପୋଡ଼ାଜଳା

ଏସ୍‌ଆଇ ଗୁରୁତର ୧୨ ପୁଲିସ ଆହତ, ପୁଲିସ ମୁତୟନ

ରାଉରକେଲା: ରାଉରକେଲା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଗତକାଲି ରାତିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ବିସ୍ଫୋରକ ରୂପ ନେଇଛି। ଦିନତମାମ ପୁଲିସ ଉପରକୁ ଟେକାମାଡ଼, ବ୍ୟାରିକେଡ ଓ ପୁଲିସ ତମ୍ବୁ ଭଙ୍ଗାରୁଜା ତଥା ଜଳାପୋଡ଼ା ପରେ ବର୍ତ୍ତମାନ ଯଦିଓ ସ୍ଥିତି କିଛିଟା ଶାନ୍ତ ପଡ଼ିଛି, କିନ୍ତୁ ଆଲୋଚନା ପରେ ସମାଧାନର ସୂତ୍ର ବାହାରି ନାହିଁ।ରାଉରକେଲା କଣ୍ଟେନମେଣ୍ଟ୍ ଜୋନ୍ ଚାରି ପାଖରେ ଥିବା ବଫର୍ ଜୋନ୍‌ର ଅବଧି ଆଜି ସକାଳେ ଶେଷ ହୋଇଛି। କଣ୍ଟେନମେଣ୍ଟ୍ ଜୋନ୍ ମଧ୍ୟ ପ୍ରତ୍ୟାହାର ଦାବି କରି ଗତକାଲି ରାତି‌ରେ ସ୍ଥାନୀୟ ବାସିନ୍ଦା ପୁଲିସ ବ୍ୟାରିକେଡ୍‌ ଭଙ୍ଗାରୁଜା କରିଥିଲେ। ପ୍ରାୟ ୨ଟାରେ ‌ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ନିଜ ନିଜ ଘରକୁ ଫେରି ଯାଇଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୮ଟାରୁ ସେମାନେ ପୁଣି କଣ୍ଟେନମେଣ୍ଟ ଜୋନ୍‌ ଉଠାଇବାକୁ ଦାବି କରି ପାଟିତୁଣ୍ଡ କରିଥିଲେ।

ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜିତ ସ୍ଥାନୀୟ ବାସିନ୍ଦା କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଥିବା ସବୁ ବ୍ୟାରିକେଡ୍‌କୁ ଉପାଡ଼ି ଫିଙ୍ଗି ଦେଇଥିଲେ। ପୁଲିସ ଟେଣ୍ଟ ସହ ସେଠାରେ ଥିବା ଚେୟାର, ଟେବୁଲ ଓ ଫ୍ୟାନଗୁଡ଼ିକୁ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଇଥିଲେ। ଏହାପରେ୍ଦା ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ସାତତାଲା ଗେଟ୍‌ ସମ୍ମୁଖରେ ଥିବା ବ୍ୟାରିକେଡକୁ ଜଳାପୋଡ଼ା କରିବା ସହ ପ୍ରଶାସନ ବିରୋଧରେ ନାରା ଦେଇଥିଲେ। ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗଣ୍ଡଗୋଳ ନ କରିବାକୁ ପୁଲିସ ସେମାନଙ୍କୁ ବୁଝାଇବାଲାଗି ଉଦ୍ୟମ କରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ଓଲଟା ପୁଲିସ ଉପରକୁ ଟେକାପଥର ମାଡ଼ ଆରମ୍ଭ କରି ଦେଇଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ବାଧ୍ୟ ହୋଇ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଟେକାପଥର ମାଡ଼ରେ ପ୍ଲାଣ୍ଟସାଇଟ୍‌ ଥାନାର ସବ୍‌ଇନ୍ସପେକ୍ଟର ଦିଲୀପ କୁମାର ମୁର୍ମୁଙ୍କ ସମେତ ୧୩ ପୁଲିସ କର୍ମଚାରୀ, ୩ ଜଣ ସାଧାରଣ ଲୋକ ଓ ଜଣେ ସାମ୍ବାଦିକ ଆହତ ହୋଇଥିଲେ। ଚିକିତ୍ସା ପାଇଁ ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା।

ଖବର ପାଇ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଓ ଏସ୍‌ପି କେ. ଶିବା ସୁବ୍ରମଣିଙ୍କ ସମେତ ଅନେକ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଡିଆଇଜି ଜଲାନ ଉତ୍ତ୍ୟକ୍ତ କଣ୍ଟେନମେଣ୍ଟ ଜୋନ୍‌ର ବାସିନ୍ଦାଙ୍କୁ ଶାନ୍ତି ବଜାୟ ରଖିବାକୁ ହାତ ଯୋଡି ଅନୁରୋଧ କରିବାର ଦେଖା ଯାଇଥିଲା। ସେମାନଙ୍କର ସମସ୍ତ ଦାବିକୁ ଗ୍ରହଣ କରାଯିବ କିନ୍ତୁ ପ୍ରଥମେ ସେମାନେ ଶାନ୍ତ ହୁଅନ୍ତୁ ବୋଲି ସେ ଲୋକଙ୍କୁ ନିବେଦନ କରିଥିଲେ। କିନ୍ତୁ କଣ୍ଟେନମେଣ୍ଟ ଜୋନ୍‌ ନ ହଟାଇବା ପର୍ଯ୍ୟନ୍ତ ସେଠାରୁ ସେମାନେ ହଟିବେ ନାହିଁ ବୋଲି ସ୍ଥାନୀୟ ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ବଢ଼ାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ପହଞ୍ଚି ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କଣ୍ଟେନମେଣ୍ଟ ଜୋନ୍‌ର ୭ ଜଣ ପ୍ରତିନିଧିଙ୍କୁ ପୁଲିସ ଟେଣ୍ଟକୁ ଡାକି ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। କିନ୍ତୁ ସମାଧାନର କୌଣସି ବାଟ ବାହାରି ନଥିଲା। ତେବେ ଶାନ୍ତି ବଜାୟ ରଖି ସମାଧାନ ପାଇଁ ଆଲୋଚନା ଜାରି ରହିଛି ଓ ଖୁବ୍‌ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର