ରୋଗୀଙ୍କୁ ଦେଲେନି, ପୋଡ଼ିଦେଲେ ଔଷଧ

ନାଲ୍‌କୋନଗର : ନାଲ୍‌କୋନଗର ରାଜ୍ୟ ବୀମା ନିଗମ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଆସୁଥିବା ଔଷଧ ସେମାନଙ୍କୁ ଦିଆନଯାଇ ପୋଡ଼ି ଦିଆଯାଉଛି। ନାଲ୍‌କୋନଗର ଇଏସ୍‌ଆଇ କେନ୍ଦ୍ର ପାଚେରି ପାର୍ଶ୍ୱରେ ପ୍ରାୟ ପାଞ୍ଚ ପେଟି ଔଷଧ କର୍ତ୍ତୃପକ୍ଷ ପୋଡ଼ି ଦେଇଥିବା ବେଳେ ସେଥିରୁ କେତେକ ଔଷଧର ଅବଧି ପୂରଣ ହୋଇନଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଇଏସ୍‌ଆଇସି ଡାକ୍ତରଖାନାରେ ବୀମାଭୁକ୍ତ କର୍ମଚାରୀ ଓ ସଂପର୍କୀୟଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରତିମାସରେ କର୍ମଚାରୀ ଦରମାରୁ କିଛି ଅଂଶ ଅର୍ଥ ରାଜ୍ୟ ବୀମା ନିଗମକୁ ଯାଉଛି। ନାଲ୍‌କୋନଗର ଇଏସ୍‌ଆଇ ଡାକ୍ତରଖାନା ଉପରେ ବିଶେଷକରି ମନେଟ୍‌, ଜିନ୍ଦଲ, ନାଲ୍‌କୋ, ଏମସିଏଲ୍‌ ତଥା ବିଭିନ୍ନ ଘରୋଇ ପ୍ରତିଷ୍ଠାନର ଠିକା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ନିର୍ଭର କରୁଛନ୍ତି। ହେଲେ ଏଠାରେ ଡାକ୍ତର ଓ କର୍ମଚାରୀ ଅଭାବରୁ ଏଠାରେ ଅଧିକାଂଶ ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ ହେଉଥିବା ବେଳେ ଏବେ ଆଉ ଏକ ଅବହେଳା ସାମ୍ନାକୁ ଆସିଛି। କର୍ତ୍ତୃପକ୍ଷ ସରକାର ମାଗଣାରେ ଯୋଗାଇ ଦେଇଥିବା ଔଷଧକୁ ରୋଗୀଙ୍କୁ ନଦେଇ ପୋଡ଼ି ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ଡାକ୍ତରଖାନା ପାଚେରି ପାର୍ଶ୍ୱରେ ପ୍ରାୟ ୫ପେଟି ଔଷଧ ପୋଡ଼ି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ବିଶେଷକରି ଇଂଜେକସନ୍‌, କଫ ସିରଫ୍‌, ଗୋଡ଼-ହାତ ଭାଂଗଲା ପରେ ବ୍ୟବହୃତ ପ୍ଲାଷ୍ଟର୍‌, ବ୍ୟାଣ୍ଡେଜ୍‌ ଏବଂ ବଟିକା ପୋଡ଼ା ଯାଇଛି। ଏଥିରୁ କେତେକ ଔଷଧର ଅବଧି ପୂରିନଥିବା ବି ଦେଖିବାକୁ ମିିଳିଛି।

ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଡାକ୍ତର ନେହା ସାମଲ କହିଛନ୍ତି ଯେ, ପୂର୍ବରୁ ଗଚ୍ଛିତ ଓ ଅବଧି ପୂରିଯାଇଥିବା ଔଷଧ ପୋଡ଼ାଯାଇଛି। ଡ୍ରେସର୍‌ କର୍ମଚାରୀ ନଥିବାରୁ ପ୍ଲାଷ୍ଟର୍‌ ବ୍ୟାଣ୍ଡେଜ୍‌ ବ୍ୟବହାର ହୋଇପାରୁନାହିଁ। ଏଣୁ ନଷ୍ଟ ହୋଇଯିବାରୁ ଫିଙ୍ଗି ଦିଆଯାଇଛି। ତା’ଛଡ଼ା ଅବଧି ପୂରିନଥିବା କିଛି ଔଷଧ ଯେଉଁ ଫିଙ୍ଗାଯାଇଛି, ତାହା ଭୁଲ୍‌ବଶତଃ ହୋଇଛି ବୋଲି ଡାକ୍ତର ସାମଲ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର