କେନ୍ଦ୍ରାପଡ଼ା/ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣି ଉତ୍ସବ ବେଳେ ଏକ ବଡ଼ଧରଣର ଅଘଟଣ ଘଟିଛି। ବିଳମ୍ବିତ ରାତିରେ ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧୢରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧୢରେ ଛୋଟ ପିଲା, ତିନି ଜଣ ମହିଳା ଏବ˚ ସେଠାକାର ବ୍ୟବସାୟୀ ଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଆଜି ସ˚ଧ୍ୟାରେ ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣି ଚାଲିଥିଲା। ଛାତିଥରା ଡିଜେ ତାଳେ ତାଳେ ଲୋକମାନେ ନାଚୁଥିଲେ। ବାଣ ବି ଜୋର‌୍‌ରେ ଫୁଟୁଥିଲା। ଶତାଧିକ ଲୋକ ଭସାଣି ଦେଖୁଥିଲେ। ଏହିସମୟରେ ଗୋଟିଏ ଗୋଲା ବାଣ ଆକାଶକୁ ଯାଇ ଫୁଟିବା ପରିବର୍ତ୍ତେ ବାଣୁଆ ରଖିଥିବା ବାଣ ବସ୍ତା ଉପରେ ପଡ଼ିଥିଲା। ଫଳରେ, ଘଟଣାସ୍ଥଳରେ ପ୍ରଚଣ୍ତ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ତ ଥିଲା ଯେ ଘଟଣାସ୍ଥଳରେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। କାହାର ହାତ ପୋଡ଼ି ଯାଇଥିଲା ତ କାହାର ମୁହଁ ଅଥବା ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। କେତେକଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ସ˚କଟାପନ୍ନ ଥିବା ସୂଚନା ମିଳିଛି।

ଆହତ ଅବସରପ୍ରାପ୍ତ ଶିକ୍ଷକ ପ୍ରାଣକୃଷ୍ଣ ବେଜ, ସାନଗାଁର ମହେଶ ଲେଙ୍କା(୧୫), ରମେଶ ଲେଙ୍କା(୪୭), ଚିନ୍ମୟ ପ୍ରଧାନ(୨୦),  ହଳଦିଆପାଟଣାର ସ˚ଗୀତା ସାହୁ(୨୦), ସାନଗାଁର ହୃଷିକେଶ ମଲ୍ଲିକ(୫୨), ସ˚ଜିତ୍‌ କର(୩୪), ଉଦୟ ନାଥ, ବାଲିଆର ହିମା˚ଶୁ ବେହେରା(୨୧), ଉମାକାନ୍ତ ସାହୁ(୫୦), ଅଭିମନ୍ୟୁ ମଲ୍ଲିକ, ବଳରାମ ରାଉତ, କୁଞ୍ଜବିହାରୀ ଦାସ, ରାଜେଶ ସେଠ୍‌, ଅଜୟ ସ୍ବାଇଁ, ଜନ୍ମେଞ୍ଜୟ ପ୍ରକାଶ ପରିଡ଼ା, ସର୍ବେଶ୍ବର ପରିଡ଼ାଙ୍କ ସମେତ ଅନ୍ୟମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧୢରୁ ଉଦୟ ନାଥ, ପ୍ରାଣକୃଷ୍ଣ ବେଜ୍‌ଙ୍କ ସମେତ ଆଉ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ବାହାରୁ ଆସି ଦୋକାନ ପକାଇଥିବା ବ୍ୟବସାୟୀ ଏବ˚ ସୁରକ୍ଷାରେ ନିୟୋଜିତ କନଷ୍ଟେବଳ ବି ଏଥିରେ ଆହତ ହୋଇଛନ୍ତି। ରିପୋର୍ଟ ଲେଖା ହେଲାବେଳକୁ ୨୦ରୁ ଅଧିକଙ୍କୁ କଟକ ବଡ଼ ମେଡିକାଲ୍‌ ସ୍ଥା‌ନାନ୍ତର କରାଯାଇଛି। କେତେକ ଆହତ କେନ୍ଦ୍ରାପଡ଼ା ନ ଯାଇ ସିଧା କଟକ ପଳାଇ ଯାଇଥିବା ସୂଚନା ମିଳୁଥିବାରୁ ଆହତଙ୍କ ସ˚ଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପଟେ ଏହି ଅଘଟଣ ପରେ ବାଲିଆ ବଜାର ଶୂନଶାନ୍‌ ହୋଇପଡ଼ିଛି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି।