ବ୍ରହ୍ମପୁର:‌ ଏସିଆର ସର୍ବବୃହତ୍ ଲୁଣିଆ ଜଳ ହ୍ରଦ ଚିଲିକା ବିଷାକ୍ତ ହେବାରେ ଲାଗିଛି। ବିଭିନ୍ନ କାରଣ ଯୋଗୁ ଚିଲିକାର ପାଣି ଦୂଷିତ ହେଉଛି। ପାଣିରେ ଏବେ ପୋଡ଼ା ତେଲ ଭାସୁଥିବାରୁ ଜଳଜୀବ ପ୍ରତି ବିପଦ ଦେଖାଦେଇଛି। ମାତ୍ରାଧିକ ମୋଟରଚାଳିତ ଡଙ୍ଗା, ମୋଟର୍‌ ଲଞ୍ଚ ଓ ମାଛଧରା ଟ୍ରଲର୍‌ ଯୋଗୁଁ ହ୍ରଦରେ ପୋଡ଼ା ତେଲ ଭାସୁଛି। ଚିଲିକାରେ ୩୭ ପ୍ରକାର ସରୀସୃପ, ୧୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୬୧ ପ୍ରକାର ଜିଆ ଓ ୧୫୦ ପ୍ରକାର ଉଦ୍ଭିଦ ରହିଛନ୍ତି। ପୋଡ଼ା ତେଲ ଯୋଗୁଁ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ବିଭିନ୍ନ ଅଞ୍ଚଳରୁ ଆସୁଥିବା ଦୂଷିତ ପାଣି ମଧ୍ୟ ହ୍ରଦରେ ମିଶୁଥିବାରୁ ଜୈବବିବିଧତାକୁ ନଷ୍ଟ କରୁଛି। ଶୀତଦିନରେ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ଉପରେ ଏହି ପ୍ରତିକୂଳ ପରିବେଶର କୁପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। 

Advertisment

ଅନ୍ୟପକ୍ଷରେ ପାଣି ବିଷାକ୍ତ ହେଉଥିବାରୁ ସମୁଦ୍ରରୁ ଆସୁଥିବା ଛୋଟ ଚିଙ୍ଗୁଡ଼ି, ମାଛ ଓ କଙ୍କଡ଼ା ବଞ୍ଚିପାରୁନାହାନ୍ତି। ଏଣୁ ଦିନକୁ ଦିନ ସେମାନଙ୍କ ସଂଖ୍ୟା କମିବାରେ ଲାଗିବାରୁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ଚିଲିକାରେ ଆଗଭଳି ମାଛ ମିଳୁ ନଥିବାରୁ ଏବେ ମତ୍ସ୍ୟଜୀବୀ ଦାଦନ ଖଟିବାକୁ ପଳାଉଛନ୍ତି।  ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ବେଳେ ସେମାନେ କହିଛନ୍ତି, କିଛିବର୍ଷ ଭିତରେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଛୁଇଁଥିବା ଚିଲିକା ତା’ର ପୂର୍ବ ସୌନ୍ଦର୍ଯ୍ୟକୁ ହରାଇବାକୁ ବସିଛି। ଦିନ ଥିଲା ଚିଲିକା ତିନି ଜିଲ୍ଲାର ପ୍ରାୟ ୧୫୬ ଖଣ୍ଡ ଗ୍ରାମର ୨୫ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ପାଇଁ ରୋଜଗାରର ପ୍ରମୁଖ ଉତ୍ସ ସାଜିଥିଲା। ଗ୍ରାମବାସୀ ପାରମ୍ପରିକ ପଦ୍ଧତିରେ ଚିଲିକାରୁ ମାଛ ଧରି ପରିବାରର ଭରଣପୋଷଣ କରୁଥିଲେ। କିନ୍ତୁ ଏବେ ତାହା ଆଉ ନାହିଁ। ଚିଲିକା ଏବେ ମାଫିଆଙ୍କ କବ୍‌ଜାରେ ରହିଛି। ସମୁଦ୍ରରୁ ପ୍ରାୟ ୮୦ ପ୍ରତିଶତ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ସହିତ ଅନ୍ୟାନ୍ୟ ଜଳଜୀବ ଖାଦ୍ୟ ଅନ୍ବେଷଣ ପାଇଁ ସମୁଦ୍ରରୁ ଚିଲିକାକୁ ଆସନ୍ତି। କିନ୍ତୁ ଅଧିକ ମାଛ ଧରିବା ଲୋଭରେ ଚିଲିକା ମୁହାଣ ଓ ସାହେବ କେନାଲକୁ ଅବରୋଧ କରିବା ଯୋଗୁଁ ଜଳଜୀବଙ୍କ ଯାତାୟାତ ବନ୍ଦ ହୋଇଯାଉଛି। ଫଳରେ ଚିଲିକାରେ ମାଛ ଓ ଚିଙ୍ଗୁଡ଼ି ସଂଖ୍ୟା କମୁଛି।

ଏଣୁ ପ୍ରକୃତ ମତ୍ସ୍ୟଜୀବୀ ନିଜର ଜୀବିକା ହରାଇ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଯାଉଥିବା ଚିଲିକା ମତ୍ସ୍ୟଜୀବୀ ମହିଳା ସଂଘର ସଭାନେତ୍ରୀ ତଥା ଚିଲିକା ବଞ୍ଚାଅ ଅଭିଯାନର ନେତ୍ରୀ ମୀନା କୁମାରୀ ଟହଲ କହିଛନ୍ତି। ଏଦିଗରେ ସରକାର ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇପଡ଼ିଥିବା ସେ କହିଛନ୍ତି। 
ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବ୍ୟବହାର ହେଉଥିବା ମୋଟରଚାଳିତ ଡଙ୍ଗା ଆଉ ଏକ ବିପଦ ସୃଷ୍ଟି କରିଛି। ପର୍ଯ୍ୟଟନ ଋତୁ ଆସିଲେ ବାଲୁଗାଁ, ବରକୁଳ ଓ ରମ୍ଭାରୁ ଶତାଧିକ ମୋଟରଚାଳିତ ଡଙ୍ଗାରେ ସହସ୍ରାଧିକ ଯାତ୍ରୀ କାଳୀଜାଇ, ନଳବଣ ଓ ପକ୍ଷୀଦ୍ବୀପ ଆଦି ସ୍ଥାନକୁ ଭ୍ରମଣରେ ଯାଇଥା’ନ୍ତି। ଯାତାୟାତ ସମୟରେ ବିଭିନ୍ନ ପ୍ରକାର ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବୋତଲ ଫୋପାଡ଼ୁଥିବାରୁ ତାହା ଚିଲିକାର ପାଣିକୁ ଦୁଷିତ କରୁଛି। ପ୍ରଚଣ୍ଡ ଶବ୍ଦ କରି ବୁଲୁଥିବା ମୋଟର୍‌ ବି ଜଳଜୀବଙ୍କୁ ଭୟଭୀତ କରୁଛି।