ମାନିଲେନି, ଢୋ ଢା ଫୁଟାଇଲେ : ଅମାନିଆଙ୍କୁ ଏତେ ଦରଦ!

ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟାନ୍ୱୟନରେ ପ୍ରଶାସନର ପଛଘୁଞ୍ଚା
ମାସ୍କ, ସାମାଜିକ ଦୂରତ୍ୱ କ୍ଷେତ୍ରରେ ବି ଖୋଲା ଉଲ୍ଲଂଘନ

ଭୁବନେଶ୍ୱର : ସମସ୍ତଙ୍କୁ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରାଗଲା। ସରକାର ଦଣ୍ଡବିଧାନ ବ୍ୟବସ୍ଥା କଲେ। ରାଜ୍ୟରେ କିଛି ଲୋକ ଖୋଲାଖୋଲି ଉଲ୍ଲଂଘନ ଜାରି ରଖିଛନ୍ତି। ସମସ୍ତେ ଦେଖୁଛନ୍ତି, କିନ୍ତୁ ଚୁପ୍। ଅମାନିଆଙ୍କୁ ତାଙ୍କ ମର୍ଜିରେ ବଞ୍ଚିବା ପାଇଁ ଛାଡ଼ି ଦିଆଯାଇଛି। ସାମାଜିକ ଦୂରତ୍ବ କ୍ଷେତ୍ରରେ ସରକାରଙ୍କ କଟକଣା ସ୍ଥିତି ବି ସମାନ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପଛରେ ଏହା ଏକ ବଡ଼ କାରଣ ବୋଲି ସରକାର ସ୍ବୀକାର କରିଥିଲେ ହେଁ, ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ଯେଭଳି କଠୋର ହେବା କଥା ତାହା ଦେଖାଯାଇନାହିଁ। ଆଗକୁ ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ନେଇ ସରକାର ଆଶଙ୍କା ବ୍ୟକ୍ତ କରୁଛନ୍ତି। ଏହି କ୍ରମରେ ସରକାର ଏକ ବଡ଼ ନିଷ୍ପତ୍ତି ଶୁଣାଇଲେ ଯେ ଦୀପାବଳିରେ ବାଣ ଫୁଟିବ ‌ନାହିଁ। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ବି ଦିଆଗଲା। କିଛି ସ୍ଥାନରେ ପୁଲିସ ଧରପକଡ କରି ବାଣ ଜବତ କଲେ। ତଥାପି କିଛି ଅମାନିଆ ବେଫିକର ବାଣ ଫୁଟାଇଛନ୍ତି। ଶନିବାର ରାତିରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସମସ୍ତଙ୍କର ଏଭଳି ଅନୁଭୂତି ରହିଛି।

ଅମାନିଆମାନେ ଲୁଚାଛପାରେ ନୁହେଁ, ସମସ୍ତଙ୍କ ଗୋଚରରେ ଖୋଲାଖୋଲି ବାଣ ଫୁଟାଇଲେ। ମାତ୍ର ପୁଲିସ୍‌ ଯେମିତି ଅସହାୟ ହୋଇଯାଇଥିଲା। ପଇଁତରା ସିନା ମାରୁଥିଲା କାହାକୁ ବାନ୍ଧିବାର ସାହସ ଜୁଟାଇପାରିନଥିଲା। ଏହାର ସୁଯୋଗ ନେଇ ପିସିଆର୍‌ ଗାଡ଼ି ଅତିକ୍ରମ କରିବା ମାତ୍ରେ ଅମାନିଆମାନେ ବାଣରେ ନିଆଁ ଚେଙ୍ଗୁଥିଲେ।

ରାଜ୍ୟବାସୀଙ୍କ ସ୍ବାର୍ଥରେ ଗୋଟିଏ ନିଷ୍ପତ୍ତିକୁ ସମସ୍ତେ ମାନିଲେ ଓ ଅଧିକାଂଶ ବ୍ୟକ୍ତି କଟକଣା ନ ମାନି ଚୋରାରେ ବାଣ କିଣି ସରକାରଙ୍କ ନିୟମ କଟକଣାକୁ ଯେଭଳି ତାଚ୍ଛଲ୍ୟ କଲେ, ତାହା ଆଜି ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ନିଷ୍ପତ୍ତି ଓ ପ୍ରଶାସନିକ କାର୍ଯ୍ୟାନ୍ବୟନ ଭିତରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଲାଣି। ଏହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ଗମ୍ଭୀରତାର ସହିତ ନେଉଛନ୍ତି। ପରିସ୍ଥିତି ଉପରେ ପ୍ରଶାସନ ନିୟନ୍ତ୍ରଣ ହରାଉଛି ଓ ସରକାରରେ ଅସହାୟତା କ୍ରମଶଃ ବୃଦ୍ଧିପାଉଥିବା ଲକ୍ଷ୍ୟ କରାଯାଉଛି ବୋଲି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି।

The Indian Express

ଉଲ୍ଲେଖଯୋଗ୍ୟ ଯେ ବାଣରୁ ନିର୍ଗତ ନାଇଟ୍ରସ ଅକସାଇଡ, ସଲଫର ଡାଇଅକସାଇଡ, କାର୍ବନ ମନୋକସାଇଡ କୋଭିଡ୍‌-୧୯ ସଂକ୍ରମିତ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିଗାଡ଼ି ଦେବା ଆଶଙ୍କା ଥିବାରୁ ସରକାର ଏଥର ବାଣଫୁଟାରେ ରୋକ୍‌ ଲଗାଇଥିଲେ। ସ୍ବତନ୍ତ୍ର ରିଲିଫ୍‌ କମିସନର ଏନେଇ ଗାଇଡ୍‌ ଲାଇନ୍‌ ଜାରି କଲେ। ନିୟମ ଭାଙ୍ଗିଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଓ ପୁଲିସକୁ ନିର୍ଦେଶ ଦିଆଯାଇଥିଲା। ଅଥଚ ଦୀପାବଳି ସନ୍ଧ୍ୟାରେ ସବୁ ଫସର ଫାଟି ଯାଇଥିଲା। କିଛି ବ୍ୟକ୍ତି ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଭୟରେ ଓ ଅନ୍ୟମାନେ ସଚେତନଶୀଳ ଭାବେ ନିଜ ଆଗ୍ରହ, ଉତ୍ସାହକୁ ଜଳାଞ୍ଜଳି ଦେଇ ବାଣ ଫୁଟାଇଲେ ନାହିଁ। ହେଲେ କିଛି ଅମାନିଆ ନିୟମରୁ ଊର୍ଧ୍ବକୁ ଯାଇ ବାଣ ଫୁଟାଇଲେ। ଅନ୍ୟ କେଉଁଠି ନ ହେଲେ ନାହିଁ, ଖୋଦ୍ ରାଜଧାନୀରେ ସିସିଟିଭି ଫୁଟେଜରେ ସମୁଦାୟ ଉଲ୍ଲଂଘନ କଏଦ୍ ହୋଇ ରହିଛି। ହେଲେ ପୁଲିସ ସେ ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇନାହିଁ। ଗୋଟିଏ ରାଜ୍ୟରେ ଗୋଟିଏ ନିୟମକୁ ଅଧିକାଂଶ ମାନିବେ ଓ ଥୋକାଏ ଉଲ୍ଲଂଘନ କରି ଅନ୍ୟ ସମସ୍ତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା କିଭଳି ବ୍ୟବସ୍ଥା? ସ୍ବତନ୍ତ୍ର ରିଲିଫ୍ କମିସନ ଏହା ଉପରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି? ମୁଖ୍ୟଶାସନ ସଚିବ ଏ ପ୍ରସଙ୍ଗରେ ସମୀକ୍ଷା କରି ପ୍ରଶାସନିକ ଦୋଷ ଦୁର୍ବଳତାରେ ଥିବା ଛିଦ୍ର ଓ ଉଲ୍ଲଂଘନକାରୀଙ୍କ ପ୍ରତି ବାବୁଙ୍କ ଦରଦକୁ କିଭଳି ଦେଖୁଛନ୍ତି? ସର୍ବୋପରି ଲୋକଙ୍କ ସ୍ବାସ୍ଥ୍ୟକୁ ମୁଖ୍ୟ ପ୍ରସଙ୍ଗ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି। କରୋନା କାଳରେ ଅମାନିଆଙ୍କ କ୍ଷେତ୍ରରେ ସେ ଏବେ କିଭଳି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

କିଛି ବ୍ୟକ୍ତି ଆଜି ପ୍ରଶ୍ନ କରିଛନ୍ତି, ବାଣ ବିକ୍ରିରେ ଏଥର ରୋକ୍‌ ଲଗାଯାଇଥିଲା। ଅମାନିଆ କେଉଁଠୁ ବାଣ କିଣିଲେ? ସମସ୍ତେ କଣ ପୂର୍ବବର୍ଷର ଏତେ ବାଣ ମହଜୁଦ୍ କରି ରଖିଥିଲେ? କିଛି ସ୍ଥାନରେ କାହା ଅପରାଗତାରୁ ଲୁଚା ଛପାରେ ବାଣ ବିକ୍ରି ହେଲା?

ପରିବେଶ ବିଜ୍ଞାନୀ ଜୟକୃଷ୍ଣ ପାଣିଗ୍ରାହୀଙ୍କ ସୂଚନା ମୁତାବକ, ୨୦୧୮ ମସିହାରେ ଦୀପାବଳିରେ କେବଳ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ସକାଳ ୧୦ଟାରେ ବାୟୁର ଗୁଣାତ୍ମକ ସୂଚକାଙ୍କ ତଥା ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦ ଥିବା ବ‌େଳେ ସେହିଦିନ ରାତି ୧୦ଟାରେ ଏକ୍ୟୁଆଇ ୩୬୯ରେ ପହଞ୍ଚିଥିଲା। ଗତକାଲି କଟକଣା ସତ୍ତ୍ବେ ସେହି ସମାନ ସ୍ଥାନରେ ରାତି ୧୦ଟାରେ ଏକ୍ୟୁଆଇ ୨୪୯ ରେ ପହଞ୍ଚିଥିଲା। ତେବେ ଆଜି ସକାଳ ୧୦ଟାରେ ଏକ୍ୟୁଆଇ ସ୍ତର ୯୦କୁ ପହଞ୍ଚିଥିଲା। ତୁଳନାତ୍ମକ ଦୃଷ୍ଟିରୁ ଚଳିତ ବର୍ଷ ବାୟୁର ଗୁଣବତ୍ତା ପୂର୍ବ ଦୀପାବଳି ଅପେକ୍ଷା ଭଲ ରହିଥିଲା। ହେଲେ ଏକ୍ୟୁଆଇ ୨୪୯‌ରେ ପହଞ୍ଚିବା ସୂଚାଇ ଦେଇଛି ଯେ ଗତକାଲି ବି ବହୁ ପରିମାଣରେ ବାଣ ଫୁଟାଯାଇଛି।

ସମ୍ବନ୍ଧିତ ଖବର